ଭୁବନେଶ୍ୱର: ଆସନ୍ତା ମେ ଶେଷ ସୁଦ୍ଧା ଓଡ଼ିଶାରେ ଆନୁମାନିକ ୩୬,୦୦୦ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି ବୋଲି ମଙ୍ଗଳବାର ଦିନ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି ।
“ଆଗାମୀ ଦିନରେ ଏହି କରୋନା ଭୂତାଣୁ ଭୟଙ୍କର ସ୍ଥିତିରେ ରହିଥିବ । ଏକ ଆକଳନ ଅନୁସାରେ ଯଦି ଭାରତ ପରି ଦେଶରେ ୫୮,୦୦୦ରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ୱାସଯୋଗ୍ୟ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ପାରନ୍ତି । ଏହି ଅନୁପାତରେ ଏବେକାର ଓଡ଼ିଶାର ସ୍ଥିତିକୁ ନେଇ ଆକଳନ କଲେ ମେ ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ୩୬,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଏହାକୁ ହୃଦୟଙ୍ଗମ କରି ସରକାରଙ୍କ ଦ୍ୱାରା ନିଆଯାଉଥିବା ସମସ୍ତ ପଦକ୍ଷେପକୁ ଆମେ ସମସ୍ତେ ପାଳନ କରିବା ନିତାନ୍ତ ଆବଶ୍ୟକ ।” ଏହା କହିଛନ୍ତି ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କରୋନା ସଚେତନତା ଟିମର ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ ବାଗଚୀ ।
ଆହୁରି ମଧ୍ୟ ଶ୍ରୀ ବାଗଚୀ ଓଡ଼ିଶାର ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, “ଯଦି ଆପଣ ଘରୁ ଗୋଡ଼ କାଢି ବାହାରକୁ ଯାଉଛନ୍ତି ତେବେ କରୋନା ସଂକ୍ରମିତ ଲୋକଙ୍କ ସହ ସଂସ୍ପର୍ଶରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ବାହାରକୁ ଯାଇ ଘରେ ପରିବାର ସଂକ୍ରମିତ ହେବାର ସମ୍ଭାବନା ରହିଛି ।”
ସେହିପରି ଭାବେ ଚୀନ, ଇଟାଲୀ, ଫ୍ରାନ୍ସ, ଇଂଲଣ୍ଡ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଏହିସବୁ ଦେଶର ଜନସାଧାରଣ ଘରେ ନିଜକୁ ସଂଗରୋଧ କରି ଗତ ଦୁଇ ସପ୍ତାହ ଧରି ଏକୁଟିଆ ରହିଛନ୍ତି । ଏହିସବୁ ଦେଶଗୁଡ଼ିକରେ ଥିବା ବଡ଼ ବଡ଼ ସହର ଗୁଡ଼ିକ ମଧ୍ୟ ମରୁଭୂମୀ ପରି ଜନଶୂନ୍ୟ ପାଲଟି ଯାଇଛି ।
“ତେଣୁକରି ଏହିସବୁ ଦେଶରେ ଯେପରି ନିଜକୁ ସୁରକ୍ଷିତ କରି ଜନସାଧାରଣ ଘରେ ରହିଛନ୍ତି ସେହିପରି ଭାବେ ଆମ ସମସ୍ତଙ୍କୁ ବାହାରକୁ ନଯାଇ ଘରେ ରହିବାକୁ ପଡ଼ିବ । ଲକଡ଼ାଉନ ସମୟରେ ସାମାଜିକ ଦୂରତା ରକ୍ଷା କରି ସତର୍କତା ଅବଲମ୍ବନ କରିବା ଉଚିତ । ଏହାକୁ ଆମେ ପାଳନ କରିପାରିଲେ ହିଁ ଏହି ଘାତକ ଭୂତାଣୁଠାରୁ ବଞ୍ଚିପାରିବା ।”
Comments are closed.