Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ନେଇ ବିଜେପିର ପ୍ରେସମିଟ୍

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜି ଯାଇନାହିଁ ବରଂ ହଜେଇ ଦିଆଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଜଗନ୍ନାଥ ମନ୍ଦିର ଆଇନକୁ ରାଜ୍ୟ ସରକାର ଜାଣିଶୁଣି କଦର୍ଥ କରୁଛନ୍ତି । କମିଶନ ତଦନ୍ତ ଆଳରେ ସତ୍ୟକୁ ଚାପି ଦିଆଯାଉଛି । କେବଳ ଜନମାନସକୁ ବିଭ୍ରାନ୍ତି କରିବା ପାଇଁ ଗଜପତିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ରତ୍ନଭଣ୍ଡାରର ସୁରକ୍ଷା ଦାୟିତ୍ୱ ଗଜପତିଙ୍କର ନୁହେଁ । ୧୯୫୫ ମସିହାରେ ମନ୍ଦିର ପ୍ରଶାସନ ଆଇନ ପ୍ରଣୟନ ହେଲା । ରତ୍ନ ଭଣ୍ଡାରର ତତ୍ୱାବଧାରକ ହେଲେ ରାଜ୍ୟସରକାର ଓ ମନ୍ଦିର ପ୍ରଶାସନ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ପ୍ରକାରର ଅଳଙ୍କାରର ସୁରକ୍ଷା ପାଇଁ “ଜଗନ୍ନାଥ ମନ୍ଦିର ଆଇନ-୧୯୬୦” ରେ ବିସ୍ତୃତ ଭାବେ ଉଲ୍ଲେଖ ଅଛି । ତେବେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ତଲବ କରିଛନ୍ତି କି ? ଏଭଳି ବହୁ ପ୍ରଶ୍ନ ଉତର ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।

ରତ୍ନଭଣ୍ଡାର ଚାବି କେଉଁଠି ରହିବ, କାହା ପାଖରେ ରହିବ, କେମିତି ରହିବ ଆଦି ସମସ୍ତ ବିଷୟରେ ରାଜ୍ୟ ସରକାର ଅବଗତ ଅଛନ୍ତି । ଚାବି ହଜିଯିବା ସଂପର୍କରେ ରାଜ୍ୟ ସରକାର ଜାଣି ମଧ୍ୟ କାହିଁକି ନୀରବ ରହିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଶ୍ରୀମନ୍ଦିରକୁ ନେଇ ଅତୀତରେ ଗଠିତ ହୋଇଥିବା କମିଶନଙ୍କ ରିପୋର୍ଟରୁ ଆଜି ସୁଦ୍ଧା କୈାଣସି ସୁଫଳ ମିଳି ନାହିଁ । ବର୍ତମାନ ମଧ୍ୟ ରତ୍ନଭଣ୍ଡାର ଚାବିକୁ ନୋଇ ଗଠିତ ହୋଇଥିବା କମିଶନରୁ କୈାଣସି ସୁଫଳ ମିଳିବ ନାହିଁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ନିହାତି ଜରୁରୀ । ରତ୍ନଭଣ୍ଡାର ଚାବି ହଜି ନାହିଁ ବରଂ ଚୋରୀ ହୋଇଛି ।

ଏହା ନିଶ୍ଚିିତ ଭାବେ ଅପରାଧିକ ଷଡଯନ୍ତ୍ର ଏବଂ ଫୈାଜଧାରୀ ମାମଲା ଆଧାରରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଏଜ ନିରପେକ୍ଷ ଓ ଜାତୀୟ ସଂସ୍ଥା ମାଧ୍ୟମରେ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏବଂ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.