Latest Odisha News

କାଠଯୋଡ଼ି ନଦୀ ଉପରେ ରାଜ୍ୟ ସରକାର ତିଆରି କରିବେ ବ୍ରିଜ, ଆରମ୍ଭ ହେଲା ପ୍ରକ୍ରିୟା

କଟକ: ଭୁବନେଶ୍ୱର-କଟକ ମଧ୍ୟରେ ସଡ଼କପଥ ସେବାକୁ ଗହଳି ମୁକ୍ତ ଏବଂ ଉନ୍ନତ କରିବା ପାଇଁ ରାଜ୍ୟ ସରକାର କଟକ ଜିଲ୍ଲାର ତ୍ରିଶୁଳିଆ ନିକଟରେ ଥିବା କାଠଯୋଡ଼ି ନଦୀ ଉପରେ ଏକ ଚାରି ଲେନ୍ ବିଶିଷ୍ଟ ବ୍ରିଜ ବା ପୋଲ ନିର୍ମାଣ ପାଇଁ ଯୋଜନା କରିଛନ୍ତି। ପ୍ରସ୍ତାବିତ ସେତୁରେ ପାଦଚଲା ରାସ୍ତା ଓ ଉପଯୁକ୍ତ ଆଲୋକ ବ୍ୟବସ୍ଥା ରହିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହେବ ବୋଲି ସରକାର ଯୋଜନା କରିଛନ୍ତି।

ଏଥିପାଇଁ ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଓବି ଆଣ୍ଡ୍ ସିସି) ୨୨୦ କୋଟି ଟଙ୍କର ଟେଣ୍ଡର ଆହ୍ବାନ କରିଛି। ଓବି ଆଣ୍ଡ ସିସି ଅଧୀକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ସେଠୀ କହିଛନ୍ତି ଯେ ନିର୍ମାଣ କାମ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହେବ ଏବଂ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଏହାର ଲକ୍ଷ୍ୟ ରହିଛି।

ପୂର୍ଣ୍ଣାଙ୍ଗ ହେବା ପରେ, କଟକ ସହର ତ୍ରିଶୁଳିଆକୁ ସଂଯୋଗ କରିବ ଏହି ନୂଆ ସେତୁ। କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ (ସିଏମସି) ନିରବଚ୍ଛିନ୍ନ ଟ୍ରାଫିକ୍ ପାଇଁ ତ୍ରିଶୁଳିଆ ଏବଂପୋଲି ସଂଯୋଗ କରୁଥିବା ଛକକୁ ଆହୁରି ବିକଶିତ କରିବା ଦିଗରେ ନିର୍ମାଣ ସହିତ ଅନ୍ୟାନ୍ୟ କାମ କରିବେ। ଏଥିପାଇଁ ସିଏମସି ୮ କୋଟି ଟଙ୍କା ଆବଣ୍ଟନ କରିସାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ମସିହାରେ କାଠଯୋଡି ନଦୀ ଉପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁର ଶିଳାନ୍ୟାସ କରିଥିଲେ। ଏହା କଟକକୁ ଭୁବନଶ୍ବର ସହ ଯୋଡ଼ିବାର ପ୍ରମୁଖ ଭୂମିକା ଗ୍ରହଣ କରିଛି। ତ୍ରିଶୁଳିଆକୁ ସଂଯୋଗ କରୁଥିବା ଏହି ବ୍ରିଜ ୨.୮୮ କିଲୋମିଟର ରହିଛି। ଏହି ନୂଆ ସେତୁ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବା ସହ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ସରକାର ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ଜୟଦେବ ବିହାରରୁ ପଟିଆ ରାସ୍ତାର ପ୍ରଶସ୍ତିକରଣ ହେବ। ଯେଉଁ ଦୁଇ ଲେନ୍ ରାସ୍ତା ରହିଛି ତାକୁ ଆହୁରି ପ୍ରଶସ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ହୋଇସାରିଲାଣି। ସଂଧ୍ଯା ଓ ସକାଳ ସମୟରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଚିନ୍ତାର କାରଣ ସାଜିଥିବାରୁ ଏବେ ରାସ୍ତା ପ୍ରଶସ୍ତିକରଣ ହେଉଥିବାରୁ ତ୍ରିଶୁଳିଆ ନିକଟରେ ଆଉ ଏକ ସମାନ ବ୍ରିଜ କରିବାକୁ ବାଟ ଖୋଲିଛି ବୋଲି ସୂଚନା ରହିଛି।

Leave A Reply

Your email address will not be published.