Latest Odisha News

ଦେଖନ୍ତୁ ଭିଡ଼ିଓ, ଶ୍ରୀମନ୍ଦିର ବାନାରେ ଲାଗିଲା ନିଆଁ; ଅଘଟଣ ଆଶଙ୍କା

ପୁରୀ: ଶ୍ରୀମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏକ ବଡ଼ ଅଘଟଣ । ନୀଳଚକ୍ରରେ ପତିତପାବନ ବାନା ତଳେ ଲଗାଯାଇଥିବା ମାନସିକ ବାନାରେ ଏକାଦଶୀ ମହାଦୀପ ଲାଗି ବାନା ପୋଡି ଯାଇଥିବା ସୂଚନା ମିଳିଛି ।

ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀ ମୃତ୍ୟୁର ବିଭୀଷିକା ରଚୁଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଠିକ ଏତିକି ବେଳେ ଏହିଭଳି ଅଘଟଣକୁ ନେଇ ପୁରୀ ସହର ତଥା ସାରା ରାଜ୍ୟରେ ଆତଙ୍କ ଖେଳି ଯାଇଛି । ଏହାକୁ ଅଶୁଭ ସଙ୍କେତ ବୋଲି ଅନେକ କହୁଛନ୍ତି।

ଗୁରୁବାର ସନ୍ଧ୍ୟାରେ ଝିପି ଝିପି ବର୍ଷା ହେଉଥିବା ବେଳେ ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ବର୍ଷା ସାଙ୍ଗକୁ ପବନ ବହୁଥିବା ବେଳେ ଦୀପରୁ ନିଆଁ ଉଡି ମାନସିକ ବାନାରେ ଲାଗି ଯାଇଥିଲା।

ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଥିବା ଭକ୍ତ ଏବଂ ଅନ୍ୟ ସେବକମାନେ ବିଚଳିତ ହୋଇପଡିଥିଲେ। ବାନାରେ  ଲାଗିଥିବା ନିଆଁ ଝୁଲ ଶ୍ରୀମନ୍ଦିର ବେଢାରେ ପଡିଥିଲା।

ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ବରିଷ୍ଠ ସେବକମନେ ଏହା ଅଶୁଭ ସଂକେତ ହୋଇଥାଇପାରେ ବୋଲି ମତ ଦେଇଛନ୍ତି ।

ଅନ୍ୟପକ୍ଷରେ ନୀଳଚକ୍ର ଉପରେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟିହୋଇନଥିବା ଜଣାପଡିଛି ।

Comments are closed.