କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ଯେତେବେଳେ ଭାରତ ସରକାର ନକ୍ସଲବାଡି ଆଂଦୋଳନର ଅନ୍ୟତମ ତୁଙ୍ଗ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ଦେବାକୁ ଜାଲ ବିଛାଉଥିଲେ, ସେତେବେଳେ ତାଙ୍କୁ ନିଜର ପଣତ ତଳେ ଯିଏ ମା’ର ଆଶ୍ରୟ ଦେଇ ଘୋଡେଇ ରଖିଥିଲେ, ସେ ଥିଲେ ଭାରତୀୟ ସ୍ଵାଧୀନତା ଆଂଦୋଳନର ବହ୍ନିକନ୍ୟା ମାଳତି ଚୌଧୁରି। ନାଗଭୂଷଣଙ୍କୁ ଷାଠିଏ ଦଶକରେ ନବକୃଷ୍ଣ ଚୌଧୁରୀ ଏବଂ ମାଳତି ଚୌଧୁରୀ ନିଜ ଅବୁଝା ପୁଅ ବୋଲି କହି ସୁରକ୍ଷା ଦେଇଥିଲେ। ନବ ବାବୁ ଏବଂ ମାଳତି ଦେବୀ ଥିଲେ ଗାନ୍ଧୀବାଦର ଅନୁଗାମୀ, ତାର ବିପରୀତରେ ନାଗଭୂଷଣ ଥିଲେ ସଶସ୍ତ୍ର ଆନ୍ଦୋଳନରେ ବିଶ୍ଵାସୀ କଠୋର ସାମ୍ୟବାଦୀ। ରାଷ୍ଟ୍ର ବିରୋଧରେ ଷାଠିଏ ଦଶକରେ ପଶ୍ଚିମ ବଙ୍ଗ ଓ ତେଲେଙ୍ଗାନାରେ ଆରମ୍ଭ ହୋଇଥିବା ସଶସ୍ତ୍ର ନକ୍ସଲବାଡି ଆଂଦୋଳନର ବନ୍ଧୁକଧାରୀ ନାଗଭୂଷଣ ପଟ୍ଟନାୟକଙ୍କ ଆଗରେ ଗାନ୍ଧୀଙ୍କର ଦୁଇ ଶିଷ୍ୟ ଓ ଶିଷ୍ୟା ଢାଲ ହୋଇ ଛିଡା ହୋଇଥିଲେ କାହିଁକି? ଏ ପ୍ରସଙ୍ଗ ଆଜି ଏକ ଭୌତିକ ଗପ ଭଳି ଲାଗିପାରେ। ଆଜିର ତାରିଖରେ ହୁଏତ ନବକୃଷ୍ଣ ଚୌଧୁରୀ ଓ ମାଳତି ଦେବୀଙ୍କୁ ‘ଦେଶଦ୍ରୋହୀ’ କୁହା ଯାଉଥାନ୍ତା। ଦେଶ ଲାଗି ସାରା ଜୀବନ ଉତ୍ସର୍ଗ କରିଥିବା ଚୌଧୁରୀ ଦମ୍ପତ୍ତି ଜାଣିଥିଲେ ଯେ, ନାଗଭୂଷଣ ହୁଏତ ଯେଉଁ ପନ୍ଥା ବାଛିଛନ୍ତି ସେ ଭୁଲ, ହେଲେ ଦେଶ ପ୍ରତି ଓ ଦେଶର ଖଟିଖିଆ ମଣିଷ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଶ୍ନାତୀତ।
ନାଗଭୂଷଣ ପଟ୍ଟନାୟକ ଓ ଚୌଧୁରୀ ଦମ୍ପତ୍ତିଙ୍କ କଥା କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଆଜି ନାଗଭୂଷଣ ପରମ୍ପରାର ଅନ୍ତିମ ଦୀପଟି ସବୁଦିନ ପାଇଁ ଲିଭିଗଲା। ଷାଠିଏ ଦଶକରେ ଗଜପତି ମହା ବିଦ୍ୟାଳୟରେ ଛାତ୍ରମାନଙ୍କୁ କେମେଷ୍ଟ୍ରି ପଢାଉଥିବା ଓ ହଲିଉଡ ନାୟକର ଠାଣି ଥିବା ଅଧ୍ୟାପକ ଜଣକ ଯେତେବେଳେ ଆନ୍ଧ୍ର-ଓଡିଶା ସୀମାନ୍ତରେ ଚାଲିଥିବା ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ, ତାହା ଥିଲା ସେ ସମୟର ଏକ ଚାଞ୍ଚଲ୍ୟକର ଖବର। ସେ କାହାଣୀର ନାୟକ ଥିଲେ ଗଣନାଥ ପାତ୍ର। ସ୍ଵାଧୀନ ଭାରତରେ ଉଜୁଡି ଯାଉଥିବା ସ୍ବାଧିନତାର ସ୍ଵପ୍ନ ଏବଂ ଗରିବ ମଣିଷର ଶୋଷଣ କାହାଣୀ ସେତେବେଳେ ଗଣନାଥଙ୍କ ପରି ଅନେକ ଯୁବକଙ୍କୁ ବିପ୍ଳବୀ ହେବାକୁ ବାଧ୍ୟ କରିଥିଲା। ନକ୍ସଲବାଡି ଆଂଦୋଳନର ନେତା ଚାରୁ ମଜୁମଦାର ଓ କାହ୍ନୁ ସାନ୍ୟାଲଙ୍କ ନେତୃତ୍ବରେ ସେତେବେଳେ ଶହ ଶହ ପ୍ରତିଭାବାନ ଯୁବକ ନିଜ ଜୀବନକୁ ବାଜି ଲଗାଇ ନକ୍ସଲ ସାଜିଥିଲେ।
ସେ ଆନ୍ଦୋଳନ ହୁଏତ ଗୋଟେ ସ୍ଵପ୍ନ ଇ ଥିଲା। ସେ ସ୍ଵପ୍ନ ଭାଙ୍ଗିଗଲା। ନକ୍ସଲ ଆନ୍ଦୋଳନରୁ ଅନେକ ନେତା ଓ କର୍ମୀ ପରବର୍ତ୍ତୀ ସମୟରେ ମୁଖ୍ୟଧାରାର ରାଜନୀତିକୁ ଆସିଲେ। ଗଣନାଥ ପାତ୍ର ମଧ୍ୟ ସଶସ୍ତ୍ର ଆନ୍ଦୋଳନକୁ ଛାଡି ଗଣତାନ୍ତ୍ରିକ ଆଂଦୋଳନର ରାସ୍ତାକୁ ବାଛିଲେ। ହେଲେ ତାଙ୍କ ଉପରେ ରାଷ୍ଟ୍ର ଓ ପୁଲିସର ସନ୍ଦେହ ଆଜୀବନ ରହିଥିଲା। ଆଉ ତାହା ହିଁ ଗଣନାଥ ପାତ୍ରଙ୍କ ଜୀବନର ସିଦ୍ଧି। ସେ ଥିଲେ ସାରା ଜୀବନ କ୍ଷମତାର ପ୍ରତିପକ୍ଷ। ରାଷ୍ଟ୍ରର ଦମନ ଓ ଶୋଷଣ ବିରୋଧରେ ଠିଆ ହୋଇ ବାରମ୍ବାର ନିର୍ୟାତନା ଏବଂ କାରାଦଣ୍ଡ ଭୋଗିଥିବା ଗଣନାଥ ପାତ୍ର ଗତ ଜୁନ ୬ ତାରିଖରେ ରାଉରକେଲାରେ ଚାଲିଗଲେ। ତାଙ୍କ ମୃତ୍ୟୁ ଖବର ହୁଏତ ଓଡିଶାର ଗଣମାଧ୍ୟମ ଲାଗି ଖବର ଇ ନଥିଲା। ହେଲେ ଓଡିଶାର ଜନ ଆଂଦୋଳନର ଇତିହାସରେ ଗଣନାଥ ପାତ୍ର ଗୋଟେ ଖବର ନୁହନ୍ତି, ସେ ଲକ୍ଷ ଲକ୍ଷ ସାଧାରଣ-ଶୋଷିତ ମଣିଷର ମହାନାୟକ।
ଅଧିକ ପଢନ୍ତୁ: ହଜି ହଜି ଯାଉଥିବା ଓଡିଆ ଗାଁ’ର ଜୀବନ ଓ ସୃଜନ…
ମୁଖ୍ୟଧାରାର ରାଜନୀତିରେ ଯୋଗ ଦେବାପରେ ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆଂଦୋଳନର ସେ ଥିଲେ ସୂତ୍ରଧର। ରାଜ୍ୟର ସବୁଠୁ ଉର୍ବର ଜମିରେ ଲକ୍ଷାଧିକ ଲୋକଙ୍କୁ ଉଦବାସ୍ତୁ କରି କଂଗ୍ରେସ ସରକାରର ଏହି କ୍ଷେପଣାସ୍ତ୍ର ଘାଟି ପ୍ରକଳ୍ପକୁ ବିରୋଧ କରି ଯେଉଁ ବିରାଟ ଜନ ଆନ୍ଦୋଳନ ଗଢି ଉଠିଥିଲା ତାର ମୁଖ୍ୟ ସଂଗଠକ ଥିଲେ ଗଣନାଥ। ଏହି ଆନ୍ଦୋଳନକୁ ସେତେବେଳେ ନୈତିକ ସମର୍ଥନ ଦେଇଥିଲେ ସେତେବେଳେ ଓଡିଶାର ବିରୋଧୀଦଳ ନେତା ବିଜୁ ପଟ୍ଟନାୟକ। ବିଜୁ ବାବୁଙ୍କର ନକ୍ସଲ ଆଂଦୋଳନର ପୁରୁଣା କର୍ମୀମାନଙ୍କ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ନବେ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁ କହୁ କହି ଦେଇଥିଲେ, “ନକ୍ସଲ ମୋର କଣ କରିବେ, ମୁଁ ନିଜେ ପରା ନକ୍ସଲ”। ବାଲିଆପାଳ ଜନ ଆନ୍ଦୋଳନ ସଫଳ ହୋଇଥିଲା। ଜନମତର ବିଜୟ ପଛରେ ଗଣନାଥ ପାତ୍ରଙ୍କର ତ୍ୟାଗ ଓ ସଂଗଠନ କଥା ଆଜି ବୋଧେ କାହାର ଆଉ ମନେ ନାହିଁ ! !
କୋରାପୁଟ ଜିଲ୍ଲାର ନାରାୟଣ ପାଟଣାରେ ଆଦିବାସୀଙ୍କର ଜମି ଅଧିକାରକୁ ନେଇ ଗଣନାଥ ପାତ୍ର ପ୍ରାୟ ୨୦ ବର୍ଷ ସଂଘର୍ଷ କରିଛନ୍ତି। ଚାଷୀ ମୂଲିଆ ଆଦିବାସୀ ସଂଘର ଯେଉଁ ଦୀର୍ଘ ସଙ୍ଘର୍ଷ ସେଥିରେ ଅନେକ ସମସ୍ୟା ଓ ସଙ୍କଟ ଆସିଛି। ଏହି ଆନ୍ଦୋଳନକୁ ମାଓବାଦୀଙ୍କ ସହିତ ଯୋଡିବାର ଉଦ୍ୟମ ରାଜ୍ୟ ସରକାର କରିଛନ୍ତି। ପରିଣତ ବୟସରେ ଗଣନାଥଙ୍କୁ ପୁଣିଥରେ ଜେଲ କୁ ପଠା ଯାଇଛି। ଜେଲ ରେ ରହି ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଛି ଓ ପରିଶେଷରେ ତାହା ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଛି।
ଅଗ୍ନିପଥରେ ଚାଲିଲେ ପାଦ ପୋଡେ। ଜ୍ଵଳନ ଓ ଦହନ ଜୀବନର ସାଥି ପାଲଟନ୍ତି। ଗଣନାଥ ପାତ୍ରଙ୍କ ଜୀବନରେ ଏହି ନିଆଁ ର ରାସ୍ତା ବା ଅଗ୍ନିପଥ ଇ ଥିଲା ଏକମାତ୍ର ସତ୍ୟ। ଆମ ସମୟରେ ଆଉ ଗଣନାଥ ପାତ୍ରଙ୍କ ଭଳି ନାୟକ ତିଆରି ହେବେନାହିଁ। ବ୍ୟକ୍ତିଗତ ଭାବରେ ମୋର ଗୋଟେ ଚେହେରା ସବୁବେଳେ ମନେ ରହିବ। ଜଣେ ଲେଖକ ବା ସାମ୍ବାଦିକ ଭାବେ ତାଙ୍କୁ ମୁଁ କେବେ ଭେଟିନି। ମୋତେ ସବୁବେଳେ ଭଲ ଲାଗେ ଗଣନାଥ ପାତ୍ରଙ୍କ ଭିତରେ ଥିବା ଗାୟକ ଜଣକ। ଯେଉଁ ସଭାରେ ଭାଷଣ ଦେଲେ ବି କବିତା ଆବୃତ୍ତି କରିବା ନଚେତ ଗୀତ ଗାଇବା ତାଙ୍କର ଅଭ୍ୟାସ। ମୋତେ ତାଙ୍କର ସେହି ଗୀତ ଗାଇବାର ତନ୍ମୟ ଭାବଟି ବହୁତ ଭଲ ଲାଗେ।
ଗଣନାଥ ପାତ୍ରଙ୍କ ଜୀବନ ଓ ରାଜନୀତିରେ ଶହେ ଉପନ୍ୟାସର କାହାଣୀ ମିଳି ପାରିଥାନ୍ତା। ହେଲେ ତାଙ୍କୁ ଭେଟି ତାଙ୍କ ଜୀବନ କାହାଣୀ ଆମେ କେହି ଲେଖି ପାରିଲୁ ନାହିଁ। ନିଆଁର ରାସ୍ତାରେ ଗଣନାଥ ପାତ୍ରଙ୍କ ଜୀବନ କାହାଣୀ ବି ଜଳି ଗଲା, ତାହା ଏ ଜାତିର ଇତିହାସ ପାଇଁ ଏକ ବିରାଟ କ୍ଷତି।
Comments are closed.