Latest Odisha News

BREAKING NEWS

୧୦୦ ଟଙ୍କାରେ ୧୦ ମାସର ଶିଶୁପୁତ୍ର !

ଝାଡଖଣ୍ଡ: ସତରେ କରୋନା ମହମାରୀ ମଣିଷଙ୍କୁ ପଶୁ ବନାଇସାରିଛି । ବୋଧ ହୁଏ ସେଥିପାଇଁ ଭୋକର ତାଡନା ସହିନପାରି ଜଣେ ମହିଳା ନିଜ ୧୦ ମାସର ଶିଶୁକୁ ବିକ୍ରୀ କରିବାକୁ ଚେଷ୍ଟା କରିଥିଲା । ଆଉ ତା ପୁଣି ମାତ୍ର ୧୦୦ଟଙ୍କାରେ । ଜାମସେଦପୁର ଜୁଗସଲାଇରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ରାସ୍ତାକଡ ଜଳଖିଆ ଦୋକାନରେ ଜଣେ ମହିଳା କାମ କରୁଥିଲେ । ହେଲେ ଲକ୍‌ଡାଉନ୍‌ରେ ହରାଇଥିଲେ ସ୍ୱଳ୍ପ ଆୟର ଚାକିରୀ । ପରେପରେ ସ୍ୱାମୀ ବି ଚାଲିଯାଇଥିଲେ ଆରପାରିକୁ । ଶେଷରେ ବାଧ୍ୟ ହୋଇ ମହିଳା ଜଣକ ନିଜ ଶିଶୁପୁତ୍ରକୁ ମାତ୍ର ୧୦୦ ଟଙ୍କାରେ ବିକ୍ରୀ କରିବାକୁ ଉଦ୍ୟମ କରିଥିଲେ । ଶିଶୁପୁତ୍ରକୁ ବିକ୍ରୀ କରିବାକୁ ମହିଳା ଜଣକ ଏକ ପେଟ୍ରୋଲ ପମ୍ପ ନିକଟରେ ଅପେକ୍ଷା କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଶିଶୁପୁତ୍ର ବିକ୍ରୀ ଉଦ୍ୟମକୁ ପଣ୍ଡ କରିଥିଲାବେଳେ ଖସି ଚାଲିଯାଇଥିଲା କ୍ରେତା ।

ପୋଲିସ ନିକଟରେ ମହିଳା ଜଣକ ବଖାଣିଥିଲେ ଛାତିଥରା କାହାଣୀ । ଅର୍ଥାଭାବରୁ ହସ୍ପିଟାଲ ବଦଳରେ ଟାଟା ନଗର ରେଳବାଇ ଷ୍ଟେସନରେ ଦେଇଥିଲେ ଶିଶୁପୁତ୍ରକୁ ଜନ୍ମ । ପରେ କରୋନା ମହାମାରୀ ଓ ଲକଡାଉନର ଚଡକ । ଶେଷରେ ଅନ୍ୟ ଉପାୟ ନ ପାଇ ମହିଳା ଜଣକ ନିଜ ଶିଶୁପୁତ୍ରକୁ ବିକ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅନ୍ୟପଟେ ଶିଶୁପୁତ୍ରଟି ମହିଳାଙ୍କର କି ଅନ୍ୟ କାହାର, ଏ ନେଇ ପୋଲିସ ତଦନ୍ତ ଚଳାଇଛି । ଉଭୟଙ୍କୁ ଏକ ଏନଜିଓରେ ଥଇଥାନ କରାଯାଇଥିଲାବେଳେ ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏଭଳି ସ୍ଥିତିରେ ପୋଲିସ ନୀରବ ରହିଥିଲାବେଳେ ମହିଳାଙ୍କ ବିରୋଧରେ କୌଣସି ମାମଲା ଦାୟର ହୋଇନାହିଁ ।

Leave A Reply

Your email address will not be published.