ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ୧୦ ରୁ ୧୨ କୋଟି ବାତ୍ୟା ର କ୍ଷୟକ୍ଷତି ଆକଳନ କରିଛି କେନ୍ଦ୍ରୀୟ ଟିମ। ୩୬୫ ଟି ପାନବରଜ ଓ ୩୭୮ ଟି ଘର କ୍ଷତିଗ୍ରସ୍ତ ହୋଇଛି।
ପାଖାପାଖି ୮ କୋଟି ଟଙ୍କାର ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି।
ଅମ୍ଫାନ ର କ୍ଷୟକ୍ଷତି ଆକଳନ କରିବାକୁ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ। ଏହି ଗୁରୁବାର ପାରାଦୀପ ନେହେରୁବଙ୍ଗଳା ରେ ରାତ୍ରି ଯାପନ କରିବା ସହିତ ଶୁକ୍ରବାର ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି।
ଏହି ତିନି ଜଣିଆ କେନ୍ଦ୍ରୀୟ ଟିମ ରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ନିର୍ଦେଶକ ଏନ ଆର ଏଲ କେ ପ୍ରସାଦ, ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦେଶକ ସୁରଜ କୁମାର ପ୍ରଧାନ ଥିବା ବେଳେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ର ଅଧିକ୍ଷଣ ଯନ୍ତ୍ରୀ ଅମରିଶ ପଲ ସିଂହ ଏହାର ନେତୃତ୍ବ ନେଉଛନ୍ତି।
ସେମାନେ ପ୍ରଥମେ ନୂଆଗଡ ପଞ୍ଚାୟତ ର ସ୍କୁଲ୍ ପରିସର ପରେ ପାରାଦ୍ବୀପ ଗଡ ପଞ୍ଚାୟତ ର ଚାନ୍ଦିନୀ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରିଥିଲେ।ପରେ ସେମାନେ ଏରସମା ବ୍ଲକ ର ଜପା ପଞ୍ଚାୟତ ଭିତରଅନ୍ଧାରୀ, ଗଡବିଶୁନପୁର, କୁଞ୍ଜକୋଠୀ, ଗଡକୁଜଙ୍ଗ ,ନୂଆଗାଁ ଓ ଢିଙ୍କିଆ ପଞ୍ଚାୟତରେ ପହଞ୍ଚି ଅନୁଧ୍ୟାନ କରିବେ। ପରେ ପାରାଦ୍ବୀପ ଫେରିବା ସହିତ, ଏଠାରୁ ଭୁବନେଶ୍ବର ଫେରି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ର କାର୍ଯ୍ୟକ୍ରମ ରହିଛି।
ଏରସମା ବ୍ଲକରେ ବହୁ ସଂଖ୍ୟାରେ ପାନ ବରଜ ଓ ଗଛ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପ ସଂଖ୍ୟକ ଘର ଅମ୍ଫାନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଅମ୍ଫାନ ରେ ୧୨ କୋଟି ଟଙ୍କା ର କ୍ଷୟକ୍ଷତି ଆକଳନ କରିଛି ଜିଲ୍ଲା ପ୍ରଶାସନ। ତେବେ ବାତ୍ୟା ପରିଚାଳନାରେ ଜିଲ୍ଲା ପ୍ରଶାସନ ଉପରେ କେନ୍ଦ୍ରୀୟ ଟିମ ଖୁସି ବ୍ୟକ୍ତ କରିଛନ୍ତି।
Comments are closed.