ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଦେଶବ୍ୟାପୀ ଜାରି ରହିଥିବା ଲକଡାଉନକୁ କଂଗ୍ରେସର ସମ୍ପୂର୍ଣ୍ଣ ସମର୍ଥନ ରହିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଚିଠି ଲେଖି ଜଣାଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ।
ସୋନିଆ ଉକ୍ତ ଚିଠିରେ ଲେଖିଛନ୍ତି, “କଂଗ୍ରେସର ସଭାପତି ଭାବେ ମୁଁ କହିବାକୁ ଚାହେଁ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ”।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦିନ ମଜୁରିଆ, ମନରେଗା କର୍ମଚାରୀ, କାରଖାନା କର୍ମଚାରୀ, ନିର୍ମାଣ ଶ୍ରମିକ, କୃଷକ ଏବଂ ଅନ୍ୟମାନଙ୍କୁ ସରକାର ତୁରନ୍ତ ନଗଦ ଟଙ୍କା ସ୍ଥାନାନ୍ତର ସହିତ ସାମାଜିକ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବା ଉଚିତ୍।
ସେହିପରି ଗତ ବୁଧବାର ଦିନ ଓଡିଶାରେ କରୋନାଭାଇରସ୍ ବିରୋଧରେ ଲଢେଇ କରିବାକୁ ରାଜ୍ୟ ପ୍ରଶାସନକୁ ସହାୟତା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ ବିଜେପି ଦଳ ।
ଓଡିଶା ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ଏକ ଚିଠିରେ ଲେଖିଥିଲେ, କୋଭିଡ-୧୯ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧ ଅଭିଯାନରେ ରାଜ୍ୟ ସରକାର ବିଜୟୀ ହୁଅନ୍ତୁ ବୋଲି ଆମେ ଆନ୍ତରିକତାର ସହ ଇଚ୍ଛା କରୁଛୁ।
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀ ବିରୋଧରେ ଜାତୀୟ ସ୍ତରରେ ନେତୃତ୍ୱ ନେଉଥିବାବେଳେ ମୁଖ୍ୟମନ୍ତ୍ରୀ ଏହିଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅସାଧାରଣ ପଦକ୍ଷେପ ନେଉଛନ୍ତି। ଆମେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛୁ ବୋଲି ସେ ପ୍ରକାଶ କରିଥିଲେ ।
Comments are closed.