Latest Odisha News

BREAKING NEWS

ଶିଶୁ ଯତ୍ନ ଅନୁଷ୍ଠାନର ସଫଳତା, ଡାହାଣୀ ସନ୍ଦେହରେ ବିତାଡିତ ମା’ସହ ଦଶ ବର୍ଷ ପରେ ଭେଟିଲା ଝିଅ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନରେ ନବମ ଶ୍ରେଣୀରେ ପାଠ ପଢୁଥିବା ମଧୁମିତା ସିଂ(ଛଦ୍ମନାମ)ଙ୍କ ପାଇଁ ୨୦୨୪ ଆଣିଦେଇଛି ଖୁସିର ଲହରୀ । ପିଲାଦିନରୁ ବାପାଙ୍କୁ ହରାଇଥିବା ଝିଅଟି ଭାବିଥିଲା ତା ମା ମଧ୍ୟ ଏଇ ଦୁନିଆରେ ନାହିଁ । କିନ୍ତୁ ରଖେ ହରି ତ ମାରେ କିଏ । ଶିଶୁ ସୁରକ୍ଷା ଅଧିକାରୀଙ୍କ ଉଦୟମ କ୍ରମେ ୧୦ବର୍ଷ ତଳେ ନିଜ ମା’ ଠାରୁ ଅଲଗା ହୋଇଥିବା ମଧୁମିତା ଚଳିତ ବର୍ଷ ଜାନୁଆରୀ ୫ତାରିଖରେ ପୁଣି ଥରେ ନିଜ ମା’କୁ ଫେରି ପାଇଛି । ମା-ଝିଅଙ୍କର ଏହି ମିଳନ କେବଳ ମୟୁରଭଞ୍ଜ ପାଇଁ ନୁହେଁ ବରଂ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ଏକ ବଡ ସଫଳତା ।

ସୂଚନା ଅନୁସାରେ, ମୟୁରଭଞ୍ଜର ଏକ ଆଦିବାସୀ ଗାଁରେ ମଧୁମିତା ନିଜ ପରିବାର ସହ ରହୁଥିଲା । ୧୦ ବର୍ଷ ତଳେ ମଧୁମିତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସେଠାରେ ଅନ୍ଧବିଶ୍ଵାସ ବଶବର୍ତ୍ତି ହୋଇ ମଧୁମିତାଙ୍କ ପରିବାର ଏକ ନିର୍ମମ ପଦକ୍ଷେପ ନେଇଥିଲେ । ମଧୁମିତାଙ୍କ ବଡ ବାପା ଓ ଅନ୍ୟାନ୍ୟ ଗ୍ରାମବାସୀ, ସ୍ଵାମୀର ମୃତ୍ୟୁ ପାଇଁ ସ୍ତ୍ରୀକୁ ଦାୟୀ କରିବା ସହ ଡାହାଣୀ ଆଖ୍ୟା ଦେଇ ମଧୁମିତାଙ୍କ ମା’ ଆଶାବରୀ(ଛଦ୍ନନାମ)ଙ୍କୁ ଗାଁରୁ ବିତାଡିତ କରିଦେଇଥିଲେ । ଭଗବାନଙ୍କ ଅପାର କୃପାରୁ ଶ୍ରୀମା ଅରବିନ୍ଦ ଆଶ୍ରମର ଜଣେ ସଦସ୍ୟଙ୍କ ସହାୟତାରେ ଆଶାବରୀ ପୁଡୁଚେରୀ ଚାଲିଯାଇଥିଲେ । ସେଠାରେ ଜଣଙ୍କ ଘରେ କାମଦାମ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ଭାଷା ସମସ୍ୟା କାରଣରୁ ସେ ତାଙ୍କ ମାଲିକଙ୍କ ସହ ନିଜ ଝିଅର ଆଲୋଚନା କରିପାରୁନଥିଲେ ।

ଅନ୍ୟପକ୍ଷେ ବଡବାପା ଓ ତାଙ୍କ ପରିବାର, ଝିଅ ମଧୁମିତାର ଠିକ୍ ଭାବରେ ଦେଖାଶୁଣା କରୁନଥିଲେ । ଏନେଇ କିଛି ଗ୍ରାମବାସୀ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଝିଅଟିକୁ ମୟୁରଭଞ୍ଜ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଇଦେଇଥିଲେ । ସେଠାରେ ଝିଅଟିର ଉତ୍ତମ ଦେଖାଶୁଣା କରାଯିବା ସହିତ ଶିକ୍ଷାର ମଧ୍ୟ ଗୁରୁତ୍ଵ ଦିଆଗଲା । ମାତ୍ର ୩ ବର୍ଷ ବୟସରେ ହିଁ ଝିଅଟି ତା ପରିବାର ଠାରୁ ଅଲଗା ହୋଇଯାଇଥିଲା । ଅନେକ ଦିନ ପରେ ଆଶାବରୀ ପୁଡୁଚେରିରେ ମାଲିକଙ୍କ ସହ ଆଲୋଚନା କରିବାକୁ ସକ୍ଷମ ହେବା ପରେ ନିଜ ଝିଅ ବିଷୟରେ କହିଥିଲେ । ଏହାପରେ ମାଲିକ ଇଣ୍ଟରନେଟରୁ ନମ୍ବର ପାଇ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ପରେ ଅନେକ ଖୋଳତାଡ ପରେ ଶେଷରେ ଝିଅଟିର ପତ୍ତା ମିଳିଥିଲା ।

ଆଶାବରୀ ନିଝ ଝିଅ ନାଁ ମାଧବୀ ରଖିଥିବା ବେଳେ ଶିଶୁ ଯତ୍ନ ଅନୁଷ୍ଠାନରେ ଝିଅର ନାଁ ମଧୁମିତା ରଖାଯାଇଥିଲା । ତେଣୁ ଝିଅକୁ ଖିଜିବାରେ ସମୟ ଲାଗିଥିଲା । ଶେଷରେ ବହୁ ଚେଷ୍ଟା ପରେ ଚଳିତବର୍ଷ ଜାନୁଆରୀ ୫ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ଵରେ ଉଭୟ ମା’ ଓ ଝିଅ ପରସ୍ପରକୁ ଭେଟିଥିଲେ । ୧୦ ବର୍ଷ ପରେ ମା-ଝିଅର ଏହି ମିଳନ ମୁହୂର୍ତ୍ତ ଅତ୍ୟନ୍ତ ଭାବପ୍ରବଣ ଥିଲା । ତେବେ ଝିଅଟି ଏବେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ରହିବାର ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.