Latest Odisha News

BREAKING NEWS

‘ମିସାଇଲ୍ ମ୍ୟାନ୍‌’ଙ୍କ ଆଜି ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଦେଶର ପୂର୍ବତନ ୧୧ ତମ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ପାଇଥିବା ଡ. ଏପିଜେ ଅବଦୁଲ୍ କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକୀ ।

୨୦୧୫ ମସିହା ଜୁଲାଇ ୨୭ ତାରିଖରେ ୮୩ ବର୍ଷ ବୟସରେ ସେ ମେଘାଳୟ ସ୍ଥିତ ଆଇଆଇଏମ ସିଲଂରେ ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ଦେଉଥିବା ବେଳେ ଅଚାକନ ମୃତ୍ୟୁବରଣ କରିଥିଲେ । ଏହି ଅବସରରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଥିବା ଡ. କଲାମଙ୍କ ସମ୍ପର୍କରେ ସଂକ୍ଷେପରେ ଜାଣନ୍ତୁ-

ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ତାଙ୍କର ପୂରା ନାମ ଅବୁଲ ଫକିର ଜୈନୁଲବଦୀନ ଅବଦୁଲ୍ କଲାମ୍ ମୌସୁଦୀ ।

ପରିବାରର ଆର୍ଥୀକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ ସ୍କୁଲରେ ପାଠ ପଢୁଥିବା ବେଳେ ଖବର କାଗଜ ବିତରଣ କରିବା ସହ ଅନ୍ୟ ଛୋଟମୋଟ କାମ କରିବା ଆରମ୍ଭ କରି ଦେଇଥିଲେ ।

ପିଲାବେଳୁ ଗଣିତ ଓ ବିଜ୍ଞାନ ପ୍ରତି ରୁଚି ରଖୁଥିବା କଲାମ ମାଡ୍ରାସ୍ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବ ପରେ ଏରୋସ୍ପେଶ ଇଞ୍ଜିନିୟରିଂ ପଢିଥିଲେ ।

ସେ ଭାରତର ‘ମିସାଇଲ୍ ମ୍ୟାନ’ ବୋଲାଉଥିବା ବେଳେ ‘ଅଗ୍ନି’, ‘ପୃଥିବୀ’ ଓ ‘ଆକାଶ’ କ୍ଷେପଣାସ୍ତ୍ରକୁ ବିକଶିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏପରିକି ଏହି କ୍ଷେପଣାସ୍ତ୍ର ଗୁଡିକ ତାଙ୍କର ତତ୍ୱାବଧାନରେ ନିର୍ମିତ ହୋଇଥିଲା ।

ଏହାଛଡା ସେ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପୂର୍ବରୁ ‘ଡିଆରଡିଓ’ ଓ ‘ଇସ୍ରୋ’ରେ ଏରୋସ୍ପେଶ ଇଞ୍ଜିନିିୟର ଭାବେ କାର୍ଯ୍ୟ ମଧ୍ୟ କରିଥିଲେ ।

ତାଙ୍କର ଚିନ୍ତାଧାରା ଓ ପରିକଳ୍ପନା ଯୁବଗୋଷ୍ଠୀ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା । ଯିଏକି ୧୯୮୧ ମସିହାରେ ପଦ୍ମ ଭୂଷଣ ଓ ୧୯୯୦ ମସିହାରେ ପଦ୍ମ ବିଭୂଷଣ ଓ ୧୯୯୭ରେ ଭାରତ ରତ୍ନ ସମ୍ମାନ ପାଇଥିଲେ ।

ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ।

Comments are closed.