Latest Odisha News

BREAKING NEWS

ମେ’ ୩ରେ ଲକଡାଉନ୍ ହଟିବ ନା ବଢିବ? ଜାଣନ୍ତୁ କ’ଣ ରହିଛି ବିଭିନ୍ନ ରାଜ୍ୟର ମତ

ନୂଆଦିଲ୍ଲୀ: ଆସନ୍ତା ମେ ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ତେବେ ଦେଶରେ ୪୦ ଦିନ ଧରି ଲାଗୁ ହୋଇଥିବା ଏହି ଲକଡାଉନ୍ ମେ ୩ ତାରିଖରେ ସରିବ ନା ଏହାର ଅବଧି ପୁଣି ବଢିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଲକଡାଉନକୁ ନେଇ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମତଭେଦ ଦେଖାଦେଇଛି ।

ଦେଶରେ ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ନିଜ ରାଜ୍ୟରେ ମେ ୭ ତାରିଖ ଯାଏ ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା କରିସାରିଛି । ଦିଲ୍ଲୀ ସରକାରଙ୍କ କୋଭିଡ-୧୯ କମିଟିର ଜଣେ ଅଧିକାରୀ କହିଛନ୍ତି, କରୋନାକୁ ମୂଳରୁ ମାତ୍ ଦେବାକୁ ହେଲେ ମେ ୧୬ ତାରିଖ ଯାଏ ଲକଡାଉନ୍ ଅବଧି ବଢାଯିବା ଉଚିତ ।

ମୁମ୍ବାଇ ଏବଂ ପୁଣେରେ ଲକଡାଉନ୍‌କୁ ମେ ୧୮ଯାଏ ବଢାଇବା ଉପରେ ବିଚାର କରୁଛି ମହାରାଷ୍ଟ୍ର୍ । ମଧ୍ୟପ୍ରଦେଶ ମଧ୍ୟ ଲକଡାଉନ୍‌କୁ ଆହୁରି କିଛି ଦିନ ଜାରି ରଖାଯାଉ ବୋଲି ମତ ଦେଇଛି । ତେବେ ପଂଜାବ ସରକାର ମେ ୩ ତାରିଖ ଲକଡାଉନ୍ ହଟିବା ପରର ସ୍ଥିତି ନେଇ ଏକ୍ସପର୍ଟ କମିଟିର ମତ ନେଉଛି । ଅର୍ଥାତ୍ ଲକଡାଉନ୍ ହଟାଯିବା ନେଇ ସମର୍ଥନ କରୁଛି ପଂଜାବ । ସେପଟେ ଜୁନ୍ ୩୦ ଯାଏ ଜନଗହଳି ଉପରେ କଟକଣା ଲଗାଇଛି ଉତର ପ୍ରଦେଶ ସରକାର । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ କେବଳ କଂଟେନମେଂଟ ଜୋନରେ ଲକଡାଉନ୍ ଲାଗୁ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ଏଭଳି ସ୍ଥିତିରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଭିଡିଓ କନଫେରନ୍ସିଂରେ ହେବାକୁ ଥିବା ଏହି ଆଲୋଚନାରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ନିଜ ନିଜ ରାଜ୍ୟରେ କରୋନା ସ୍ଥିତି ନେଇ ଆଲୋଚନା କରିବେ । ଏହାପରେ ମେ ୩ ତାରିଖ ପରବର୍ତ୍ତୀ ଚୂଡାନ୍ତ ନିଷ୍ପତି ନିଆଯିବ ।

Comments are closed.