Latest Odisha News

BREAKING NEWS

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ‘ପୂର୍ବୋଦୟ’ ଅଧୀନରେ ସ୍ଥାନୀୟ ଉଦ୍ୟୋଗଙ୍କ ନିମନ୍ତେ ସ୍ଵତନ୍ତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ସ୍ଥାନୀୟ ଉଦଦ୍ୟୋଗ ଗୁଡିକରେ ଇସ୍ପାତ ଉପଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସ୍ଵତନ୍ତ୍ର ପ୍ରୋତ୍ସାହନ ଯୋଜନା ‘ଇସ୍ପାତି ଇଲାକୋ କା ବିକାଶ: ସେଲ କେ ସାଥ’ର ଶୁଭାରମ୍ଭ କରିଛି।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ପୂର୍ବୋଦୟ ରାଜ୍ୟଗୁଡିକରେ ଅର୍ଥନୈତିକ କାର୍ଯ୍ୟକାରୀ ତ୍ୱରାନ୍ୱିତ କରିବା ତଥା ପ୍ରାକୃତିକ ସମ୍ପଦରେ ଭରପୁର ଏହି ରାଜ୍ୟଗୁଡିକୁ ସାମାଜିକ ଅର୍ଥନୈତିକ ବିକାଶ ହାସଲ ନିମନ୍ତେ ପ୍ରକୃଷ୍ଟ ଭିତ୍ତିଭୂମି ଯୋଗାଇଦେବା ନିମନ୍ତେ ‘ପୂର୍ବୋଦୟ’ ଯୋଜନାର ଆରମ୍ଭ କରିଛନ୍ତି।

ତଦନୁଯାୟୀ ସେଲ ‘ଇସ୍ପାତି ଇଲାକୋ କା ବିକାଶ: ସେଲ କେ ସାଥ’ର ଶୁଭାରମ୍ଭ କରିଛି ଯାହା ଏହାର ଏକୀକୃତ ଇସ୍ପାତ କାରଖାନାଗୁଡିକ ଥିବା ଜିଲ୍ଲାଗୁଡିକରେ ସ୍ଥିତ ଏମଏସଏମଇଗୁଡିକୁ ସୁଲଭ ମୂଲ୍ୟରେ ଇସ୍ପାତ ଉପଲବ୍ଧ କରାଇବା ସେଗୁଡିକୁ ମୂଲ୍ୟ ଆଧାରିତ ତଥା ଅଣମୂଲ୍ୟ ଆଧାରିତ ଭିତ୍ତିରେ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି ।

ମୂଲ୍ୟ ଆଧାରିତ ଯୋଜନା ଅନ୍ତର୍ଗତ ଏମଏସଏମଇଗୁଡିକ ଟନ ପିଛା ୧୦୦ ଟଙ୍କା ବିତରଣ ବାବଦରେ ଲାଭ କରିବେ ଏବଂ ସ୍ଥାନୀୟ ୱେରହାଉସରୁ ଯୋଗାଣ କ୍ଷେତ୍ରରେ ଟନ ପିଛା ଅତିରିକ୍ତ ୩୦୦ ଟଙ୍କା ଲାଭ କରିବେ।

ନୂତନ ୟୁନିଟ ଗୁଡିକୁ ୫ ବର୍ଷ ନିମନ୍ତେ ୨୫୦ ଟଙ୍କାର ଟେପରିଙ୍ଗ ରିହାତି ପ୍ରଦାନ କରାଯିବ। ଏଥିସମେତ ସମୁଦାୟ ବରାଦ ଉଠାଣ କଲେ ପ୍ଳେଟ, ସିଟ ଓ କଏଲ ପାଇଁ ଟନ ପିଛା ୬୦୦ ଟଙ୍କା ସେମାନେ ଲାଭ କରିବେ। ଯଦି ସେମାନେ ଏମଓୟୁ କରନ୍ତି ତେବେ ସେମାନଙ୍କୁ ଏମଏସଏମଇ ଲାଭ ସହିତ ଏମଓୟୁ ଜନିତ ଲାଭ ମଧ୍ୟ ପ୍ରଦାନ କରାଯିବ।

ସେହିଭଳି ଅଣମୂଲ୍ୟ ଆଧାରିତ ଯୋଜନା ଅନ୍ତର୍ଗତ ଏମଏସଏମଇଗୁଡିକ ଏମଓୟୁ ଏବଂ ଏକ ମାସ ନିମନ୍ତେ ଇନଭେଣ୍ଟରି ଧାରଣର ସୁବିଧା ପାଇପାରିବେ।

ଏମଏସଏମଇଗୁଡିକୁ ଏହି ସମସ୍ତ ସୁବିଧା ପାଇବା ନିମନ୍ତେ ପଞ୍ଜୀକରଣ କରିବାକୁ ହେବ। ଆରଏସପି ଏବଂ ସେଲର କେନ୍ଦ୍ରୀୟ ବିପଣନ ସଂସ୍ଥା (ସିଏମଓ) ଏହି ଯୋଜନାରେ ଅଧିକରୁ ଅଧିକ ଏମଏସଏମଇ ପଞ୍ଜୀକରଣ କରିବା ନିମନ୍ତେ ପ୍ରୟାସ ଜାରିରଖିଛନ୍ତି ।

ଏହି କ୍ରମରେ ରାଉରକେଲା ଇସ୍ପାତ କାରଖାନାର ସିଇଓ, ଦୀପକ ଚଟ୍ଟରାଜଙ୍କ ଅଧ୍ୟକ୍ଷତାରେ ଜୁଲାଇ ୨ ତାରିଖରେ ଏହି ଯୋଜନା ଅଧୀନରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସିଇଓ ସ୍ଥାନୀୟ ଶିଳ୍ପୋଦ୍ୟୋଗ ସଂଘଗୁଡିକର କର୍ମକର୍ତ୍ତା ଏବଂ ପ୍ରମୁଖ ଉଦ୍ୟୋଗୀଙ୍କ ସହିତ ଏହି ଯୋଜନାର ନିପୁଣ କାର୍ଯ୍ୟାନ୍ବୟନ ସନ୍ଦର୍ଭରେ ମତବିନିମୟ କରିଥିଲେ।

ଏଥିସମେତ ଆରଏସପିର ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଡ଼ି କେ ମହାପାତ୍ର ଜୁଲାଇ ୮ ତାରିଖରେ ଜିଲ୍ଲା ଲଘୁ ଉଦ୍ୟୋଗ ସଂଘର ପ୍ରତିନିଧିଙ୍କ ସହ ଏବଂ ଜୁଲାଇ ୯ ତାରିଖରେ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଏବଂ ଓଡିଶା ଯୁବ ଉଦ୍ୟୋଗୀ ସଂଘର ପ୍ରତିନିଧି ମଣ୍ଡଳଙ୍କ ସହିତ ମତବିନିମୟ କରିବା ସଙ୍ଗେସଙ୍ଗେ ଜୁଲାଇ ୧୧ ତାରିଖରେ ରାଉରକେଲା ଶିଳ୍ପ ବଣିକ ସଂଘର କର୍ମକର୍ତ୍ତାଙ୍କ ସହିତ ଏକ ୱେବିନର ଜରିଆରେ ଏହି ଯୋଜନାର ସଫଳ କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଜୁଲାଇ ୧୫ ତାରିଖରେ ଆରଏସପି ଓ ସିଏମଓର ଏକ ଦଳ ରାଜଗାଙ୍ଗପୁରର ଏମଏସଏମଇ ଗୁଡିକୁ ଭେଟିବା ସହିତ ଆରଏସପି ଦ୍ଵାରା ଦିଆଯାଉଥିବା ସୁବିଧାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ।

ଉଲ୍ଲେଖନୀୟ ଯେ, ସେଲର ଆରଏସପି ଓ ସିଏମଓ ଯୁଗ୍ମ ରୂପେ ଆଧିକ ଏମଏସଏମଇ ଉଦ୍ୟୋଗଙ୍କୁ ସହଯାତ୍ରୀ କରିବା ନିମନ୍ତେ ତଥା ସ୍ଥାନୀୟ ଶିଳ୍ପୋଦ୍ୟୋଗୀମାନଙ୍କୁ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠା ଓ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ପ୍ରଚେଷ୍ଟା ଜାରିରଖିଛନ୍ତି ।

ଆବଶ୍ୟକସ୍ଥଳେ ଏମଏସଏମଇର କାର୍ମିକମାନଙ୍କୁ ପ୍ରଯୁଜ୍ୟ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ଆରଏସପିର ବିଭିନ୍ନ ବିଭାଗର ବିଭାଗ ମୁଖ୍ୟମାନେ ସ୍ଥାନୀୟ ଅଞ୍ଚଳରେ ଇସ୍ପାତ ଉପଯୋଗରେ ବୃଦ୍ଧି ଆଣିବା ନିମନ୍ତେ ସମ୍ଭାବ୍ୟ ଗ୍ରାହକମାନଙ୍କ ସହିତ ସିଧାସଳଖ ମତବିନିମୟ ଜାରିରଖିଛନ୍ତି ।

ଏହି ଯୋଜନାକୁ ସଫଳତା ସହକାରେ କାର୍ଯ୍ୟକାରୀ କରି ଆରଏସପି ଏହି ଅଞ୍ଚଳରେ ଔଦ୍ୟୋଗିକ ଓ ବାଣିଜ୍ୟିକ କାର୍ଯ୍ୟଧାରାର ତ୍ୱରାନ୍ୱୟନ, ଉଦ୍ୟୋଗୀ ପ୍ରୋତ୍ସାହନ, ସ୍ଥାନୀୟ ଶିଳ୍ପକୁ ପରିପୃଷ୍ଟ ଓ ବିକାଶ ସାଧନ, ଇସ୍ପାତ ଉଦ୍ୟୋଗ ନିମନ୍ତେ ଆନୁସଙ୍ଗିକ ଶିଳ୍ପର ବିକାଶ ସାଧନ ସମେତ ରୋଜଗାର ସୁଯୋଗ ସୃଷ୍ଟି ନିମନ୍ତେ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.