Latest Odisha News

BREAKING NEWS

ଫେବୃଆରି ୩ରୁ ଆଦିବାସୀ ମେଳାରେ ପ୍ରଦର୍ଶିତ ହେବ ବହୁଭାଷୀ ନାଟକର ସାଂସ୍କୃତିକ ବିଚିତ୍ରା

ଭୁବନେଶ୍ବର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ଆସନ୍ତା ଫେବୃଆରି ୩ରୁ ୫ ତାରିଖ ମଧ୍ୟରେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ତିନି ଦିନ ଧରି ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବ।

ମହୋତ୍ସବର ପ୍ରଥମ ଦିନରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଉଲିଡିହିର ଆୟା ବାବା ଗୟାନ ସେମଲେଡ ସାନ୍ତାଳି ନାଟକ ପରିବେଷଣ କରିବାକୁ ଥିବା ବେଳେ କୋରାପୁଟ ଜିଲ୍ଲାର କୋରାପୁଟିଆ ଦେଶିଆ ଡ୍ରାମାଟିକ୍ କ୍ଲବ ଦେଶୀଆ ଭାଷାରେ ନାଟକ ପରିବେଷଣ କରିବେ । କାର୍ଯ୍ୟକ୍ରମ ଦ୍ଵିତୀୟ ଦିନରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବାଲିଭୋଇସ୍ଥିତ ପଣ୍ଡିତ ଲୋକୋବଦ୍ରା ଡ୍ରାମାଟିକ୍ କ୍ଲବ ପକ୍ଷରୁ ହୋ ଭାଷାରେ ନାଟକ ପରିବେଷଣ କରାଯିବାକୁ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଷ୍ଟଝରଣାର ବାବା ଚିନ୍ତାମଣି ଡ୍ରାମାଟିକ୍ କ୍ଲବ ଆସନ୍ତା ୪ ତାରିଖରେ ମୁଣ୍ଡାରୀରେ ନାଟକ ପରିବେଷଣ କରିବ । ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟ ଖଡିଆବାସାରୁ ଗଙ୍ଗାମଣ୍ଡିଲ ଡ୍ରାମାଟିକ୍ କ୍ଲବ ପକ୍ଷରୁ ଆସନ୍ତା ୫ ତାରିଖରେ ଆଦିବାସୀ ମେଳାରେ ମୁଣ୍ଡାରୀ ଭାଷାରେ ନାଟକ ପରିବେଷଣ କରାଯିବ।

ଓଡ଼ିଶାରେ ୬୨ଟି ଆଦିବାସୀ ସମ୍ପ୍ରଦାୟ ଓ ୧୩ଟି ଆଦିମ ଜନଜାତି ଗୋଷ୍ଠୀ ବା ପିଭିଟିଜି ରହିଛନ୍ତି। ଓଡ଼ିଶାରେ ୨୧ଟି ଆଦିବାସୀ ଭାଷା ରହିଥିବାରୁ ରାଜ୍ୟ ସରକାର ଆଦିବାସୀ ଭାଷା ଓ ଉପଭାଷାର ସଂରକ୍ଷଣ, ପ୍ରଚାର, ପ୍ରସାର, ବିକାଶ ଓ ସୁରକ୍ଷା କରିବାକୁ ଏହି ବହୁଭାଷୀ ନାଟକ ମହୋତ୍ସବ ଏକ ପଦକ୍ଷେପ ହେବ ବୋଲି ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ଗୋଷ୍ଠୀ କଲ୍ୟାଣ ବିଭାଗ କମିଶନର ତଥା ସଚିବ ରୂପା ରୋଶନ ସାହୁ ମତବ୍ୟକ୍ତ କରିଛନ୍ତି ।

ଆଦିବାସୀ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ରାଜ୍ୟ ଭାଷା ସଂଯୋଜକ ପରମାନନ୍ଦ ପଟେଲ କହିଛନ୍ତି, ଆଦିବାସୀ ସଂସ୍କୃତି ଓ ଭାଷାର ଗବେଷଣା ପାଇଁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ବା ଏଟିଏଲସି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ କାର୍ଯ୍ୟ କରୁଛି । ଯେହେତୁ ରାଜ୍ୟରେ ୨୧ଟି ଆଦିବାସୀ ଭାଷା ବ୍ୟତୀତ ୭୪ଟି ଉପଭାଷା ରହିଛି,ରାଜ୍ୟ ରାଜଧାନୀରେ ଆଦିବାସୀ ମେଳା ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏକା ସାଙ୍ଗରେ ହେଉଥିବା ବେଳେ ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ମହାନ ବିବିଧତାକୁ ପାଳନ କରିବାର ଏକ ଅବସର ।

ଏହି ବହୁଭାଷୀ ନାଟକ ମହୋତ୍ସବରେ ଅନୁସୂଚିତ ଜନଜାତି ନାଟକ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମ ଆଦିବାସୀ ବହୁଭାଷୀ ସଂସ୍କୃତି ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ଏହି ବାର୍ଷିକ ବହୁ-ପ୍ରତୀକ୍ଷିତ ଆଦିବାସୀ ମେଳାରେ ଯୋଗ ଦେଇଥିବା ଅଧିକାଂଶ ନାଟକ ଦଳରେ ପ୍ରତିଯୋଗୀ ମହିଳା ରହିଛନ୍ତି ସେମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଖୁସି ହେବେ । ଏହି ବହୁଭାଷୀ ଆଦିବାସୀ ନାଟକ ମହୋତ୍ସବ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଆଦିବାସୀ ନାଟକ ପରମ୍ପରାର ଏକ ବଡ଼ ସଂଗ୍ରହ ଏବଂ ଏଥିରେ ସଚେତନ ଜନସାଧାରଣ ଓ ସଂସ୍କୃତିପ୍ରେମୀଙ୍କ ସମ୍ମୁଖରେ ଏକ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

 

Leave A Reply

Your email address will not be published.