Latest Odisha News

ପାଲା ଦୁନିଆର ଆକର୍ଷଣୀୟ ବ୍ୟକ୍ତିତ୍ୱ; ଶଙ୍କର ପଣ୍ଡା

ଭୁବନେଶ୍ୱର: ପାଲା ଜଗତର ଅମ୍ଳାନ ପ୍ରତିଭା ଶଙ୍କର ପଣ୍ଡା । ଆକର୍ଷଣୀୟ ଚେହେରା ସାଙ୍ଗକୁ ଶ୍ରୁତିମଧୁର କଣ୍ଠସ୍ୱର ଏବଂ ପ୍ରଚଣ୍ଡ ଜ୍ଞାନ ତାଙ୍କୁ ପାଲା ଦୁନିଆଁରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା ।

୧୯୪୫ ମସିହାରେ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାର ତଣ୍ଡାଳ ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଶଙ୍କର ଜନ୍ମ ଗ୍ରହଣ କରିଥିଲେ । ବାପା ରଘୁନାଥ ପଣ୍ଡା ଏବଂ ମାଆ ପଦ୍ମାବତୀ ପଣ୍ଡା । ସଂକ୍ରାନ୍ତିରେ ଜନ୍ମଲାଭ କରିଥିବାରୁ ବାପା ନାମ ରଖିଥିଲେ ଶଙ୍କର । ନିଜ ଗ୍ରାମରେ ବାଲ୍ୟଶିକ୍ଷା ସମାପ୍ତି ପରେ ବେଗୁନିଆରେ ସେ ହାଇସ୍କୁଲ ଶିକ୍ଷା ଗ୍ରହଣ କଲେ । ଶଙ୍କର ଜଣେ ମେଧାବୀ ଛାତ୍ର ଥିଲେ । ସପ୍ତମ ଶ୍ରେଣୀରେ ସେ ସରକାରୀ ବୃତ୍ତି ପାଇ ହାଇସ୍କୁଲକୁ ଯାଇଥିଲେ ।

ପିଲାଟି ଦିନରୁ ଶଙ୍କରଙ୍କର ଲୋକକଳା ପ୍ରତି ଗଭୀର ଆକର୍ଷଣ ସୃଷ୍ଟି ହୋଇଥିଲା । ପ୍ରଥମେ ସେ ଦାସକାଠିଆ ଶିଖି ପୁରପଲ୍ଲୀରେ ପରିବେଷଣ କରିଥିଲେ । କିନ୍ତୁ ଏଥିରେ ତାଙ୍କର ମନ ମାନିନଥିଲା । ସେ ଜଣେ ପାଲା ଗାୟକ ହେବାକୁ ସ୍ଥିର କଲେ । ଏହା ମଧ୍ୟରେ ତାଙ୍କର ବିବାହ ଚକାପଦାର ନବକିଶୋର ପଣ୍ଡାଙ୍କର ଜ୍ୟେଷ୍ଠା କନ୍ୟା ସୁଷମା ପଣ୍ଡାଙ୍କ ସହିତ ଅନୁଷ୍ଠିତ ହୋଇଯାଇଥିଲା ।

ପାଲା ଶିଖିବାର ଝୁଙ୍କରେ ଶଙ୍କର ଜଣେ ପ୍ରତିଷ୍ଠିତ ଗୁରୁ ସନ୍ଧାନରେ ବାହାରିଥିଲେ । ସେ ସମୟରେ କଣ୍ଟାବାଡ ଗ୍ରାମର ସୁପ୍ରସିଦ୍ଧ ଗାୟକ ନରୋତ୍ତମ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଲେ । ତାଙ୍କୁ ହିଁ ଗୁରୁ କରିବାକୁ ସ୍ଥିର କଲେ । ଯୁକ୍ତ ଦୁଇରେ ପଢୁଥିବା ବେଳେ ସେ ନରୋତ୍ତମ ମହାପାତ୍ରଙ୍କଠାରୁ ଚାମର ଗ୍ରହଣ କରି ପାଲା ଶିକ୍ଷା ଆରମ୍ଭ କଲେ ।

ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରେ ସ୍ନାତକ ଶିକ୍ଷା ସମାପ୍ତି ପରେ ସେ ଓଡିଶା ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, ଭୁବନେଶ୍ୱରରେ ଚାକିରିରେ ଯୋଗଦେଲେ । ଗୋଟିଏ ବୃତ୍ତି ଆଉ ଅନ୍ୟଟି ବ୍ରତ, ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖି ଆଗେଇ ଚାଲିଲେ ଶଙ୍କର ପଣ୍ଡା ।

୧୯୬୯ ମସିହାରେ ଶଙ୍କର ଗୁରୁଙ୍କଠାରୁ ଆଶୀର୍ବାଦ ନେଇ ପ୍ରଥମ ପାଲା ପରିବେଷଣ କରିଥିଲେ, ଏହା ପରଠାରୁ ସେ ଆଉ ପଛକୁ ଫେରିନଥିଲେ । ଓଡିଶୀ, ଛାନ୍ଦ, ଚଉପଦୀ, ଚମ୍ପୂ ଓ ବିଭିନ୍ନ ରାଗରାଗିଣୀରେ ପାଲା ପରିବେଷଣ କରିବାରେ ସେ ଥିଲେ ବେଶ୍ ପ୍ରବୀଣ । ରାଜ୍ୟର ପୁରପଲ୍ଲୀରେ ସେ ପାଲା ପରିବେଷଣ କରି ଜନମାନସକୁ କିଣିନେଇଥିଲେ । ଥରେ ଯେଉଁ ମଞ୍ଚକୁ ସେ ପାଲା ପରିବେଷଣ କରିବାକୁ ଯାଆନ୍ତି, ସେଠାରୁ ବାରମ୍ବାର ଅନୁରୋଧ ଆସେ ଯିବା ପାଇଁ ।

ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ପରେ ସେ ପାଲାରେ ବିଷୟବସ୍ତୁ ସହ ଆଧ୍ୟାତ୍ମିକାର ପ୍ରବେଶ କରାଇଥିଲେ । ବିଶେଷ କରି ଗୀତା, ଭାଗବତ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ପାଲାରେ ସ୍ଥାନ ଦେଇଥିଲେ । ରାଜ୍ୟର ଅନେକ ପାଲା ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ବହୁ ସମ୍ମାନ, ପୁରସ୍କାର ଏବଂ ଉପାଧି ପ୍ରଦାନ କରାଯାଇଥିଲା ।

୨୦୦୩ ମସିହାରେ ଶଙ୍କର ପଣ୍ଡା ଚାକିରି ଜୀବନରୁ ଅବସର ଗ୍ରହଣ କରିବା ପରେ ପାଲା ପ୍ରତିି ସମ୍ପୂର୍ଣ୍ଣ ସମର୍ପିତ ହୋଇଥିଲେ, କିନ୍ତୁ ଏହା ବେଶୀଦିନ ସମ୍ଭବ ହୋଇନଥିଲା । ୨୦୦୭ ମସିହା ଜନ୍ମାଷ୍ଟମୀର ପବିତ୍ର ଅବସରରେ ସାମାନ୍ୟ ଅସୁସ୍ଥ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏହି ଯୋଗଜନ୍ମା ଗାୟକ । ଆଜି ତାଙ୍କର ପାର୍ଥୀବ ଶରୀର ନାହିଁ ସତ ହେଲେ ତାଙ୍କର ଅମୃତ ସ୍ୱର ଏବେବି ପାଲାପ୍ରେମୀଙ୍କ ହୃଦୟରେ ଝଙ୍କୃତ ହେଉଛି ।

 

Leave A Reply

Your email address will not be published.