ଭୁବନେଶ୍ୱର: ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା କୋଣାର୍କ ମନ୍ଦିର ତୋଳାଯାଇଥିଲା ବୋଲି ଇତିହାସ କହେ ।
ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ତେବେ କିପରି ଘଟିଲା ଏହାର ଅବକ୍ଷୟ, ଆସନ୍ତୁ ଜାଣିବା ।
ମନ୍ଦିର ଧ୍ୱଂସ ହେବାର କାରଣ ସପକ୍ଷରେ ବହୁ କିମ୍ବଦନ୍ତୀ ପ୍ରଚଳିତ ରହିଛି।ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା ଓ କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ପୁରୀ ଜଗନ୍ନାଥ ମନ୍ଦିରରର ମାଦଳାପାଞ୍ଜିରେ ତାହା ବର୍ଣ୍ଣନା କରା ଯାଇଅଛି । ୨୦ ଫୁଟରୁ ୨୫ ଫୁଟର ପାଚେରୀ ଯୁକ୍ତ ଅନେକ ଓଡ଼ିଆ ମନ୍ଦିର ଓ ମନ୍ଦିରସ୍ଥ ଦେବଦେବୀଙ୍କୁ ସେ ଧ୍ୱଂସ କରିଥିଲା। ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୁରା ଦେଉଳଟି ଭାଙ୍ଗି ପଡ଼ିଲା। ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । ତା ସହିତ କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିଲା।
୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ଆରମ୍ଭ ହେଲା । ସେତେବେଳେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରିବାପାଇଁ ନିରନ୍ତର ଚେଷ୍ଟା କରାଯାଉଥିଲା । ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ବଞ୍ଚାଇବାପାଇଁ ପଣ୍ଡାମାନେ ତାଙ୍କୁ ଲୁଚାଇ ଏକ ଗୋପନ ସ୍ଥାନକୁ ନେଇ ଯାଇଥିଲେ । ଏମିତିକି କୁହାଯାଏ ଯେ, କୋଣାର୍କର ପଣ୍ଡାମାନେ ଅଧିଷ୍ଠିତ ଦେବତା ସୂର୍ଯ୍ୟକୁ ନେଇଯାଇ ବାଲି ତଳେ ପୋତି ଅନେକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ ।
ସୂର୍ଯ୍ୟଦେବତାଙ୍କ ମୂର୍ତ୍ତିକୁ ସ୍ଥାନାନ୍ତରିତ କରିନେବାପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଏଠାକୁ କେହି ତୀର୍ଥ ଯାତ୍ରୀ ଆସିଲେ ନାହିଁ । ସମୟକ୍ରମେ ବହିର୍ଶତ୍ରୁ ଆକ୍ରମଣରୁ କୋଣାର୍କ ବନ୍ଦର ମଧ୍ୟ ବନ୍ଦ ହୋଇଗଲା । କିନ୍ତୁ ଦିନ ଥିଲା ଯେତେବେଳେ କୋଣାର୍କ ସହର ଥିଲା ସୂର୍ଯ୍ୟ ପୂଜାର ଗୌରବଶାଳୀ ପରମ୍ପରା ବହନ କରୁଥିବା ଉତ୍କଳୀୟ ନୌବାଣିଜ୍ୟର ବିଖ୍ୟାତ କେନ୍ଦ୍ରସ୍ଥଳୀ। ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା ।
ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢାର କିଛି ଅଂଶ କୋଣାର୍କରୁ ନିଆ ଯାଇ ପଥରରେ ତିଆରି କରାଯାଇଥିଲା । କୁହାଯାଏ ଯେ, ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା। ପରେ ପରେ ଏହାକୁ ଭାଙ୍ଗି ଦିଆ ଯାଇଥିଲା, କାରଣ ମରାଠାମାନେ ଏହାକୁ ଏକ ଅନାବଶ୍ୟକ ସଂରଚନା ବୋଲି ଭାବୁଥିଲେ।
୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମନାରେ ସ୍ଥାପନ କରାଇଥିବା କୁହାଯାଏ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ନିଜର ସମସ୍ତ ଗୌରବ ହରାଇ ସାରିଥିଲା ଓ ଧିରେ ଧିରେ ଏହା ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ବାସସ୍ଥଳି ହୋଇ ଯାଇଥିଲା । କୁହାଯାଏ ଯେ, ସ୍ଥାନୀୟ ଲୋକମାନେ ବି ଦିନ ଦି ପହରେ ଏଠାକୁ ଯିବାକୁ ଡରୁଥିଲେ ।
ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକଙ୍କ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢେଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କେଇ ମିନିଟ ପାଇଁ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ କାଳରେ କେନ୍ଦ୍ରରେ ଖଞ୍ଜାଯାଇଥିବା ଚୁମ୍ବକକୁ ଇଂରେଜମାନେ ବାହାର କରି ନେଇ ଯାଇଥିଲେ ।
ଆଉ ଏକ ଜନଶ୍ରୁତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବର ଶକ୍ତି ଏତେ ପ୍ରବଳ ଥିଲା ଯେ, ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକରେ ଥିବା କମ୍ପାସ ଏହାଦ୍ୱାରା ପ୍ରଭାବିତ ହେଉଥିଲା। ପର୍ତ୍ତୁଗୀଜମାନେ ନିଜ ଜାହାଜର ସୁରକ୍ଷା ପାଇଁ କେନ୍ଦ୍ରସ୍ଥ ଚୁମ୍ବକ ଯାହା ଦେଉଳର ଅନ୍ୟାନ୍ୟ ଚୁମ୍ବକକୁ ସନ୍ତୁଳିତ କରି ରଖିଥିଲା ତାକୁ ବାହାର କରି ନେଇ ଯିବାଦ୍ୱାରା ଭାରସାମ୍ୟ ହରାଇ ଗର୍ଭଗୃହ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା।
Comments are closed.