ବାଲିଗୁଡ଼ା: ନିର୍ମାଣ କାମ କରୁଥିବା ବେଳେ ଘଟିଛି ଅଭାବନୀୟ ଘଟଣା । ଛାତରୁ ଖସିପଡିଲେ ନାବାଳକ । ବିପଦ ସେତିକିରେ ସରି ନ ଥିଲା । ଖସି ପଡିବା ପରେ ତଳେ ଥିବା ଏକ ଶାବଳ ତାଙ୍କ ମଳଦ୍ୱାରରେ ପଶି ଯାଇଥିଲା । ଏମିତି ଛାତିଥର ଦୃଶ୍ୟ ଦେଖିବାକୁ ମିିଳିଛି କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି ଅଞ୍ଚଳରେ ।
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାମ ଚାଲିଥିଲା । ଆଜି ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ଏହି କାମ କରିବା ପାଇଁ ଯାଇଥିଲେ । ଭାଙ୍ଗି ଯାଇଥିବା ଏକ ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ ।
ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସରୁ ଖସି ପଡିଥିଲେ । ଆଉ ପଡିଥିଲେ ଘର ଭିତରେ ଛିଡା ହୋଇଥିବା ଶ୍ରମିକଙ୍କ ଶାବଳ ଉପରେ । ଶାବଳଟି ଶକ୍ତିର ମଳ ଦ୍ବାରରେ ପଶିଯାଇଥିବା ଜଣାପଡ଼ିଛି । ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।
ସେପଟେ ସରକାରୀ ସ୍କୁଲରେ ମରାମତି କାର୍ଯ୍ୟ ନାବାଳକ ଶ୍ରମିକଙ୍କ ଦ୍ବାରା କିଭଳି କରାଯାଉଥିଲା । କେଉଁ ଠିକାଦାର ଏହି କାର୍ଯ୍ୟ କରୁଥିଲେ ଏବଂ କେଉଁ ଅଧିକାରୀ କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିଲେ ସେ ନେଇ ତନାଘନା ଚାଲିଛି । ଏଥିସହିତ ନାବାଳକ ଶ୍ରମିକଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କିଭଳି କରାଯାଉଥିଲା ଏହାର ତଦନ୍ତ ହେବା ହେବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି ।
Comments are closed.