ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ବରିଷ୍ଠ ଓଡ଼ିଶୀ ସଙ୍ଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢୀ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କଠାରୁ ଶିକ୍ଷାଲାଭ କରିଥିବା ବରିଷ୍ଠ ଓଡ଼ିଶୀ ସଙ୍ଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ପ୍ରଥମେ ସଙ୍ଗୀତ ପରିବେଷଣ କରିଥିଲେ । ପରେ ପରେ ଗୁରୁ କେଶବ ଚନ୍ଦ୍ର ରାଉତ ଏବଂ ଗୁରୁ ଅଚ୍ୟୁତ ମହାରଣା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଶ୍ରୀଜଗନ୍ନାଥ ମର୍ଦଳ ପ୍ରତିଷ୍ଠାନ ,ପୁରୀର ଛାତ୍ରୀମାନେ ସମୂହ ଓଡ଼ିଶୀ ମର୍ଦ୍ଦଳ ପରିବେଷଣ କରିଥିଲେ । ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମଟି ଦର୍ଶନକ ଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ବିଶ୍ୱଜିତ ବଳିଆର ସିଂଙ୍କ ସଂଯୋଜନାରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ରଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments are closed.