Latest Odisha News

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ତେଣୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।

ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଗୁରୁବାର ସକାଳୁ ବ୍ରତଧାରୀ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ସମଗ୍ର ପୁରୀ ସହରର ବିଭିନ୍ନ ସ୍ଥାନମାନଙ୍କରେ ହବିଷ୍ୟାଳୀମାନେ ଶ୍ରୀରାଧା ଦାମୋଦର ପୂଜାର୍ଚ୍ଚନା କରିବା ନେଇ ପୂର୍ବରୁ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ହବିଷ୍ୟାଳୀମାନେ ଆଜିଠୁ ତୁଳସୀ ମୂଳରେ ଶ୍ରୀରାଧା ଦାମୋଦରଙ୍କୁ ପୂଜା ଉପାସନା କରିବା ସହିତ ବ୍ରତ ସମୟରେ ଉପବାସ କରିବେ ।

ପୁରୀରେ ହବିଷ୍ୟାଳୀଙ୍କ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ହବିଷ୍ୟାଳୀଙ୍କ ସୁବିଧା ନିମନ୍ତେ ସେମାନଙ୍କର ରହିବା, ଖାଇବା ତଥା ଶ୍ରୀମନ୍ଦିରକୁ ବ୍ରତ ସମୟରେ ଶ୍ରୀଜୀଉମାନଙ୍କୁ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିଲାଗି ପୂର୍ବରୁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସହିତ ହବିଷ୍ୟାଳୀଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନ ଏନେଇ ବେଶ୍ ତତ୍ପରତା ପ୍ରକାଶ କରିବା ସହିତ ହବିଷ୍ୟାଳୀଙ୍କ ବିଭିନ୍ନ ଆନୁଷଙ୍ଗିକ ସୁବିଧା ଲାଗି ରେଲୱେ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଶ୍ରୀଜଗନ୍ନାଥବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ସହିତ ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପଠାରେ ସ୍ୱତନ୍ତ୍ର ହବିଷ୍ୟାଳୀ କେନ୍ଦ୍ରମାନ ଖୋଲା ରହିଛି ।

ଏହି କାର୍ତ୍ତିକ ମାସ ଆରମ୍ଭରେ ହବିଷ୍ୟ ବ୍ରତଧାରିଣୀମାନେ ବଡ଼ି ଭୋରରୁ ସ୍ନାନ ଶୌଚ ସମାପ୍ତ କରିବା ପୂର୍ବକ ଏକ ସଂକଳ୍ପ କରି ଶ୍ରୀରାଧା ଦାମୋଦରଙ୍କ ବ୍ରତ ଆରମ୍ଭ କରିଥାଆନ୍ତି । ଏହାପରେ ତୁଳସୀ ଚଉଁରା ମୂଳରେ ସମସ୍ତ ବ୍ରତଧାରୀ ସାମୁହିକ ଭାବେ ଏକତ୍ରିତ ହୋଇ ଧର୍ମ ପୁସ୍ତକ ପାଠ କରିଥାଆନ୍ତି । ଚଉଁରା ମୂଳରେ ଆଧ୍ୟାତ୍ମିକତାର ସହିତ ପୂଜାର୍ଚ୍ଚନା କରିବାର ବିଧି ପାଳନ କରିଥାଆନ୍ତି ସମସ୍ତ ହବିଷ୍ୟାଳୀ । ଏହି ପରିପ୍ରେକ୍ଷୀରେ ହବିଷ୍ୟାଳୀମାନେ ଦେହରେ ଏବଂ ମଥାରେ ଚିତା ଚନ୍ଦନ ତିଳକ ଲଗାଇବାର ପରମ୍ପରା ରହିଛି ।

Leave A Reply

Your email address will not be published.