Latest Odisha News

BREAKING NEWS

ଶବକୁ ଦେଖି କାନ୍ଦିଲା, ତିନି ଘଣ୍ଟା ପାଖରେ ଜଗି ରହିଲା ମାଙ୍କଡ

ପାରାଦ୍ଵୀପ: ଜୀବନର ଶେଷ ଦୃଶ୍ୟ ପ୍ରକୃତରେ ଖୁବ କରୁଣ । ସେ ଦୃଶ୍ୟ ସମସ୍ତଙ୍କ ମନରେ ଭରିଦିଏ କୋହ ।  ଭିଜାଇ ଦିଏ ଆଖି । ଶତ୍ରୁ ହେଉ ପଛେ, ତାର ମୃତ୍ୟୁ ଖବର କ୍ଷଣିକ ପାଇଁ ଉଦାସ କରିଦିଏ ମନକୁ ।  ଏଠି ଠିକ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଘର ସାମ୍ନାରେ ଗଦା ହୋଇଥିଲେ ଲୋକେ ।  କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ହେଲେ ଏ କାରୁଣ୍ୟ ଭିତରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ଭିଡ ଭିତରେ ବସିଥିଲା ମାଙ୍କଡଟିଏ । ଖାଲି ବସି ନ ଥିଲା, ଶବକୁ ସେମିତି ଜଗି ରହିଥିଲା । କେତେବେଳେ ଶବ ପାଖରେ ବସି ଯାଉଥିଲା ତ କେତେବେଳେ ଦୁଇ ଗୋଡ ମଝିରେ ମୁହଁ ଜାକି କାନ୍ଦି ପକାଉଥିଲା । ମଣିଷ ପାଇଁ ମାଙ୍କଡର ଏ ଦରଦ ପରିବେଶକୁ ଆହୁରି କରୁଣ କରି ଦେଇଥିଲା ।

ଏ ଦୃଶ୍ୟ ଥିଲା ଏରସମା ବ୍ଲକ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମର । ସ୍ବର୍ଗତ ପ୍ରଦିପ ଦାସଙ୍କ ପତ୍ନୀ ମଞ୍ଜୁ ଦାସ। ଶୁକ୍ରବାର ମଞ୍ଜୁ  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ନୂଆଗାଁକୁ ଅଣାଯାଇଥିଲା ।

ମୃତ୍ୟୁ ଖବର ପାଇ ବନ୍ଧୁବାନ୍ଧବ, ଚିହ୍ନ ପରିଚୟ ସମସ୍ତଙ୍କର ଭିଡ ଜମିଥିଲା ଘର ଦୁଆରେ । ଏହି ସମୟରେ  ମାଙ୍କଡଟି ଯାଉଥିଲା, ଭିଡି ଦେଖି ସିଧା ପଶିଗଲା ଘର ଭତରକୁ । ପ୍ରଥମେ ଶବକୁ ଦେଖିବା ପରେ  ଶବର ଗୋଡ଼ ନିକଟରେ ଗୋଡ଼କୁ ଧରି ବସିଥିଲା। ଏପରିକି ଗୋଡ଼ରେ ମୁହଁ ଗୁଞ୍ଜି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଶବ ନିକଟକୁ କାହାରିକୁ ଛାଡି ନଥିଲା। ଦୀର୍ଘ ତିନି ଘଣ୍ଟା କାଳ ଏହିପରି ବସିବା ପରେ ସେଠାରୁ ପଳାଇଥିଲା। ଯାହାକୁ ଦେଖିବା ପାଇଁ ମଧ୍ୟ ବହୁ ଲୋକ ରୁଣ୍ଡ ହୋଇଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମଞ୍ଜୁଙ୍କ ସହ ଏହି ମାଙ୍କଡର କିଛି ବି ସମ୍ପର୍କ ନ ଥିଲା । ଘର ଭିତରେ କିଛି ସମୟ ବସିବା ପରେ ସେଠାରୁ ଯାଇ ପାଚେରୀ ଉପରେ ବସିଥିଲା । କାହାର କିଛି କ୍ଷତି ବି କରୁ ନ ଥିଲା । ଏ ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ଶେଷରେ ମାଙ୍କଡଟି ଯିବା ପରେ ଶବକୁ ସତ୍କାର ପାଇଁ ନେଇଥିଲେ ପରିବାର ଲୋକ ।

Leave A Reply

Your email address will not be published.