Latest Odisha News

କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆପ କରିବ ସାମୂହିକ ଅନଶନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫଦାରୀକୁ ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଛନ୍ତି ଆପ ନେତା । ଏହାରି ଭିତରେ ଆପର କର୍ମୀ ଓ କାର୍ଯ୍ୟକର୍ତ୍ତା ଆଜିଠାରୁ ଦେଶବ୍ୟାପୀ ସାମୂହିକ ଅନଶନ କରିଛନ୍ତି । ଦଳର ନେତା-ମନ୍ତ୍ରୀ ଓ କର୍ମାମାନେ ଆଜି ଦେଶର ବିଭିନ୍ନ ସ୍ଥାନରେ ଅନଶନରେ ବସିଛନ୍ତି।

ଆଜି ସକାଳୁ ସକାଳୁ ଆପର ବିଧାୟକ, ସାଂସଦ, ମନ୍ତ୍ରୀ, କାର୍ଯ୍ୟାଳୟର ଅଧିକାରୀ ଏବଂ ଦଳର କର୍ମକର୍ତ୍ତାମାନେ ଦିଲ୍ଲୀର ଜନ୍ତରମନ୍ତର ଏବଂ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଗାଁ ପଞ୍ଜାବର ଖଟଖର କଲାନାରେ ସାମୂହିକ ଅନସନ କରିଛନ୍ତି । ଆମ୍ ଆଦମୀ ପାର୍ଟି ଦ୍ଵାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଡଯନ୍ତ୍ର କରି ଇଡି ଗିରଫ କରିଛି । ଅନୁସନ୍ଧାନକାରୀ ଦଳର ଏହି ଆଭିମୁଖ୍ୟକୁ ବିରୋଧ କରି ଆଜି ଦେଶ ତଥା ବିଶ୍ୱରେ ସିଏମ କେଜ୍ରିୱାଲଙ୍କ ସମର୍ଥକମାନେ ଅନଶନ କରିବେ । ଏହି ଅନଶନ ସକାଳ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

ମନ୍ତ୍ରୀ ଗୋପାଳ ରାୟଙ୍କ କହିବା ଅନୁଯାୟୀ, ୟୁପି, ହରିୟାଣା, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସମେତ ଦେଶର ୨୫ ଟି ରାଜ୍ୟର ରାଜଧାନୀ, ଜିଲ୍ଲା ତଥା ବ୍ଲକ ମୁଖ୍ୟାଳୟ, ଗ୍ରାମ ଏବଂ ସହରରେ ସାମୂହିକ ଅନଶନ କରି ଲୋକମାନେ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେବେ। ଭାରତ ବ୍ୟତୀତ ଲୋକମାନେ ନ୍ୟୁୟର୍କ, ବୋଷ୍ଟନ୍, ଲସ୍ ଆଞ୍ଜେଲସ୍, ୱାଶିଂଟନ୍ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆରେ ମେଲବୋର୍ଣ୍ଣ, ବ୍ରିଟେନର ଲଣ୍ଡନ ସମେତ ବିଦେଶର ଅନ୍ୟାନ୍ୟ ସହରରେ ଆପ୍ କର୍ମୀମାନେ ମଧ୍ୟ ଏହି ଅନଶନରେ ସାମିଲ ହେବେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଗିରଫ ହେବା ପରେ କେଜ୍ରିୱାଲଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି ଇଡି। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି କେଜ୍ରିୱାଲ।

Leave A Reply

Your email address will not be published.