ବାରିପଦା: ଲଭ, ସେକ୍ସ ଆଉ ପରେ ଧୋକା! ଆଇନ ରକ୍ଷା କରୁଥିବା ପୋଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ପୁଣି ଖାକିରେ ଲାଗିଲା ଦାଗ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରିରୀକ ସମ୍ପର୍କ। ଆଉ ପରେ ମିଳିଲା ପ୍ରତାରଣା। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଧରାଛୁଆଁ ଦେଉନାହାନ୍ତି ଏହି ପୋଲିସ ବାବୁ। ଏନେଇ ପୀଡ଼ିତା ମହିଳାଜଣକ ମୟୂରଭଞ୍ଜ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ତତ୍ପର ହୋଇଛି ପୋଲିସ ।
ଏହି ମାମଲାରେ ମୋଟ ୭ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ମୟୂରଭଞ୍ଜ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍ ଜରିଆରେ ଏସ୍ଆଇ ପ୍ରଭାତ ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଏସ୍ଆଇ ତାଙ୍କ ସହ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଯୁବତୀ ଜଣକ ବିବାହ ପାଇଁ ଚାପ ପକାଇବା ପରେ ଏସ୍ଆଇ ତାଙ୍କୁ ପ୍ରତାରଣା କରିଥିବା ଏବଂ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ। ପୀଡ଼ିତାଙ୍କ ଏତଲା ଆଧାରରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୋଗ ସମ୍ପର୍କରେ ଏସ୍ଆଇ ପ୍ରଭାତ ନାୟକ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗର ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

