ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଦେଇଥିବା ବିବାଦୀୟ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ବିହାରର ପାଟଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଖଡ୍ଗେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ଵର୍ଗତ ପିତାଙ୍କୁ ଆକ୍ଷେପ କରି “ମୋଦି କା ବାପ୍ ଭି ଯାଏଗା” ବୋଲି ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ସାରା ଦେଶରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କଂଗ୍ରେସ ଓ ଖଡ୍ଗେଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସ୍ଵର୍ଗତ ପିତାଙ୍କୁ ଏହି ନିର୍ବାଚନୀ ସଭା ମଧ୍ୟକୁ ଟାଣି ଖଡ୍ଗେ କଂଗ୍ରେସ ଦଳର ସଂପୂର୍ଣ୍ଣ ବୌଦ୍ଧିକ ଓ ମାନସିକ ଦେବାଳିଆପଣର ପରିଚୟ ଦେଇଛନ୍ତି। ଯେତେବେଳେ ବିରୋଧୀଙ୍କ ପାଖରେ କୌଣସି ଜନହିତକର ବିକାଶମୂଳକ କାର୍ଯ୍ୟସୂଚୀ କିମ୍ବା ଶାସନର ରେକର୍ଡ ଉପସ୍ଥାପନ କରିବାକୁ ନଥାଏ, ସେତେବେଳେ ବ୍ୟକ୍ତିଗତ ଗାଳିଗୁଲଜ ଓ ଆକ୍ଷେପ ହିଁ ସେମାନଙ୍କର ଏକମାତ୍ର ଇସ୍ତାହାର ପାଲଟିଯାଏ।
ଏଭଳି ସ୍ତରହୀନ ମନ୍ତବ୍ୟ ୨୧ତମ ଶତାବ୍ଦୀର ଭାରତ ପାଇଁ ଏକ ଅପମାନ ଏବଂ କଂଗ୍ରେସ ଭଳି ଏକ ପୁରୁଣା ଜାତୀୟ ଦଳର ଚରମ ନୈତିକ ପତନକୁ ଦର୍ଶାଉଛି, ଯାହାକୁ ଦେଶବାସୀ ସେମାନଙ୍କର ଉଚିତ୍ ଜବାବ ଦେବେ। ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରାଯିବା ସହ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ସୂଚନା ଥାଉକି ବିହାରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ସମୟରେ ସେ ଦେଇଥିବା କେତେକ ବକ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖଡଗେଙ୍କ ଭାଷଣ ଚାଲିଥିବା ବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ ଯୁବକ ହଙ୍ଗାମା କରି ମୋଦିଙ୍କ ସମର୍ଥନରେ ନାରାବାଜି କରିଥିଲେ।

