Latest Odisha News

BREAKING NEWS

ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ

ଭୁବନେଶ୍ଵର: ଶେଷ ହେଲା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା । ଏହି ଅବସରରେ ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଏକ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂ ଡୁଙ୍ଗରପୁର ଏହି ଏମ୍ଓୟୁରେ ସ୍ଵାକ୍ଷର କରିଥିଲେ ।

ଏହି ପ୍ରରିପେକ୍ଷୀରେ କଲଭୂମି ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଚଳଚ୍ଚିତ୍ର ଆମ ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ପ୍ରତିଛବି । ଏହାର ସଂରକ୍ଷଣ ଦ୍ଵାରା ଆମ ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ସିନେମା ପୁଣି ଜୀବନ୍ତ ହୋଇଉଠିବ ବୋଲି ସେ କହିଛନ୍ତି ।

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ । ଏହାକୁ ସାଇତି ରଖିବା ଦାୟିତ୍ଵ ହେଉଛି ଆମର ।

ସୂଚନାଯୋଗ୍ୟ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌, ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆରକାଇଭସ୍ ଓ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ସହଯୋଗରେ ଏହି “୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା” ନଭେମ୍ବର ୧୨ ତାରିଖଠାରୁ ଆୟୋଜନ ହୋଇଥିଲା । ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳାଭୂମିଠାରେ ଆରମ୍ଭ ହୋଇଥିବା କର୍ମଶାଳା ଆଜି ଶେଷ ହୋଇଛି । କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ୫୯ଜଣ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ୍ ଏଵଂ ମେମେଣ୍ଟୋ ପ୍ରଦାନ କରାଯାଇଥିଲା ।

Comments are closed.