Latest Odisha News

BREAKING NEWS

‘ପରୀ’ ପାଇଁ କଥାଟିଏ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

୨୦୧୮ ମସିହା ମେ ମାସର ଘଟଣା । ରାଜ୍ୟ ସରକାର ସେହି ସମୟରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯା’ର ନାଁ ଥିଲା- ପରୀ ପାଇଁ କଥାଟିଏ । ଉଦ୍ଦେଶ୍ୟ ଥିଲା- ଶିଶୁ ଓ ନାବାଳିକା ବିରୋଧୀ ଅପରାଧ ଓ ଯୌନ ନିର୍ଯାତନା ରୋକିବା । ଏଥିପାଇଁ ୟୁନିସେଫ୍‍ ସହାୟତା ଯୋଗାଇ ଦେଇଥିଲା । ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ । ପରେ ସାରା ରାଜ୍ୟରେ ‘ପରୀ ଏକ୍ସପ୍ରେସ୍‍’ ଗଡ଼ିଥିଲା ।
ଆର୍‍.ପି ଶର୍ମା ପୁଲିସ ଡିଜି ଥିବା ବେଳେ କହିଥିଲେ- ମିଶନ ପରୀ ହାତକୁ ନିଆଯିବ । ଏହା ଫଳରେ ୨୦୨୪ ସୁଦ୍ଧା ଶିଶୁ ବିରୋଧୀ ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ।

ଏବେ ୨୦୨୦ ଶେଷ ବେଳକୁ ‘ପରୀ’ ମାମଲାକୁ ନେଇ ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ନା ‘ପରୀ ଏକ୍ସପ୍ରେସ୍‍’ ଆଉ ରାସ୍ତାରେ ଦେଖିବାକୁ ମିଳୁଛି, ନା ରାଜ୍ୟ ପୁଲିସ ଆଉ ‘ମିଶନ ପରୀ’ କଥା କହୁଛି । ଗୋଟିଏ କାର୍ଯ୍ୟକ୍ରମକୁ ସେଇ ନାଁରେ ଏମିତି ଝଟ୍‍କା ଲାଗିଛି ଯେ ରାଜ୍ୟ ପୁଲିସ ପ୍ରଶାସନ କେହି ଜାଣିପାରୁ ନାହାନ୍ତି, କଣ କରିବେ । କି ପଦକ୍ଷେପ ନେବେ!

ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁସାରେ- ଶିଶୁମାନଙ୍କ ଅପହରଣ ଅପରାଧ ମାମଲାରେ ଓଡ଼ିଶା ଜାତୀୟ ହାରଠାରୁ ବେଶ ଆଗରେ ରହିଛି । ୨୦୧୯ ମସିହାରେ ରାଜ୍ୟରେ ୩୧୫୧ ଜଣ ଶିଶୁ ନିଖୋଜ ହୋଇ ଯାଇଥିଲେ । ସେଥିମଧ୍ୟରୁ ୨୩୫୨ ଜଣଙ୍କ ସଂପର୍କରେ କୌଣସି ଖୋଜଖବର ମିଳିନାହିଁ । ଆଉ ସେହି ସଂଖ୍ୟାକୁ ମିଶେଇ ଦେଲେ ରାଜ୍ୟରେ ୨୦୨୦ ଆରମ୍ଭ ବେଳକୁ ୫,୫୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି ।

ସେମିତି ନାବାଳିକାଙ୍କ କ୍ଷେତ୍ରରେ ଯୌନ ନିର୍ଯାତନା ହାର ମଧ୍ୟ ରାଜ୍ୟରେ ବଢି ବଢି ଚାଲିଛି । ୨୦୧୯ ମସିହାରେ ୧୦୦୫ଟି ନାବାଳିକା ଧର୍ଷଣ ମାମଲା ଓଡ଼ିଶାରେ ରୁଜୁ ହୋଇଥିଲା । ଅର୍ଥାତ୍‍ ଦିନକୁ ୫.୫୮ ଜଣ ନାବାଳିକା ଯୌନ ଶୋଷଣର ଶିକାର ହେଉଛନ୍ତି । ସ୍କୁଲଠାରୁ ଆରମ୍ଭ କରି ଘର, ପଡ଼ିଶା ଘର ପର୍ଯ୍ୟନ୍ତ କେଉଁଠି ଆଉ ନାବାଳିକାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ । ଓଡ଼ିଶାର ଅନେକ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଏପରିକି ଅନେକ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇ ପିଲା ଜନ୍ମଦେବା ଖବର ପ୍ରକାଶିତ ହୋଇଛି । ଯେଉଁଟିକୁ ପିଲା ପଢିବାକୁ ଯାଏ, ହଜାରେ ନୂଆ କଥା ଶିଖିବାକୁ ଯାଏ, ସେଠାରେ ଯଦି ଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯାତିତ ହୋଇ ଛାତ୍ରୀ ଜଣକ ଗର୍ଭବତୀ ହେଲା, ତେବେ ଏହା ଛାତି ଫାଟିଗଲା ପରି ଘଟଣା ନିଶ୍ଚିତ ଭାବେ ।

ଏଥର ନୟାଗଡ଼ର ପରୀ ମାମଲାକୁ ଆସନ୍ତୁ । ମନ୍ତ୍ରୀ ଅରୁଣ ସାହୁଙ୍କୁ ହଟାଇବା ପାଇଁ ଦାବି ଜୋରଦାର ହେଉଛି । ତାଙ୍କ ସହଯୋଗୀ ଏଥିରେ ସାମିଲ ବୋଲି ଅଭିଯୋଗ ହେଉଛି । ସେପଟେ ପରୀର ବାପା, ମାଆ ତାଙ୍କର ଏକମାତ୍ର ଝିଅକୁ ହରାଇବା ପରେ ନିଜ ଗାଈ, ବାଛୁରୀ ବିକି ଅଭାବ ମେଣ୍ଟାଉଛନ୍ତି । ପରୀର ବାପା ଅଟୋ ଚଳାନ୍ତି । ଏବେ ପଚଣି ଅଭାବ ବଢିଗଲା ପରେ ସେ ନିଜର ଅଟୋ ବିକିବାକୁ ବାହାରିଛନ୍ତି ।

ସରକାରଙ୍କୁ କଣ ଏତିକି ଦେଖା ଯାଉନି ନା ଜିଲ୍ଲା ପ୍ରଶାସନ ଏତିକି ଜାଣି ପାରୁନି ଯେ, ଏତେ ତୀବ୍ର ଦାରିଦ୍ର‌୍ୟ ଭିତରେ ସେମାନେ ଅଛନ୍ତି ଓ ସେମାନଙ୍କୁ କିଛି ସାହାଯ୍ୟ ଦରକାର? ନା ସେମାନଙ୍କୁ ନେଇ ସମସ୍ତେ ଅଡ଼ୁଆରେ ପଡ଼ିଛନ୍ତି ବୋଲି ସେମାନଙ୍କୁ ସହଯୋଗ କରାଯିବ ନାହିଁ?

ମନେ କରନ୍ତୁ ଅପରାଧୀ ଧରା ପଡ଼ିଯିବ, ମନ୍ତ୍ରୀ ଇସ୍ତାଫା ଦେଇଦେବେ, କିନ୍ତୁ ରାଜ୍ୟରେ ‘ପରୀ ପାଇଁ କଥାଟିଏ’ ନେଇ ଚାଲିଥିବା କ୍ୟାମ୍ପେନ୍‍ କେବେ ସଫଳ ହେବ କି? ହୋଇ ପାରିବ କି? ଆମେ ସମସ୍ତେ ପରା ସେଥିରେ ଜଣେ ଜଣେ ଅପରାଧୀ । ନାବାଳିକା ଯୌନ ଅପରାଧ ମାମଲାରେ ପରିବାର ଓ ଚିହ୍ନା ପରିଚିତ ଲୋକେ ପରା ବେଶି ସାମିଲ ଥାଆନ୍ତି ।

ଜିଲ୍ଲା ପ୍ରଶାସନ କି ପୁଲିସ ଏସବୁ ମାମଲାକୁ ଆଦୌ ଗୁରୁତର ସହ ନେଉ ନାହିଁ । ତାର ସଫା ଉଦାହରଣ ତ ନିଜେ ପରୀ । ପରୀ ମାମଲା ରାଜ୍ୟସ୍ତରକୁ କି ଜାତୀୟସ୍ତକୁ ଆସି ନଥିଲେ ନୟାଗଡ଼ ପୁଲିସ ଏ ମାମଲା ଆଉ କେତେ ଆଗକୁ ନେଇ ଥାଆନ୍ତା? ପୁଣି ଏସବୁ ପ୍ରସଙ୍ଗରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସାମିଲ କରି ସାଚତନତା କରିବା ପାଇଁ ଜାତୀୟ ମାନବାଧିକାର କମିଶନ କେବେଠାରୁ କହି ସାରିଛନ୍ତି । କିନ୍ତୁ ସେସବୁ ଦେଖୁଛି କିଏ?

ଆମର ତ ରଥ ଗଡ଼ିଲେ, ପରୀ ଏକ୍ସପ୍ରେସ୍‍ ବୁଲି ଫଟୋ ଉଠେଇ ଦେଲେ କାମ ସରିଗଲା ।  ‘ପରୀ ପାଇଁ କଥାଟିଏ’ ନିମନ୍ତେ ଆମର ସମୟ କାହିଁ ଯେ?

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.