ନୂଆଦିଲ୍ଲୀ: ବଙ୍ଗଳାର ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲ୍ ପ୍ରତିଯୋଗିତାମୂଳକ କ୍ରିକେଟ୍କୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ରଣଜୀ ଟ୍ରଫି ୨୦୨୬-୨୭ ର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ ବିପକ୍ଷରେ ଏକ ଶତକ ଅର୍ଜନ କରିଛନ୍ତି । ବିବାଦ, ଆଇନଗତ ଜଟିଳତା ଏବଂ ୩୬ ଦିନ ଧରି ଜେଲରେ ରହିବା ପରେ ବଙ୍ଗଳାର ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲ୍ ମଇଦାନକୁ ଏକ ଐତିହାସିକ ଏବଂ ଭାବପ୍ରବଣ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୁଷ୍କର୍ମ ଏବଂ ଅପରାଧିକ ଧମକ ଦେବା ମାମଲାରେ ସମ୍ପ୍ରତି ଜାମିନରେ ମୁକ୍ତ ହୋଇଥିବା ୨୪ ବର୍ଷୀୟ ପୋରେଲଙ୍କୁ ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ ରଣଜୀ ଟ୍ରଫି ୨୦୨୬-୨୭ ର ପ୍ରଥମ ମ୍ୟାଚ୍ ପାଇଁ ଦଳରେ ସାମିଲ କରିଥିଲା । ଏଲିଟ୍ ଗ୍ରୁପ୍-ସି ର ଏକ ମ୍ୟାଚ୍ର ଦ୍ୱିତୀୟ ଦିନରେ ସେ ଦିଲ୍ଲୀ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ଶତକ ହାସଲ କରି ସମାଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ଯେପରି ସେ ନିଜର ଶତକ ପୂର୍ା କଲେ, ସେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିପାରିଲେ ନାହିଁ ଏବଂ ପିଚ୍ ମଝିରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ । ଏହି ମ୍ୟାଚ୍ରେ ଦିଲ୍ଲୀକୁ ପ୍ରଥମ ପାଳିରେ ୨୪୦ ରନ୍ରେ ଅଲଆଉଟ୍ କରିବା ପରେ ବଙ୍ଗଳାର ପାଳିକୁ ସମ୍ଭାଳିବାର ଦାୟିତ୍ୱ ଅଭିଷେକ ପୋରେଲ୍ ନେଇଥିଲେ ।
ପ୍ରାୟ ତିନି ମାସ ପରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ମଇଦାନକୁ ଓହ୍ଲାଇଥିବା ପୋରେଲ୍ ଆରମ୍ଭରୁ ହିଁ ନିଜର ଫର୍ମ ପ୍ରଦର୍ଶନ କରିଥିଲେ । ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପୋରେଲ୍ ମାତ୍ର ୧୩୭ ବଲ୍ରୁ ୧୧ଟି ଚୌକା ଏବଂ ୧ଟି ଛକା ସହାୟତାରେ ନିଜର ଶତକ ପୂର୍ଣ୍ଣ କରିଥିଲେ । ଦିନର ଖେଳ ଶେଷ ହେବା ପର୍ୟ୍ୟନ୍ତ ସେ ୧୧୪ ରନ୍ କରି ଅପରାଜିତ ଥିଲେ । ସେ ସାଥୀ ଶତକବୀର ସୁଦୀପ କୁମାର ଘରାମୀଙ୍କ ସହିତ ମିଶି ଚତୁର୍ଥ ୱିକେଟ୍ ପାଇଁ ୧୯୯ ରନ୍ର ଅଟୁଟ ଭାଗିଦାରୀ କରିଥିଲେ । ଦୁଲୀପ ଟ୍ରଫି ଏବଂ ଇରାନୀ କପ୍ ଭଳି ଟୁର୍ଣ୍ଣାମେଣ୍ଟରୁ ବାହାର ରହିବା ପରେ ସିଧାସଳଖ ରଣଜୀ ଜରିଆରେ ପ୍ରଥମ ଶ୍ରେଣୀ କ୍ରିକେଟ୍କୁ ଫେରିଥିବା ପୋରେଲଙ୍କ ଏହା ହେଉଛି ଦ୍ୱିତୀୟ ପ୍ରଥମ ଶ୍ରେଣୀ ଶତକ। ପୋରେଲଙ୍କୁ ୧୧ ଅଗଷ୍ଟ ୨୦୨୬ ରେ ଦୁଷ୍କର୍ମ ଏବଂ ଅପରାଧିକ ଧମକ ଅଭିଯୋଗରେ ଗିରଫ କରାଯାଇଥିଲା । ଏହି ମାମଲା କର୍ଣ୍ଣାଟକର ଜଣେ ମେଡିକାଲ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା, ଯାହାଙ୍କ ଅଭିଯୋଗ ଥିଲା ଯେ ତିନି ବର୍ଷ ଧରି ସମ୍ପର୍କରେ ଥିଲେ ଏବଂ ବିବାହର ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ପରେ ବିବାଦ କାରଣରୁ ବିବାହ କରିବାକୁ ମନା କରାଯାଇଥିଲା । ଏହି କାରଣରୁ ଅଭିଷେକ ପୋରେଲଙ୍କୁ ହେପାଜତକୁ ନିଆଯାଇଥିଲା । ପ୍ରାୟ ୩୬ ଦିନ ହେପାଜତରେ ରହିବା ପରେ ଚୁଞ୍ଚୁଡ଼ା କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ ।

