Latest Odisha News

BREAKING NEWS

ବିଦାୟ ବନ୍ଧୁ ବିଜୟ ! ବିଦାୟ !!

(ବିଜୟ ମହାନ୍ତିଙ୍କ ଦଶାହ ଅବସରରେ)

ପାଣିଟାଙ୍କିର ସିଡି ଚଢି ଯାଉଥିଲି ଦିନେ । ମୁହଁ ଉପରକୁ କରି ଯୋରେଯୋରେ ଯାଉଥିଲି । ପାଣିଟାଙ୍କି ଆଉ ଦଶ ବାରଟି ସିଡି ପରେ ପରେ ଆସିବ । ଏତିକି ବେଳେ ମୁଁ କେତେବାଟ ଆସିଚି ବୋଲି ତଳକୁ ଚାହିଁଲା ବେଳକୁ ମୁଣ୍ଡ ବୁଲାଇଗଲା ମୋର । ମୁଁ ଏତେ ସିଡି ଚଢି ଏତେ ବାଟ ଚାଲିଆସିଲିଣି ?

ସେମିତି ବିଜୟକୁ ବିଦାୟ ଦେବା ବେଳେ ହଠାତ୍ ମୁଣ୍ଡଟା ବୁଲେଇଗଲା ମୋର । ୧୯୭୭ ମସିହାରେ ମୋ ସାଙ୍ଗରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରୁଥିଲା । ତା ମାନେ ସେଇଟା ୪୩ ବର୍ଷ ତଳର କଥା । ଏତେ ବର୍ଷ ବିତିଗଲାଣି ଭିତରେ ୟା ଭିତରେ । ପାଣି ଟାଙ୍କିର ସିଡି ବାଟେ ତ ତଳକୁ ଓହ୍ଲାଇ ହେବ ହେଲେ ଏ ସମୟର ସିଡି ଜମା ଗୋଟିଏ ଆଡକୁ । ଏଠି ଚଢିବାର ପାହାଚ ଅଛି କିନ୍ତୁ ଓହ୍ଲାଇବାର ନାହିଁ ।

‘ନାଗଫାଶ’ ବେଳେ ବିଜୟ ଓରଫ ରାଜାର କି ଉଦ୍ଦାମତା ? ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ପାସ୍ କରି ଆସି ‘ଚିଲିକା ତୀରେ’ ଚଳଚ୍ଚିତ୍ରରେ ପ୍ରଥମ କରି ଓଡିଆ ଚଳଚ୍ଚିତ୍ରରେ ପାଦ ଥାପିଥିଲା ସେ ।

୧୯୭୬ ମସିହାରେ ମୋର ପ୍ରଥମ ନିର୍ଦ୍ଦେଶନାରେ ଶେଷ ଶ୍ରାବଣ ମୁକ୍ତିଲାଭ କରିଥାଏ । ତା ପରେ ପରେ ହିନ୍ଦୀ ଚଳଚ୍ଚିତ୍ର ରାଜଶ୍ରୀ ବ୍ୟାନରରେ ‘ପହେଲି’ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥାଏ ମୁଁ । ‘ପହେଲି’ ସାରା ଭାରତରେ ହିଟ୍ ହୋଇସାରିଥାଏ । ସେଥି ପାଇଁ ବସନ୍ତ ନାୟକ (ପ୍ରଯୋଜକ) ତାଙ୍କର ପ୍ରଥମ ପ୍ରଯୋଜନା ‘ନାଗଫାସ’ର ନିର୍ଦ୍ଦେଶନା ଦେବାକୁ ମତେ ଅନୁରୋଧ କଲେ । କିନ୍ତୁ ମୁଁ ମୋର ସମୟର ଅଭାବରୁ ନିର୍ଦ୍ଦେଶନା ଦେବାକୁ ମନା କରିଦେଲି, ହେଲେ ଅଭିନୟ କରିବାକୁ ନାଁ କରିପାରିଲିନି ।

ବିଜୟର ପ୍ରତ୍ୟେକଟି ସିନ୍‌ର ଅଭିନୟ ମୁଁ ଦେଖୁଥାଏ । ସେତେବେଳେ ସମୟରେ ଏକ ପରିମାର୍ଜିତ କଳାକାର ମିଳିବା କଷ୍ଟକର ଥିଲା । ଓଡିଆ ଚଳଚ୍ଚିତ୍ର ଶିଳ୍ପକୁ ଆଗେଇ ନେବା ପାଇଁ ସେତେବେଳେ ଏମିତି କଳାକାରମାନଙ୍କର ଆବଶ୍ୟକତା ଥିଲା । ଭଗବାନଙ୍କ କୃପାରୁ ସେତେବେଳେ ଉତ୍ତମ, ଅଜିତ ଦାସ ଓଡିଆ ଚଳଚ୍ଚିତ୍ରରେ ଯୋଗଦାନ କଲେ ।

୧୯୭୩ ମସିହାରେ ଶ୍ରୀରାମ ପଣ୍ଡା ଆସିଥିଲା । ଯାଯାବର ଚଳଚ୍ଚିତ୍ରରେ ସେ ଘରେ ଘରେ ପରିଚିତ ହୋଇସାରିଥିଲେ ସେତେବେଳକୁ । ତା ପରେ ଆରମ୍ଭ ହେଲା ଓଡିଆ ଚଳଚ୍ଚିତ୍ରର ସ୍ୱର୍ଣ୍ଣିମ ଅଧ୍ୟାୟ ପାଇଁ ଜୟଯାତ୍ରା ।

ମୋର ଛାତିର ସ୍ପନ୍ଦନରେ ‘କାହାଣୀ ସ୍ୱପ୍ନସାଗର’ ପାଇଁ ମୁଁ ବିଜୟକୁ ମୁଖ୍ୟ ଖଳନାୟକ ଭାବେ ଅଭିନୟ କରିବାକୁ ଚୁକ୍ତି କରାଇଥିଲି । ଶ୍ରୀରାମ ପଣ୍ଡା, ଅନୀତା, ମହାଶ୍ୱେତା ମୁଁ ଓ ବିଜୟ । ସେତେବେଳକୁ ମୁଁ ସଂଳାପ ଆଗରୁ ନ ଲେଖି ସେଟ୍ ଉପରେ ଲେଖିବା ଆରମ୍ଭ କରିଦେଇଥିଲି ।

ତାହା ଥିଲା ୧୯୮୩ ମସିହା । ସୁଟିଂର ପ୍ରଥମ ଦିନରେ ବିଜୟ ମୋ ଚିଫ୍ ଆସିଷ୍ଟାଣ୍ଟକୁ ମାଗିଲା ସଂଳାପ । ସେ କହିଲା, ଭାଇନା ସେଟ୍‌କୁ ଗଲେ ସେଇଠି ଲେଖିବେ । ମୁଁ ସେଟ୍‌କୁ ଯାଇ ସିନ୍‌ର ସଂଳାପ ଲେଖି ଆସିଷ୍ଟାଣ୍ଟକୁ ଦେଲି । ସେ ତାର କାର୍ବନ କପି କରି, ସେଥିରୁ ଗୋଟିଏ କପି ବିଜୟ ହାତରେ ଧରେଇ ଦେଲା ।

କିଛି ସମୟ ପରେ ମୁଁ ଦେଖିଲି ବିଜୟ ସେ ସଂଳାପ ସିଟ୍‌ର ନକଲଟିକୁ ଧରି ମୋ ପାଖକୁ ଆସୁଛି । ମୁଁ ଯେତେବେଳେ ତାକୁ ଆସିବାର କାରଣ ପଚାରିଲି ସେ କହିଲା, ‘ ଭାଇନା ଏତେ ବଡ ବଡ ଡାଇଲଗ କାଲି ରାତିରୁ ଦେଇଥିଲେ ମୁଁ ନିଜକୁ ପ୍ରସ୍ତୁତ କରି ନେଇଥାନ୍ତି । ’

ମୁଁ ହସିଲି ଆଉ କହିଲି, ‘ବିଜୟ ୧୯୭୭ ମସିହାରେ ତତେ ରାତିରେ ଡାଇଲଗ୍ ମିଳୁଥିଲା । ୟା ପରେ ତୁ କେତେ ପାହାଚ ଚଢିକି ଆସିଲୁଣି । ଆଜି ବି କଣ ତତେ ରାତିରେ ଡାଇଲଗ ଦରକାର । ୟେ ତୋ ପାଇଁ ଗୋଟେ ଚ୍ୟାଲେଂଜ । ସେ ଚ୍ୟାଲେଂଜକୁ ତୁ ଗ୍ରହଣ କରେ । ’

ସେ କଣ ଭାବିଲା କେଜାଣି ସେଠୁ ଚୁପ୍ ଚାପ୍ ଚାଲିଗଲା । ଯେତେବେଳେ ସଟ୍ ସୁଟିଂ ହେଇ ସିନ୍ ସରିଲା ମୁଁ ଯାଇ ବିଜୟକୁ କହିଲି, ‘କୁଣ୍ଢେଇ ପକାଇଲି । ଆଉ ପଚାରିଲି କଣ କାଲିକା ସିନ୍ ପାଇଁ ଆଜି ରାତିରୁ ଡାଇଲଗ୍ ଦେବି ?’’

ସେ ସେମିତି ମୋ ଛାତି ସାଙ୍ଗରେ ଛାତି ରଖି କହିଲା, ‘ନାଇଁ ଭାଇନା-ୟା ଦ୍ୱାରା ମୋ ଅଭିନୟ ଆହୁରି ନିଖୁଣ ହେଉଛି । ମୁଣ୍ଡରେ ଆଉ କୌଣସି ଭାବନା ରହୁନାହିଁ । ଏକାଗ୍ରତା ବଢିଯାଉଛି । ’

ସେ ବିଜୟ ସେ । ପରବର୍ତ୍ତୀ କାଳରେ ବହୁ ଚଳଚ୍ଚିତ୍ରରେ ନାୟକ ଭାବରେ, ପୁଣି ନାୟକ ହେବାର ବୟସ ଚାଲିଗଲା ପରେ ପାଶ୍ୱର୍ ଅଭିନେତା, ଏମିତି ଭାବରେ ନିଜର ପୋଖତ କଳାକାର ପଣିଆକୁ ବଜାୟ ରଖିଲା ।
‘ଡୋରା ’ ଚଳଚ୍ଚିତ୍ରରେ ମଧ୍ୟ କୋରାପୁଟର ପାହାଡ, ଜଙ୍ଗଲ, ଫୁଲ ଭିତରେ ସୁଟିଂ କରିଛୁ । ଏକା ସାଙ୍ଗେ ଖାଇଚୁ, ପିଇଚୁ (ମଦ ନୁହେଁ) ଆଉ ବହୁତ ମନଖୋଲା କଥାବାର୍ତ୍ତା ହୋଇଛୁ । ସେ ତା ଜୀବନର ଅନେକ ଅକୁହା କଥା ମତେ କହିଛି । ମୁଁ ଶୁଣିଛି ଆଉ ତାକୁ କଥା ଦେଇଛି ଏକଥା ମୋ ଛଡା ମୁଁ ଆଉ କାହାରିକୁ ଜଣାଇବି ନାହିଁ ।

କଳାକାର ଆବହାୱାକୁ ଚବିଶ ଘଣ୍ଟା ଜାବୁଡି ଧରିବାକୁ ଇଚ୍ଛାରେ ସେ ବାହା ହେଲା ଓଡିଆ ଚଳଚ୍ଚିତ୍ରର ସ୍ୱନାମଧନ୍ୟା ନାୟିକା ‘ତନ୍ଦ୍ରା ରାୟ’ଙ୍କୁ ।

୨୦୦୮ ମସିହାରେ ମୋର ‘କାଳିକିଙ୍କର’ ଚଳଚ୍ଚିତ୍ରରେ ମୁଁ ଡାକିଥିଲି ପୁରୀକୁ । ସେ ମତେ ପଚାରିଲା ‘ଭାଇନା ଆପଣ ଅଭିନୟ କାହିଁକି ଛାଡିଦେଲେ ?’ମୋର ସେହି ଚିରାଚରିତ ଉତ୍ତର ଛାଡିଲି କୋଉଠି? ଆଗରୁ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରୁଥିଲି । ଏବେ ମୋର ଚଳଚ୍ଚିତ୍ରରେ ପ୍ରତ୍ୟେକ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳୁଛି ନିର୍ଦ୍ଦେଶକ ହିସାବରେ ।’

ଏ ଭିତରେ ଏତେ ବର୍ଷ ବିତି ଯାଇଛି ଜାଣି ନଥିଲି । ବିଜୟ ଚେତେଇ ଦେଇ ଯାଇଛି ମତେ, ଯେତେବେଳେ ତାର ମରଶରୀରରେ ତାର ବନ୍ଦ ଆଖିକୁ ମୁଁ ଦେଖିଲି ।

ବିଜୟ ଏ ସଂସାରରେ ସମସ୍ତେ ଫେରିଯିବେ । ହେଲେ ତୁ ଯାହା ଓଡିଆ ଦର୍ଶକମାନଙ୍କୁ ଦେଇଯାଇଛୁ ତାକୁଇ ଧରି ସାରା ଓଡିଶାବାସୀ ତତେ ତାଙ୍କ ନିଜ ପାଖରେ ଧରି ତୋର ଉପସ୍ଥିତି ଅନୁଭବ କରି ଚାଲିଥିବେ ।
ବିଦାୟ ବନ୍ଧୁ ବିଜୟ ବିଦାୟ ।

 

Leave A Reply

Your email address will not be published.