Latest Odisha News

BREAKING NEWS

BrahMos Deal: ଚୀନ୍ ଛାତିରେ ଛନକା! ବ୍ରହ୍ମୋସ୍ ମୁହଁରେ ରହିବ ଡ୍ରାଗନ୍! ଦକ୍ଷିଣ ଚୀନ୍ ସାଗରରେ ବଦଳିବ କି ଖେଳ?

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଦାଦାଗିରିକୁ ଆଉ ସହଜରେ ସହିବନି ଫିଲିପାଇନ୍ସ! ସମୁଦ୍ରରେ ଚୀନ୍‌ର ଯୁଦ୍ଧଜାହାଜ ଆଗରେ ଏବେ ଛିଡ଼ା ହେବ ଭାରତର ବ୍ରହ୍ମୋସ୍ ମିସାଇଲ୍। ଶବ୍ଦଠାରୁ ପ୍ରାୟ ୨.୮ ଗୁଣ ଅଧିକ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ରକୁ ନେଇ ଚୀନ୍‌ର ଚିନ୍ତା ବଢ଼ିବା ସ୍ୱାଭାବିକ। କାରଣ, ଭାରତ ଓ ଫିଲିପାଇନ୍ସ ମଧ୍ୟରେ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି। ତେବେ ଏହି ଡିଲ୍‌ରେ ଏମିତି କ’ଣ ରହିଛି, ଯାହା ଚୀନ୍‌ର ସମୁଦ୍ରୀୟ ରଣନୀତିକୁ ଚ୍ୟାଲେଞ୍ଜ ଦେଇପାରେ?

ରିପୋର୍ଟ ଅନୁସାରେ, ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବ୍ରହ୍ମୋସ୍ ମିସାଇଲ୍‌ର ଆଉ ଏକ ଚୁକ୍ତି ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ମୂଲ୍ୟ ୭୦୦ରୁ ୮୦୦ ନିୟୁତ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୬ ହଜାର ୨୦୦ କୋଟିରୁ ୭ ହଜାର ୧୦୦ କୋଟି ଟଙ୍କା ହୋଇପାରେ। ଏହି ଡିଲ୍‌ରେ ଫିଲିପାଇନ୍ସକୁ ମିଳିପାରେ ୫ଟି ନୂଆ ବ୍ରହ୍ମୋସ୍ ମିସାଇଲ୍ ସିଷ୍ଟମ୍ ଏବଂ ପ୍ରାୟ ୬୦ଟି କ୍ଷେପଣାସ୍ତ୍ର।  ନଭେମ୍ବର ୪ ତାରିଖରେ ଦିଲ୍ଲୀ ଡିଫେନ୍ସ ଡାଏଲଗ୍‌ରେ ଅନଲାଇନ୍‌ରେ ଯୋଗଦେଇ ଫିଲିପାଇନ୍ସର ପ୍ରତିରକ୍ଷା ସଚିବ ଗିଲବର୍ଟୋ ଟିଓଡୋରୋ ମଧ୍ୟ ଭାରତଠାରୁ ଅଧିକ ମିସାଇଲ୍ ସିଷ୍ଟମ୍ କିଣିବାକୁ ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ଫିଲିପାଇନ୍ସ ନିଜର ଆବଶ୍ୟକତା ତାଲିକା ମଧ୍ୟ ଭାରତକୁ ଦେଇଛି। ଯାହାଦ୍ୱାରା ଫିଲିପାଇନ୍ସର ସମୁଦ୍ରୀୟ ପରିସ୍ଥିତି ଅନୁସାରେ ମିସାଇଲ୍ ସିଷ୍ଟମ୍‌କୁ ପ୍ରସ୍ତୁତ କରାଯାଇପାରିବ।

ତେବେ ବ୍ରହ୍ମୋସ୍ କେବଳ ଏକ ମିସାଇଲ୍ ନୁହେଁ, ଏହା ଭାରତର ପ୍ରତିରକ୍ଷା ଶକ୍ତିର ଏକ ବଡ଼ ପରିଚୟ। ଭାରତର ବ୍ରହ୍ମପୁତ୍ର ନଦୀ ଓ ରୁଷିଆର ମୋସ୍କଭା ନଦୀ ନାମକୁ ମିଶାଇ ଏହାର ନାମ ବ୍ରହ୍ମୋସ୍ ରଖାଯାଇଛି। ଭାରତର DRDO ଏବଂ ରୁଷିଆର NPO ମାଶିନୋସ୍ତ୍ରୋୟେନିଆ ମିଳିତ ଭାବେ ଏହାର ବିକାଶ କରିଛନ୍ତି। ଏହାର ବେଗ ପ୍ରାୟ ୨.୮ ମ୍ୟାକ୍, ଅର୍ଥାତ୍ ଶବ୍ଦର ବେଗଠାରୁ ପ୍ରାୟ ୨.୮ ଗୁଣ ଅଧିକ। ରପ୍ତାନି ପାଇଁ ଉପଲବ୍ଧ ସଂସ୍କରଣର ମାରକ ଦୂରତା ପ୍ରାୟ ୨୯୦ କିଲୋମିଟର। ଏଥିରେ ୨୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ପାରମ୍ପରିକ ବିସ୍ଫୋରକ ୱାରହେଡ୍ ରହିପାରେ। ସବୁଠୁ ବଡ଼ କଥା ହେଉଛି, ଏହାକୁ ସ୍ଥଳଭାଗ, ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ଯୁଦ୍ଧବିମାନରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରେ। ଏହାର ଅଧିକ ବେଗ ଯୋଗୁଁ ଶତ୍ରୁପକ୍ଷ ପାଇଁ ଏହାକୁ ଅଟକାଇବା ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ।

କାହିଁକି ଚୀନ୍‌-ଫିଲିପାଇନ୍ସ ମଧ୍ୟରେ ବିବାଦ?

ଏହି ପୂରା ଘଟଣାର ମୂଳ ରହିଛି ଦକ୍ଷିଣ ଚୀନ୍ ସାଗରରେ। ଏସିଆର ଏହି ସମୁଦ୍ରପଥ ବିଶ୍ୱ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୁଦ୍ର ଉପରେ ଚୀନ୍ ବ୍ୟତୀତ ଫିଲିପାଇନ୍ସ, ଭିଏତନାମ, ମାଲେସିଆ, ବ୍ରୁନେଇ ଏବଂ ତାଇୱାନର ମଧ୍ୟ ଅଧିକାର ଦାବି ରହିଛି। ଚୀନ୍ ଏହି ସମୁଦ୍ରର ଏକ ବଡ଼ ଅଂଶ ଉପରେ ନିଜର ଅଧିକାର ଦାବି କରୁଥିବାବେଳେ, ଫିଲିପାଇନ୍ସର ଅଭିଯୋଗ ହେଉଛି ଚୀନ୍ ତା’ର ସମୁଦ୍ରୀୟ ଅଞ୍ଚଳରେ ହସ୍ତକ୍ଷେପ କରୁଛି। ବିଶେଷକରି ସ୍କାରବୋରୋ ଶୋଲ୍ ଏବଂ ସେକେଣ୍ଡ ଥୋମାସ୍ ଶୋଲ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଛି। ୨୦୧୬ ମସିହା ଜୁଲାଇରେ ହେଗ୍‌ସ୍ଥିତ ସ୍ଥାୟୀ ମଧ୍ୟସ୍ଥତା ଅଦାଲତ ଫିଲିପାଇନ୍ସ ସପକ୍ଷରେ ରାୟ ଦେଇଥିଲେ। ଅଦାଲତ କହିଥିଲେ ଯେ, ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ବ୍ୟାପକ ଐତିହାସିକ ଅଧିକାର ଦାବି ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କିନ୍ତୁ ଚୀନ୍ ଏହି ରାୟକୁ ମାନିନଥିଲା।

ଏଭଳି ସ୍ଥିତିରେ ବ୍ରହ୍ମୋସ୍ ମିସାଇଲ୍ ଫିଲିପାଇନ୍ସକୁ ନିଜର ସମୁଦ୍ରତଟ ଏବଂ ସମୁଦ୍ରୀୟ ଅଞ୍ଚଳର ସୁରକ୍ଷା ପାଇଁ ଅଧିକ କ୍ଷମତା ଦେଇପାରିବ। ଅର୍ଥାତ୍, ଏହି ଅଞ୍ଚଳରେ ଚୀନ୍‌ର ସାମରିକ ଗତିବିଧି ଆଉ ଆଗ ଭଳି ସହଜ ହୋଇନପାରେ।

ତେବେ ଏହା ଭାରତ ଓ ଫିଲିପାଇନ୍ସ ମଧ୍ୟରେ ପ୍ରଥମ ବ୍ରହ୍ମୋସ୍ ଚୁକ୍ତି ନୁହେଁ। ୨୦୨୨ ଜାନୁଆରୀରେ ଦୁଇ ଦେଶ ମଧ୍ୟରେ ୩୭୪.୯୬ ନିୟୁତ ଡଲାର, ଅର୍ଥାତ୍ ପ୍ରାୟ ୩ ହଜାର ୧୦୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏହା ଥିଲା ଭାରତର ପ୍ରଥମ ବ୍ରହ୍ମୋସ୍ ରପ୍ତାନି ଚୁକ୍ତି। ଏହି ଚୁକ୍ତି ଅନୁସାରେ ଫିଲିପାଇନ୍ସକୁ ସ୍ଥଳଭାଗରୁ ଉତ୍‌କ୍ଷେପଣ ହୋଇପାରୁଥିବା ଆଣ୍ଟି-ସିପ୍ ମିସାଇଲ୍‌ର ୩ଟି ବ୍ୟାଟେରୀ, ଲଞ୍ଚର୍ ଏବଂ ଆବଶ୍ୟକୀୟ ଉପକରଣ ଦେବାକୁ ଥିଲା। ୧୯ ଏପ୍ରିଲ୍ ୨୦୨୪ରେ ଭାରତୀୟ ବାୟୁସେନାର C-17 ଗ୍ଲୋବମାଷ୍ଟର୍ ବିମାନ ଯୋଗେ ପ୍ରଥମ ମିସାଇଲ୍ ଖେପ ଫିଲିପାଇନ୍ସକୁ ପଠାଯାଇଥିଲା। ଏବେ ପ୍ରଥମ ଚୁକ୍ତିର ଡେଲିଭରି ମଧ୍ୟ ଶେଷ ହେବା ଆଡ଼କୁ ଗତି କରୁଛି। ନୂଆ ଚୁକ୍ତି ଏହି ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବ।

ଏହି ଡିଲ୍ କେବଳ ଅସ୍ତ୍ର ବିକ୍ରିର କାହାଣୀ ନୁହେଁ। ଏହା ହେଉଛି ହିନ୍ଦ୍-ପ୍ରଶାନ୍ତ ଅଞ୍ଚଳରେ ଭାରତର ବଢ଼ୁଥିବା ପ୍ରତିରକ୍ଷା ଓ ରଣନୀତିକ ପ୍ରଭାବର ଏକ ବଡ଼ ସଙ୍କେତ। ଫିଲିପାଇନ୍ସ ବ୍ୟତୀତ ଇଣ୍ଡୋନେସିଆ ଓ ଭିଏତନାମକୁ ମଧ୍ୟ ବ୍ରହ୍ମୋସ୍ ଯୋଗାଇବା ନେଇ ଭାରତ କାମ କରୁଛି। ଏହାଛଡ଼ା UAE, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ ଭଳି ଦେଶ ସହ ମଧ୍ୟ ଆଲୋଚନା ହେଉଥିବା ଖବର ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ୩୮ ହଜାର ୪୨୪ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୬୨.୬୬ ପ୍ରତିଶତ ଅଧିକ। ଏହା ଭାରତର ପ୍ରତିରକ୍ଷା ଶିଳ୍ପ ପାଇଁ ବଡ଼ ସଫଳତା।

Leave A Reply

Your email address will not be published.