Latest Odisha News

BREAKING NEWS

ଓଲିଉଡର ସ୍ନେହୀ ମା…ଦରଦି ଭରା କଥାରେ ଦର୍ଶକଙ୍କ ମନ ମୋହନ୍ତି

ଓଲିଉଡରେ ମାଆମାନଙ୍କ ସ୍ଥାନ ସ୍ୱତନ୍ତ୍ର । ପାରିବାରିକ ଚଳଚ୍ଚିତ୍ରରେ ମାଆଟିଏ ପରିବାରର କେନ୍ଦ୍ର ବିନ୍ଦୁ ହୋଇଥାଏ । ଏକ ମଧ୍ୟବିତ୍ତ ଗରିବ ପରିବାରର ଚିତ୍ରରେ ସେ ପରିବାର ପାଇଁ ସମର୍ପି ଦେଇଥାଏ ନିଜକୁ । ନିଜ ପେଟରୁ କାଟି ପିଲାମାନଙ୍କୁ ଖୁଆଏ, ରକ୍ତକୁ ପାଣି କରି ପିଲାମାନଙ୍କୁ ମଣିଷ କରିଥାଏ । ନିଜ ଆୟୂଷ ପିଲାମାନଙ୍କୁ ଲାଗୁ ବୋଲି ଠାକୁରଙ୍କ ପାଖରେ ଗୁହାରି କରି ସନ୍ଧ୍ୟା ଦୀପ ଜାଳେ ।

ପିଲାମାନେ ବଡ ହେଲା ପରେ ଯେତେବେଳେ ମାଆକୁ ହତାଦର କରନ୍ତି । ମାଅ ପଣତରେ ମୁହଁ ଲୁଚାଇ କାନ୍ଦେ । ନିଜେ ମରଣ ମୁହଁକୁ ଠେଲି ହେଇଯାଏ ପଛେ ପିଲାମାନଙ୍କ ଅମଙ୍ଗଳ କେବେ ବି ଚିନ୍ତା କରେନି । ଆସନ୍ତୁ ଜାଣିବା ଓଲିଉଡରେ ସେହିପରି କିଛି ଉଦାହରଣ ସୃଷ୍ଟି କରିଥିବା ମାଆ ଚରିତ୍ରମାନଙ୍କୁ ଚଳଚ୍ଚିତ୍ରରେ କେତେବେଳେ ଏମାନେ ଆମକୁ କନ୍ଦାନ୍ତି ତ କେତେବେଳେ ସେମାନେ ଖୁସି ହେଲେ ଘର ଫାଟିପଡେ । ଘରର ଖୁଣ୍ଟ କହିଲେ ଏହି ମାଆମାନଙ୍କୁ ବୁଝଏ ।

ମାତୃତ୍ୱ ଦିବସରେ ଏହି ମାଆମାନଙ୍କ ଉପରେ ଓଡିଶା ସମ୍ବାଦର ଏକ ସ୍ୱତନ୍ତ୍ର ଉପସ୍ଥାପନା ।

ସୁଜାତା ଆନନ୍ଦ -୧୯୭୮ ମସିହାରେ ‘ବଳିଦାନ’ ଚଳଚ୍ଚିତ୍ରରେ ମାଆ ଭୂମିକାରେ ପ୍ରଥମେ ନଜର ଆସିଥିଲେ ସୁଜାତା ଆନନ୍ଦ । ୧୯୭୯ ମସିହାରେ ‘ସମର ସଲିମ ସାଇମନ’, ୧୯୮୬ ‘ଜୋର ଯାର ମୂଲକ ତାର’, ଏହି ମାଆ ବେଶ୍ ଲୋକପ୍ରିୟ ଥିଲେ । ସେହିପରି ‘ଏଇ ଆମ ସଂସାର’, ‘ପରଦେଶୀ ଚଢେଇ’, ‘ମମତାର ଡୋରୀ’, ‘ଯାହାକୁ ରଖିବେ ଅନନ୍ତ’, ‘କୁରୁକ୍ଷେତ୍ର’ ରେ ତାଙ୍କ ବଳିଷ୍ଠ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା ।

ଗ୍ଲୋରିଆ ମହାନ୍ତି-ଗ୍ଲୋରିଆ ମହାନ୍ତି । ପ୍ରଥମ ଚଳଚ୍ଚିତ୍ର ‘ଜଗନ୍ନାଥ’ରେ ତାଙ୍କର ଲଳିତା ଭୂମିକାରେ ଅଭିନୟରୁ ହିଁ ସେ ଦର୍ଶକଙ୍କ ନିକଟତର ହୋଇପାରିଥିଲେ । ଚଳଚ୍ଚିତ୍ର ‘ଉଲକା’ ରେ ତାଙ୍କ ଅଭନୟ ବେଶ୍ ଚମତ୍କାର ଥିଲା ।

ପରେ ପରେ ଚଳଚ୍ଚିତ୍ର ତଅପୋଇ, ସାକ୍ଷୀ ଗୋପାଳ, ପରିବାର, କେଦାର ଗୌରୀ, ତପସ୍ୟା, ଜନନୀ ଚଳଚ୍ଚିତ୍ରରେ ମାଆ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଯୋଡି ରଖିପାରିଥିଲା ।

ତେବେ ମଝିରେ କିଛି ବର୍ଷ ଗ୍ଲୋରିଆ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ । ପ୍ରାୟ ୧୮ ବର୍ଷ ପରେ ସେ ଜେଜେମାଆ ଭୂମିକାରେ ଫେରିଥିଲେ ।

ଅନୀତା ଦାସ- ‘ପୁଅ ମୋର କଳା ଠାକୁର’ରେ ଜଣେ ମାଆ ବାୟାଣୀ ପରି ଖୋଜୁଥିଲା ତା ପୁଅକୁ ।କେତେବେଳେ କଳା ଠାକୁରଙ୍କୁ ପୁଅ ବୋଲି ସ୍ନେହ ଶ୍ରଦ୍ଧା କରୁଥିଲା ତ କେତେବେଳେ କାନ୍ଦିଲେ ତାକୁ ଚୁପ୍ କରାଉଥିଲା ।

ହଁ ଆମେ କହୁଛୁ ସେଇ ବାୟାଣୀ ମାଆ ଅନୀତା ଦାସଙ୍କ କଥା । ତାଙ୍କର ସେ ମାଆ ଭୂମିକାରେ ନିଖୁଣ ଅଭିନୟ ଦେଖି ଦର୍ଶକଙ୍କ ଆଖିରେ ଲୁହ ଆସିଯାଏ ।

କେବଳ ଏହି ଚଳଚ୍ଚିତ୍ର ନୁହେଁ ‘କି ହେବ ଶୁଆ ପୋଷିଲେ’, ‘ବାହୁଡିବେ ମୋ ଜଗା ବଳିଆ’, ‘ଲକ୍ଷ୍‌ଣରେଖା’, ‘ମା ଓ ମମତା’, ‘ଶପଥ’ରେ ତାଙ୍କ ମାଆ ଭୂମିକା ଦର୍ଶକ କେବେ ମନରୁ ପାଶୋରି ପାରିବେ ନାହିଁ ।
ଓଲିଉଡରେ ସେ ପ୍ରିୟ ମାଆ ଭାବେ ସେ ମନେ ରହିବେ ।

ନମ୍ରତା ଦାସ –ବର୍ତ୍ତମାନର ବହୁ ସିରିଏଲ ଓ ଫିଲ୍ମରେ ଯିଏ ଲୋକପ୍ରିୟ ମାଆ କି ଜେଜେ ମାଆ ଭୂମିକାରେ ଦେଖିବାକୁ ମିଳୁଛନ୍ତି ସେ ହେଉଛନ୍ତି ନମ୍ରତା ଦାସ ।

ମାତ୍ର ୧୩ ବର୍ଷ ବୟସରେ ୧୯୭୩ ମସିହାରେ ଧରିତ୍ରୀ ଫିଲ୍ମ ଜରିଆରେ ଓଲିଉଡକୁ ଆସିଥିବା ଏହି ଅଭିନେତ୍ରୀ ‘ଅକ୍ଷିତୃତୀୟା’ ଓ ‘ସିନ୍ଦୂରବିନ୍ଦୁ’ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ ।

‘ଭାଇ ହେଲା ଭଗାରୀ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ମାଆ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

ଜେଜେ ମାଆ ଭୂମିକାରେ ଅଭିନୟ କଥା ପଡିଲେ ତାଙ୍କର ଚଳଚ୍ଚିତ୍ର ‘ତୋ ଆଖିରେ ମୁଁ’ ମନକୁ ଆସେ । ଏଥିରେ ସେ ବାବୁସାନଙ୍କ ଜେଜେ ମାଆ ଭୂମିକାରେ ଅଭିନୟ କରିଥିଲେ ।

ମହାଶ୍ୱେତା ରାୟ- ଓଲିଉଡର ଲାଲ୍‌ପାନ ବିବି ମହାଶ୍ୱେତା । ୧୯୭୬ ମସିହାରେ ଚଳଚ୍ଚିତ୍ର ‘ଶେଷ ଶ୍ରାବଣ’ ଜରିଆରେ ନାୟିକା ଭାବେ ଓଲିଉଡରେ ପାଦ ଥାପିଥିଲେ ଏହି ଅଭିନେତ୍ରୀ । ୧୯୯୮ ମସିହାରେ ରିଲିଜ ହୋଇଥିବା ‘ବୋଉ’ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା । ଏହା କୌଣସି ଅଭିନେତ୍ରୀଙ୍କ ଦ୍ୱାରା ଅଭିନୀତ ଶ୍ରେଷ୍ଠ ଚିତ୍ର ଥିଲା ।


ଏବା ବ୍ୟତୀତ ‘ବସ୍ତ୍ର ହରଣ’, ‘ନାଗପଞ୍ଚମୀ’,‘ତୁ ଥିଲେ ମୋ ଡର କାହାକୁ’, ‘ଜଗା ହାତରେ ପଘା’, ‘ମୋ ସୁନା ପୁଅ’ ଓ ‘ଚିନି’ରେ ମଧ୍ୟ ମା ଭୂମିକାରେ ଅଭିନୟ କରିଥିଲେ ।

ଅପରାଜିତା ମହାନ୍ତି- ୧୯୮୨ ମସିହାରେ ‘ଅସ୍ତରାଗ’ ଚଳଚ୍ଚିତ୍ରରେ ନାୟିକା ଭାବେ ଅଭିନୟ କରିଥିଲେ ଅଭିନେତ୍ରୀ ଅପରାଜିତା ।

ତେବେ ‘ଉଦଣ୍ଡୀ ସୀତା’, ‘କଳାମାଣିକ’, ‘ସତମିଛ’, ‘ଚକୋଲେଟ୍‌’, ‘ଯଶୋଦା’, ‘ଧନରେ ରଖିବୁ ଶପଥ ମୋର’, ‘ଆ ଜହ୍ନରେ ଲେଖିବୁ ନା’ଆଦି ଅନେକ ଗୁଡିଏ ଚଳଚ୍ଚିତ୍ରରେ ମାଆ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ।

ମଣିମାଳା ଦେବୀ, ଲୀଳା ଦୁଲାରୀ, ପାର୍ବତୀ ଘୋଷ, ଝରଣା ଦାସ, ଅନିମା ପେଦିନୀ, ଇଷା ବେବର୍ତ୍ତା, ତନ୍ଦ୍ରା ରାୟ ଆଦି ଅଭିନେତ୍ରୀମାନେ ଅନେକ ପ୍ରତିନିଧି ଶ୍ରେଣୀୟ ମାଆ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡି ଯାଇଛନ୍ତି ।

ଏମାନଙ୍କ ବ୍ୟତୀତ ଦୀପା ସାହୁ, ନିହାରିକା, ପୁଷ୍ପା ପଣ୍ଡା, ନମିତା ଦାସ, ସ୍ନିଗ୍ଧା ମହନ୍ତି, ପ୍ରିୟଙ୍କା ମହାପାତ୍ର, ଉଷଶୀ ମିଶ୍ର ମଧ୍ୟ ମାଆ ଭୂମିକାରେ ଅଭିନୟ କରିଛନ୍ତି ।

କେବଳ ଓଡିଆ ଅଭିନେତ୍ରୀ ନୁହନ୍ତି ରାକ୍ଷୀ ଗୁଲଜାର ଚଳଚ୍ଚିତ୍ର ‘ମାଆ’ ଏବଂ ରାମେଶ୍ୱରୀ ‘ମାନିନୀ’ ଓ ‘ଅର୍ଜୁନ’ ଆଦି ଚଳଚ୍ଚିତ୍ରରେ ମାଆ ଭୂମିକାକୁ ନିଖୁଣ ଭାବେ ନିଭାଇପାରିଛନ୍ତି ଏବଂ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

ସମୟ ବଦଳିଛି, ବଦଳିଛି ସିନେମାର ଚିତ୍ର ଓ ଚରିତ୍ର । କେତେବେଳେ ମାଆ କେତେବେଳେ ବୋଉ କେତେବେଳେ ମମ୍ ତ କେତେବେଳେ ମମି ସାଜି ଏଇ ଅଭିନେତ୍ରୀମାନେ ପରଦା ଉପରେ ପ୍ରତିପାଦିତ କରିଛନ୍ତି ସଂସାରର ଶ୍ରେଷ୍ଠ ମାଆର ସାର୍ଥକତା ଯାହା ଦର୍ଶକ କେବେ ମନରୁ ଭୁଲିବେ ନାହିଁ ।

Comments are closed.