ଛତିଶଗଡ଼: ସନ୍ଧ୍ୟା ହେଲେ ମହିଳା ହୁଅନ୍ତି କମାଣ୍ଡୋ । ଗାଁକୁ ଦିଅନ୍ତି ସୁରକ୍ଷା । ରାତି ଅନିଦ୍ରା ହୋଇ ଜଗି ରୁହନ୍ତି ଗାଁକୁ । ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଭାବୁଥିବେ ମହିଳା ପୁଣି କମାଣ୍ଡୋ ହୋଇ ସୁରକ୍ଷା କେମିତି ଦେବେ । ବାସ୍ତବରେ ଛତିଶଗଡ଼ରେ ଏମିତି ଏକ ଗାଁ ରହିଛି, ଯେଉଁଠାରେ ମହିଳାମାନେ ଗାଁର ସୁରକ୍ଷା କରିଥାନ୍ତି ।
ଛତିଶଗଡ଼ରେ ରହିଛି ଭାନାନଚାଲ ଆଦିବାସୀ ପ୍ରାଧାନ୍ୟ ଗାଁ । ଗାଁରେ ଅତ୍ୟାଚାର,ଝଗଡା, ବିବାଦ, ଶତ୍ରୁତା, ପାରିବାରିକ କଳହ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ଶାନ୍ତି, ନିରାପତ୍ତା, ପରିବାର ତଥା ସାମାଜିକ ଉନ୍ନତିରେ ବାଧା ସୃଷ୍ଟି ହେଲା । ଏହାର ମୁଖ୍ୟ କାରଣ ଥିଲା ବେଆଇନ ମଦ ତିଆରି । ଗାଁର ପୁରୁଷମାନେ ମଦ ପିଇ ଘରେ ଅଶାନ୍ତି କରିବା ସହ ଗାଁରେ ଗଣ୍ଡଗୋଳ ସୃଷ୍ଟି କରନ୍ତି । ସବୁଦିନ ଗାଁ ଅଶାନ୍ତ ରହୁଥିଲା । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ମହିଳାମାନେ ଭୟ କଲେ । ଶେଷରେ ସମସ୍ତ ମହିଳା ଏକଜୁଟ୍ ହେଲେ । ଗାଁ କିପରି ନିଶାମୁକ୍ତ ହେବ ସେଥିଲାଗି ଆଲୋଚନା କଲେ । ଗାଁ ଲୋକେ ଯେତେ ବିରୋଧ କଲେ ମଧ୍ୟ କିଛି ପ୍ରତିକାର ହେଲା ନାହିଁ । ତେଣୁ ବାଧ୍ୟ ହୋଇ ନିଜ ଗାଁ ଓ ପରିବାରର ରକ୍ଷା କରିବାକୁ ମହିଳାମାନେ ଅଣ୍ଟା ଭିଡ଼ିଲେ । ଏଠାରେ ମଦ ବିକ୍ରି ହେବ ନାହିଁ କି କେହି ପିଇବେ ନାହିଁ ସେଥିଲାଗି ଗାଁ ଜଗିବାକୁ ନିଷ୍ପତ୍ତି ନେଲେ ।
ଗାଁର ମହିଳାମାନେ ଏକତ୍ରିତ ହୋଇ ମଦ ଭାଟିକୁ ଭାଙ୍ଗି ଦେଲେ । ସନ୍ଧ୍ୟା ହେଲେ ପ୍ରତ୍ୟେକ ଘରର ମହିଳାମାନେ ହାତରେ ଟର୍ଚ୍ଚ, ବାଡି ଓ ହୁଇସିଲ ନେଇ ଗାଁ ଜଗିଲେ । କିଛି ମହିଳା ଗାଁ ଆରମ୍ଭରେ ଜଗୁୁଥିବା ବେଳେ ଆଉ କିଛି ଗାଁ ମୁଣ୍ଡରେ ରହୁଥିଲେ । ଆଉ କିଛି ଗାଁ ମଝିରେ ପ୍ରହରା ମାରିଲେ । ମଦ ବିକ୍ରୟ ଉପରେ ନଜର ରଖିବା,ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ମଦ କେହି ପିଇ ପାରିବେ ନାହିଁ ବୋଲି ନିୟମ ରଖିଛନ୍ତି । ସବୁଠୁ ବଡ଼ କଥା, ୩ ମାସ ମଧ୍ୟରେ ଏଠାରେ କେହି ମଦ ପିଇନାହାନ୍ତି କି ଗଣ୍ଡଗୋଳ ବି ହୋଇନାହିଁ ।
Comments are closed.