Latest Odisha News

BREAKING NEWS

କରୋନା ପାଇଁ ଦେଶବ୍ୟାପୀ ଲକଡାଉନ କରିବାକୁ ପାକିସ୍ତାନ ସମର୍ଥ ନୁହେଁ: ଇମରାନ ଖାନ

ଇସଲାମାବାଦ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ବନ୍ଦ(ଲକଡାଉନ) କରିବାକୁ ପାକିସ୍ତାନ ଅସମର୍ଥ ବୋଲି ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି । ସେ କହିଛନ୍ତି କି, ଲକଡାଉନ ଅର୍ଥାତ ସାରା ଦେଶରେ କର୍ଫୁ୍ୟ ଲଗାଇବା । ଏହାଦ୍ୱାରା ଗରୀବ ଶ୍ରେଣୀର ଲୋକଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବ । ତେବେ ଆବଶ୍ୟକସ୍ଥଳେ ନିର୍ଦ୍ଧିଷ୍ଟ ସ୍ଥାନରେ ଲକଡାଉନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପାକ୍ ନାଗରିକଙ୍କୁ ବାହାରେ ଚଳପ୍ରଚଳ ହେବାକୁ ସୀମିତ କରିବାକୁ କହିଛନ୍ତି । ଗୋଟିଏ କିମ୍ବା ଦୁଇ ମାସ ପର୍ଯ୍ୟନ୍ତ ଘର ଭିତରେ ଅଧିକ ସମୟ ରହିବାକୁ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାମାଜିକ ଦୂରତା ବଜାୟ ରଖିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ।

ପାକିସ୍ତାନରେ କରୋନାଭାଇରସ ଜନିତ ୩ଜଣଙ୍କ ମୃତୁ୍ୟ ହୋଇସାରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୬୪ରେ ପହଞ୍ଚିଛି । ପାକିସ୍ତାନର କରାଚିରେ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

Comments are closed.