Latest Odisha News

BREAKING NEWS

ସଫଳତା ଆଣିଛି ଛେଳି ଚାଷ, ବିଦେଶି ଛେଳିଚାଷ କରି ସ୍ଵାବଲମ୍ବୀ ହୋଇଛନ୍ତି ମହିଳା

ସୋନପୁର: ଦିନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ରହିଥିବା ବେଳେ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଥିଲା ମହିଳା l ଏବେ କିନ୍ତୁ ବଦଳିଛି ସମୟ । ବଦଳିଛି ମହିଳାଙ୍କ କାମ । ଘରର ଚାରିକାନ୍ଥ ଭିତରୁ ବାହାରି ଏବେ ମହିଳାମାନେ ନିଜ ପ୍ରଚେଷ୍ଟାରେ ହୋଇପାରୁଛନ୍ତି ସ୍ଵାବଲମ୍ବୀ । ଆଉ ମହିଳାଙ୍କ ଏହି ପ୍ରଚେଷ୍ଠା ବଦଳେଇ ଦେଇପାରୁଛି ତାଙ୍କ ପାରିବାରିକ ଜୀବନ ଶୈଳୀ l ଆଉ ଏହାକୁ ଶତ ପ୍ରତିଶତ ପ୍ରମାଣ କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତରାଇକେଲା ଗାଁର ମହିଳାଚାଷୀ ରିଙ୍କି l

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାକି ସବୁକିଛି l ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଆରମ୍ଭ କରିଥିଲେ ଛେଳିଚାଷ l ଆଉ ଆଜି ବିଭିନ୍ନ ପ୍ରକାରର ବିଦେଶି ପ୍ରଜାତିର ଛେଳି ଆଣି ବ୍ରିଡଦେବା ସହ ଛେଳି ଛୁଆ ବିକ୍ରିକରି ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା l ଆଫ୍ରିକେନ ବଏ , ବିଟ୍ଟଲ, ତୋତାପରି ଭଳି ବିଦେଶି ଛେଳି ଚାଷ ଭଳିଆ ଏକ କଠିନ କାର୍ଯ୍ୟ କୁ ସଫଳତାର ସହ ପରିଚାଳନା କରି ନିଜର ଆର୍ଥୀକ ବିକାଶ କରିପାରିଛନ୍ତି ରିଙ୍କି । ଏପରିକି ପ୍ରାଣି ସଂପଦ ବିଭାଗ ଦ୍ୱାରା ଚିକିତ୍ସା ପାଇଁ ନିଜ ଫାର୍ମରେହିଁ ଛେଳିଙ୍କ ପାଇଁ ମହଜୁତ ରଖିଛନ୍ତି ବିଭିନ୍ନ ପ୍ରକାରର ଔଷଧ l  ଫାର୍ମ ପଛ ପଟେ ହୋଇଛି ଘାଷଚାଷ । ଆଉ ଏସବୁ ଚାଷକରି ଏବେ ବେଶ୍ ଖୁସିରେ ଅଛନ୍ତି ରିଙ୍କି ।

ରିଙ୍କି ଘରକୁ ବିବାହ କରି ଶାଶୁଘରକୁ ଆସିବା ପୁର୍ବରୁ ଘର ପାଖରେ ଥିବା କିଛି ଜମି ପଡିଆ ଥିଲା  l ଏହାପରେ କିଛି କରି ଦେଖେଇବାର ଇଚ୍ଛା ରିଙ୍କିଙ୍କୁ ଟାଣି ନେଇଥିଲା ଏହି ଚାଷ ପାଖକୁ । ରିଙ୍କି ପରିବାରର ସମସ୍ତଙ୍କର ସହଯୋଗରେ ପ୍ରଥମେ ଆରମ୍ଭ କରିଥିଲେ ଛେଳିଚାଷ l ଆଉ ସବୁଠୁ ବିଷ୍ମୟର ବିଷୟ ହେଉଛି ଏହି ଚାଷରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ଇଞ୍ଜିନିୟର ଦିଅର ଏବଂ ଇଞ୍ଜିନିୟର ସ୍ୱାମୀ । ଇଞ୍ଜିନିୟରିଂ ଛାଡି ଦିଅର ବର୍ତମାନ ରିଙ୍କିଙ୍କୁ ଛେଳି ଚାଷର ସହଯୋଗ କରୁଥିବା ବେଳେ ସ୍ୱାମୀ ମଧ୍ୟ ବହୁତ ଶିଘ୍ର ଚାକିରି ଛାଡି ନିଜ ସ୍ତ୍ରୀଙ୍କୁ ଛେଳି ଚାଷରେ ସହଯୋଗ କରିବାକୁ ଆଗ୍ରହି ଥିବା ପ୍ରକାଶ କରିଛନ୍ତି l ନିଜେ ଶ୍ରମଦାନ କରିବା ସହ ପରିବାର ଲୋକଙ୍କ ସାହାର୍ଯ୍ୟରେ ଟାଙ୍ଗରା ଭୂଇଁରେ ସୁନାର ଫସଲ ଫଳାଇ ପାରିଛନ୍ତି ଏହି ମହିଳା ଚାଷି l ତାଙ୍କର ଏହି କାର୍ଯ୍ୟ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.