Latest Odisha News

କଂଗ୍ରେସକୁ ବିଦା କରିବ ଆପ୍: ଇଣ୍ଡି ମେଣ୍ଟ ସହ ହେବ ବଡ ଆଲୋଚନା…

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ଦିଲ୍ଲୀ ରାଜନୀତିରେ ବିଭିନ୍ନ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ଯେଉଁଠି ଆପ୍ ପାଇଁ ବିଜେପି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସବୁଠି ଚର୍ଚ୍ଚା ହେଉଥିଲା ସେଠି ଏବେ ମୁହାଁ ମୁହିଁ ହୋଇଛନ୍ତି ଆପ୍-କଂଗ୍ରେସ । ଇଣ୍ଡି ମେଣ୍ଟ ଏକାଠି ହୋଇ ଦିଲ୍ଲୀରେ ବିଜେପି ବିରୋଧରେ ଲଢିବେ କ’ଣ ଏବେ ପରସ୍ପର ମଧ୍ୟରେ ଚାଲିଛି ଟଣାଓଟରା । କଥା ଏପର୍ଯ୍ୟନ୍ତ ବଢିଲାଣି ଯେ, ଏବେ ଇଣ୍ଡି ମେଣ୍ଟରୁ କଂଗ୍ରେସକୁ ବିଦା କରିବାକୁ ଚାହୁଁଛି ଆପ୍ । ଏନେଇ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶି ମରଲେନ୍ ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିବା ଇଣ୍ଡି ବ୍ଲକ ଏବେ ଛିନ୍ନଭିନ୍ନ ହେବାକୁ ଆରମ୍ଭ କଲାଣି । ଗୋଟିଏ ପଟେ କଂଗ୍ରେସଠାରୁ ଇଣ୍ଡି ବ୍ଲକ୍‌ର ନେତୃତ୍ୱ ଛଡାଇ ନେଇ ମମତା ବାନାର୍ଜୀଙ୍କୁ ଦେବାକୁ ଦାବି ହେଉଛି, ଆଉ ଅନ୍ୟପଟେ ଆମ୍‌ ଆଦମୀ ପାର୍ଟି ଏହି ମେଣ୍ଟରୁ ସବୁଠାରୁ ପୁରୁଣା ଦଳକୁ ଆଉଟ୍‌ କରିବାକୁ ଦାବି କରୁଛି। ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ। ଏମିତି କିଛି ଚେତାବନୀ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ଏଥିସହିତ ଏନେଇ ପ୍ରେସମିଟ କରି ମଧ୍ୟ ଆନୁଷ୍ଠାନିକ ଭାବେ କଂଗ୍ରେସକୁ ଖୋଲା ଚ୍ୟାଲେଞ୍ଜ କରିବେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ।

ତେବେ ପୂର୍ବରୁ ମଧ୍ୟ କଂଗ୍ରେସକୁ ନେଇ ଆପ୍ ନେତାମାନେ ଖପ୍ପା ରହିଛନ୍ତି । ଯାହାର ଝଲକ ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମଦ୍ୟ ଦେଖିବାକୁ ମିଳିଥିଲା । ହେଲେ ମତାନ୍ତର ମନାନ୍ତର ଭିତରେ ସେମିତି ଆଗକୁ ବଢୁଥିଲା ଇଣ୍ଡି ମେଣ୍ଟ । ହେଲେ ଏବେ କଥା ବହୁତ ଆଗକୁ ବଢିଛି । କଂଗ୍ରେସ ନେତା ଅଜୟ ମାକେନ୍ କେଜ୍ରିଓ୍ବାଲଙ୍କ ଫର୍ଜିଓ୍ବାଲ ବୟାନ ଦେବାକୁ ନେଇ ଏବେ ଭଡକିଛି ଆପ୍ । ତେବେ ଅ୍ରଜୟ ମାକେନ୍ କହିଛନ୍ତି, ଦିଲ୍ଲୀ ଭିତରେ ଯଦି କେଜ୍ରିଓ୍ବାଲଙ୍କୁ କୌଣସି ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଏ, ତାହା ହେଉଛି ଫର୍ଜିଓ୍ବାଲ । ଏମିତିକି ସେ କେଜ୍ରିଓ୍ବାଲଙ୍କୁ ଆଣ୍ଟି ନେସନାଲ ବା ଦେଶଦ୍ରୋହୀ ବି କହୀଛନ୍ତି । ଅନ୍ୟପଟେ ନିକଟରେ ଦିଲ୍ଲୀ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାଁରେ ଠକେଇ କରାଯାଉଥିବା ଅଭିଯୋଗ ଆଣି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

ଯାହାକୁ ନେଇ ରାଗି ଯାଇଛନ୍ତି ଆପ୍ ନେତା । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, କଂଗ୍ରେସ ବୟାନ ଏବଂ ତାର କାର୍ଯ୍ୟକଳାପରେ ଆପ୍ ନେତା ଅସନ୍ତୋଷ ଅଛନ୍ତି । ଏଥିସହିତ ସେ ଏହା ବି ଅଭିଯୋଗ କରିଛନ୍ତି, କଂଗ୍ରେସ ଏବେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିକୁ ସହଯୋଗ କରୁଛି । ଯଦି କଂଗ୍ରେସ ଏପରି କରୁନାହିଁ ବୋଲି ସେ ଦାବି କରୁଛି, ତାହାଲେ ଅଜୟ ମାକେନଙ୍କ ବୟାନ ପାଇଁ ତାଙ୍କ ଉପରେ କଂଗ୍ରେସ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ । ଯଦି କଂଗ୍ରେସ ଲପରି ନକରେ ତାହେଲେ ଆପ୍ ଇଣ୍ଡି ମେଣ୍ଟରୁ କଂଗ୍ରେସର ବହିଷ୍କାର ପାଇଁ ଅନ୍ୟ ଦଳୀୟ ସଦସ୍ୟଙ୍କ ସହ ଆଲୋଚନା କରିବ ।

ଏମିତିରେ ବି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢ଼ିବ ବୋଲି ଘୋଷଣା କରିସାରିଛି। ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ତରଫରୁ ଲଗାତର କରାଯାଉଥିବା ବୟାନବାଜୀକୁ ନେଇ ଆପ୍‌ ନେତା ଅସନ୍ତୋଷ ରହିଥିବା ବେଳେ ଏବେ ଏହାକୁ ନେଇ କଂଗ୍ରେସ ବିରୋଧରେ ଫେରାଦ୍ ହେବା ପାଇଁ ଆପ୍ ଚେତାବନୀ ଦେଇଛି ।

Leave A Reply

Your email address will not be published.