Latest Odisha News

BREAKING NEWS

କଂଗ୍ରେସ କରୁଛି କଣ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ସତରେ କଂଗ୍ରେସ କରୁଛି କଣ? ଏ ପ୍ରଶ୍ନ ଏବେ ବାରବାର ସାମ୍ନାକୁ ଆସଛି, ତାହା ପୁଣି ଜୋରଦାର ଢଙ୍ଗରେ । ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଘଟଣା ପରେ ଏହାର ପ୍ରାସଙ୍ଗିକତା ଆହୁରି ବଢି ଯାଇଛି । ଯେଉଁ ଢଙ୍ଗରେ ଜାତୀୟସ୍ତରରେ ପ୍ରତିଷ୍ଠିତ ଯୁବ ନେତାମାନଙ୍କୁ ଅଣଦେଖା କରାଯାଉଛି ଓ ଯେଉଁ ଢଙ୍ଗରେ ସେଇ ପୁରୁଣା, ପୁରୁଖା ନେତାମାନେ ପ୍ରଧାନ୍ୟ ପାଉଛନ୍ତି, ତାହା ପ୍ରମାଣିତ କରୁଛି- କଂଗ୍ରେସ ଭିତରେ ସବୁକିଛି ଠିକ ଚାଲିନାହିଁ । ଦଳରେ ମୂଳରୁ ଶେଷ ପର୍ଯ୍ୟନ୍ତ ପରିବର୍ତ୍ତନ ଲୋଡ଼ା ।

ଉଭୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ୍‍ କଂଗ୍ରେସର ଏଇ ପୀଢିର ନେତୃତ୍ୱ ମଧ୍ୟରେ ସବୁଠାରୁ ଦକ୍ଷ ଓ ବୁଦ୍ଧିସଂପନ୍ନ ଥିଲେ । କିନ୍ତୁ ଦଳ ସେମାନଙ୍କୁ ଅଣଦେଖା କଲା । ରାଜସ୍ଥାନ ଓ ମଧ୍ୟ ପ୍ରଦେଶ କଥା ତ ଏବେ ହାଟରେ ଚର୍ଚ୍ଚାର ବିଷୟ । ପୁଣି ଦଳରୁ ବାହାର ବି କରି ଦିଆଗଲା । ଫଳରେ ଦଳ ଉଭୟ ରାଜ୍ୟରେ ଓ ଜାତୀୟସ୍ତରରେ ଭଲ ନେତୃତ୍ୱକୁ ହରେଇଲା ବୋଲି ନିଦ୍ୱର୍ଦ୍ୱରେ କହିହେବ ।

ରାହୁଳ ଗାନ୍ଧି କଂଗ୍ରେସର ନେତୃତ୍ୱ ନେବେ କି ନ ନେବେ, ଆଜି ପର୍ଯ୍ୟନ୍ତ ଠିକ କରିପାରୁ ନାହାନ୍ତି । ସେମିତି ତାହା ଝୁଲିକି ରହିଛି ଓ ସୋନିଆ ଗାନ୍ଧି କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଉଛନ୍ତି । ନେତୃତ୍ୱ ପ୍ରତି ରାହୁଳଙ୍କ ଅନ୍ୟମନସ୍କତା କାରଣରୁ କଂଗ୍ରେସ ଅନେକ ପ୍ରସଙ୍ଗରେ ପଛେଇ ଯାଇଛି । ଜାତୀୟସ୍ତରର ବହୁ ପ୍ରସଙ୍ଗ ଲୋକମାନଙ୍କ ସାମ୍ନାକୁ ଆଣିପାରୁ ନାହିଁ । ତେଣୁ ଯଦି ରାହୁଳ ନେତୃତ୍ୱ ନେବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ଯେଉଁ ଦୁଇ ଜଣ କଂଗ୍ରେସର ନେତୃତ୍ୱ ନେବା ପାଇଁ ଅନେକଙ୍କର ପସନ୍ଦ ହେବେ, ସେମାନେ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ୍‍ । କିନ୍ତୁ ଉଭୟ ଏବେ ଦଳରେ ନାହାନ୍ତି।

ସିନ୍ଧିଆ ବିଜେପିର ରାଜ୍ୟସଭା ସାଂସଦ ହୋଇ ସାରିଥିବା ବେଳେ ପାଇଲଟ୍‍ ଦଳରୁ ବାହାରି ସାରିଛନ୍ତି । ଯୋଗ୍ୟ ଲୋକ ଦଳରୁ ବାହାରି ଗଲେ, ଦଳର ହିଁ କ୍ଷତି ହୁଏ । ଅବଶ୍ୟ ଉଭୟେ ଦଳରୁ ବାହାରି ଗଲା ପରେ କାହାରି ନା କାହାରି ବ୍ୟକ୍ତିଗତ ଲାଭ ହୋଇପାରି ଥିବ । କିନ୍ତୁ ବେଶି କ୍ଷତି ଦଳ ସହିଲା । ଆଉ ଦଳ ଏମିତି ଦକ୍ଷ ଲୋକ ହାତରେ ରହିଥିଲେ, ଜାତୀୟସ୍ତରରେ କଂଗ୍ରେସ ବହୁ ଆଗକୁ ଯାଇ ପାରନ୍ତା । କଂଗ୍ରେସରେ ନେତୃତ୍ୱ ଅଭାବରୁ ହିଁ ଦଳ କ୍ଷତି ସହୁଛି ଓ ଦିଗହରା ହୋଇ ଆଗେଇ ଚାଲୁଛି । ଯାହାର ସିଧା ଫାଇଦା ବିଜେପି ପାଖକୁ ଯାଉଛି ।

ସେମିତି ବି ଓଡ଼ିଶାରେ କଂଗ୍ରେସ ଦଳର ଅବସ୍ଥା । ରାଜ୍ୟ ଏବେ କରୋନା ଲଢେଇରେ ପଶିଛି । କିନ୍ତୁ ରାଜ୍ୟ କଂଗ୍ରେସର ନେତାମାନେ ପିସିସି ସଭାପତି ପାଇଁ ପୁଣି କସରତ ଆରମ୍ଭ କଲେଣି । ଏକାଠି ହୋଇ ମେଳି ବାନ୍ଧି ନିରଂଜନ ପଟ୍ଟନାୟକଙ୍କୁ ହଟେଇବା ପାଇଁ ରାଜନୀତି ଓଡ଼ିଶାରେ ଜୋରଦାର ହେଲାଣି ବୋଲି ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏବେ ଅନେକ ପ୍ରସଙ୍ଗ ରହିଛି, ଯାହାକୁ କଂଗ୍ରେସ ଧରି ଲୋକଙ୍କ ପାଖରେ ପହଞ୍ଚି ପାରନ୍ତା । କିନ୍ତୁ କଂଗ୍ରେସ ନା ସେସବୁକୁ ଧରୁଛି ନା କ୍ଷମତାସୀନ ବିଜେଡ଼ି ବିରୋଧରେ କିଛି ଲଢେଇ କରିବାକୁ କେବେ ବି ପ୍ରସ୍ତୁତ ହେଉଛି ।

ମାଲକାନଗିରି ଜିଲ୍ଲାରେ ପୁଲିସ କର୍ମଚାରୀଙ୍କ ଦ୍ୱାରା ଆଦିବାସୀ ମହିଳାଙ୍କୁ ଧର୍ଷଣ ଓ ପରେ ତାଙ୍କ ମୃତ୍ୟୁ ଅଭିଯୋଗ, କ୍ରମାଗତ ଭାବେ ବଢି ଚାଲିଥିବା ତେଲ ଦର, କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତା, କରୋନା ସମୟରେ ସାମଗ୍ରୀ କିଣାରେ ହେରାଫେରି, ପୁରୁଣା ଅବସରପ୍ରାପ୍ତ ଲୋକଙ୍କୁ ପୂର୍ଣ୍ଣ ଦରମାରେ ପୁନଃ ନିଯୁକ୍ତି ଆଦି ହଜାରେ ପ୍ରସଙ୍ଗ ରହିଛି । କିନ୍ତୁ କଂଗ୍ରେସ ପାଖରେ ସେସବୁକୁ ଧରି ଲଢିବା ପାଇଁ ସମୟ ନାହିଁ । ବରଂ ଋତୁକାଳୀନ ରୋଗ ପରି କଂଗ୍ରେସ ନେତାଏ ଚିରାଚରିତ ଭାବେ ପିସିସି ସଭାପତି ବଦଳେଇବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି । ଯେମିତି- ପିସିସି ସଭାପତି ବଦଳି ଗଲେ, କଂଗ୍ରେସରେ ବୋଧେ ନୂଆ ଜୋଶ ଆସିଯିବ!

ଗୋଟିଏ ପରେ ଗୋଟିଏ ମୁଖ୍ୟ ପ୍ରସଙ୍ଗକୁ କଂଗ୍ରେସ ହାତଛଡ଼ା କରି ଦେଉଛି । ଫଳରେ ଫାଇଦାରେ ରହୁଛି ବିଜେଡ଼ି । କୌଣସି ପ୍ରସଙ୍ଗକୁ ଲଢେଇରେ ପରିଣତ କରିବା ପର୍ଯ୍ୟନ୍ତ କଥା ହିଁ ଯାଉନି । ଗୋଟିଏ ଯୋଡ଼ିଏ ସାମ୍ବାଦିକ ସମ୍ମିଳନୀରେ ଯଦି କୌଣସି ଦଳ ଚାଲୁ ଥାଆନ୍ତା, ତେବେ ଦିଲ୍ଲୀ କି ଭୁବନେଶ୍ୱରରେ କେବଳ ସାମ୍ବାଦିକ ସମ୍ମିଳନୀ ହିଁ ଆୟୋଜିତ ହେଉ ଥାଆନ୍ତା ।

ଜାତୀୟ ସ୍ତରରେ ଯେଉଁ ଅବସ୍ଥା, ରାଜ୍ୟରେ ସ୍ଥିତି ଆହୁରି ଭୟାନକ । ବହୁ ଗୋଷ୍ଠୀରେ ବିଭକ୍ତ କଂଗ୍ରେସ କେବେ ବି ଏକାଠି ହୋଇ ଲଢିବା କଥା ସାମ୍ନାକୁ ଆସୁନି । ଯେମିତି ହେଲେ କିଏ ନା କିଏ କାହା ବିରୋଧରେ କିଛି ବୟାନ ଦେଉଛନ୍ତି । ଯେତେବେଳ ପର୍ଯ୍ୟନ୍ତ ମିଳିମିଶି ଲଢି ନଥିବେ ଓ ଏକାଠି ହୋଇ ନଥିବେ ଓ ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ି ରାଜ୍ୟର ସ୍ୱାର୍ଥ ଓ ଲୋକଙ୍କ ସ୍ୱାର୍ଥକୁ ନ ଜଗିଥିବେ, ସେ ପର୍ଯ୍ୟନ୍ତ ଲୋକଙ୍କ ଆଶା ଓ ଭରସା ଫେରିବା କଷ୍ଟକର ହୋଇ ପଡ଼ିବ ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.