ଅହମ୍ମଦାବାଦ: ଗୁଜରାଟ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଦ୍ୱିତୀୟ ଦିନରେ ଓଡ଼ିଶା ଏକ ଭଲ ସୁଯୋଗ ହାତଛଡା କରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ‘ବି’ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଦିନର ସ୍କୋର ୨୭୨/୩ ରୁ ଖେଳ ଆରମ୍ଭ କରି, ଓଡ଼ିଶା ସୋମବାର ସକାଳେ ମାତ୍ର ୫୨ ରନ୍ ଭିତରେ ନିଜର ବାକି ୭ଟି ୱିକେଟ୍ ହରାଇଥିଲା । ଫଳରେ ସମଗ୍ର ଦଳ ପ୍ରଥମ ପାଳିରେ ୩୨୪ ରନ୍ କରି ଅଲଆଉଟ୍ ହୋଇଗଲା । ଦଳ ପକ୍ଷରୁ ଓପନର୍ ଗୌରବ ଚୌଧୁରୀ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ (ଯେକୌଣସି ଫର୍ମାଟ୍ରେ) ୧୩୭ ରନ୍ ସଂଗ୍ରହ କରିଥିଲେ । ଦିନର ଦ୍ୱିତୀୟ ଓଭରରେ ଓଡ଼ିଶାର ଚତୁର୍ଥ ୱିକେଟ୍ ଭାଙ୍ଗିଥିଲା, ଯେଉଁଥିରେ ସନ୍ଦୀପ ପଟ୍ଟନାୟକ ଗତ ଦିନର ୬୯ ରନ୍ ସ୍କୋରରେ ଆଉଟ୍ ହୋଇଥିଲେ । ଏହାପରେ ଗୌରବ ୧୨୧ ରନ୍ରୁ ଖେଳ ଆଗକୁ ବଢ଼ାଇ ହର୍ଷଲ ପଟେଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଗୁଜରାଟର ପ୍ରଥମ ଇନିଂସ୍ ଆରମ୍ଭରେ ଓଡ଼ିଶାର ପେସ୍ ବୋଲର ରାଜେଶ ମହାନ୍ତି ପ୍ରଥମ ଓଭରର ତୃତୀୟ ବଲ୍ରେ ଅଭିଷେକ ଦେଶାଇଙ୍କୁ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । କିନ୍ତୁ ଏହାପରେ ଓଡ଼ିଶାର ବୋଲରମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା । ଗୁଜରାଟର ଆର୍ୟ୍ୟ ଦେଶାଇ ଏବଂ ବେଦାନ୍ତ ତ୍ରିବେଦୀଙ୍କ ଯୋଡ଼ି ଦ୍ୱିତୀୟ ୱିକେଟ ପାଇଁ ୧୬୪ ରନ୍ର ଏକ ଦୃଢ଼ ଭାଗିଦାରୀ ଗଢ଼ିଥିଲେ । ବାଦଲ ବିଶ୍ୱାଳ ଆର୍ୟ୍ୟ ଦେଶାଇ (୯୪ )ଙ୍କୁ ୱିକେଟ୍ କିପର ଆଶୀର୍ବାଦ ସ୍ୱାଇଁଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଅନ୍ୟପକ୍ଷରେ ବେଦାନ୍ତ ତ୍ରିବେଦୀ ମଧ୍ୟ ୯୪ ରନ୍ କରି ଅପରାଜିତ ଅଛନ୍ତି ।
ସଂକ୍ଷିପ୍ତ ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍: ୩୨୪ (ଗୌରବ ଚୌଧୁରୀ ୧୩୭, ସନ୍ଦୀପ ପଟ୍ଟନାୟକ ୬୯; ଅର୍ଜନ ନାଗୱାସୱାଲା ୩/୬୫, ସିଦ୍ଧାର୍ଥ ଦେଶାଇ ୨/୫୪), ଗୁଜରାଟ ପ୍ରଥମ ଇନିଂସ୍: ୨୦୫/୨ (ଆର୍ୟ୍ୟ ଦେଶାଇ ୯୪, ବେଦାନ୍ତ ତ୍ରିବେଦୀ ଅପରାଜିତ ୯୪; ବାଦଲ ବିଶ୍ୱାଳ ୧/୩୧, ରାଜେଶ ମହାନ୍ତି ୧/୩୬) ।

