Latest Odisha News

BREAKING NEWS

ପୁରୀର ମହାଦେବ ଲେନ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ

ପୁରୀ: ପୁରୀ ସହରରେ ଦୁଇଟି କରୋନା ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହାଦେବ ଲେନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ଗତ ମେ ୭ ତାରିଖରେ ମହାଦେବ ଲେନରେ ଥିବା ଏକ ଲଜ ମାଲିକଙ୍କ ୩ ପରିବାର ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେମାନେ ମେ ୫ ରେ ପଶ୍ଚିମବଙ୍ଗରୁ ଫେରିଥିଲେ। ପରେ ୧୯ ଏବଂ ୫୯ ବର୍ଷ ବୟସ୍କ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପଜିଟିଭ୍ ବାହାରିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆମେ ଏହି ଦୁଇ ରୋଗୀଙ୍କୁ ଆଜି ଭୁବନେଶ୍ୱରକୁ ପଠାଇବୁ।

ସାମାଜିକ ଦୂରତା ନିୟମ ଏବଂ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଦରକାର ନଥିଲେ ଘରୁ ବାହାରକୁ ନଆସିବା ଭଳି ଅନ୍ୟ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ମାଲିକମାନେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରନ୍ତି ତେବେ ଜିଲ୍ଲା ପ୍ରଶାସନ ଦୋକାନ ବନ୍ଦ କରିବ।

Comments are closed.