Latest Odisha News

BREAKING NEWS

UAE ରାସ୍ତାରେ ସାଉଦୀ-କ୍ୱେତ ଯିବାକୁ ବାରଣ କଲେ ଭାରତୀୟ ଦୂତାବାସ

ଆବୁଧାବୀ: ୟୁଏଇ ରାସ୍ତାରେ ଭାରତୀୟଙ୍କୁ ସାଉଦୀ ଓ କ୍ୱେତ୍‌ ନଯିବା ଲାଗି ପରାମର୍ଶ ଦିଆଯାଇଛି । ଆବୁଧାବୀ ସ୍ଥିତ ଭାରତୀୟ ଦୂତାବାସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏପରି ପରାମର୍ଶ ଦେଇଛନ୍ତି । ଏନେଇ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରୀ ମଧ୍ୟ ଜାରି ହୋଇଛି । ଯେଉଁଥିରୁ ଭାରତରୁ କୌଣସି ଦେଶକୁ ଯାତ୍ରାରେ ଯିବା ପୂର୍ବରୁ ଭଲ ରୂପେ ଗାଇଡଲାଇନ ଜାଣି ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

ସେହିପରି ଦୂର ଯାତ୍ରାରେ ଯାଉଥିଲେ ସାଙ୍ଗରେ ପର୍ଯ୍ୟାପ୍ତ ଅର୍ଥ ଓ ଖାଦ୍ୟ ସାମଗ୍ରୀ ରଖିବାକୁ ମଧ୍ୟ ଦୂତାବାସ ପରାମର୍ଶ ଦେଇଛନ୍ତି । ଏହାଛଡା ୟୁଏଇରେ ଅବସ୍ଥାନ କରୁଥିବା ଭାରତୀୟ ଯେଉଁମାନେ ସାଉଦୀ ଓ କ୍ୱେତ୍‌ ଯିବାର ଯୋଜନା ରଖିଛନ୍ତି ସେମାନଙ୍କ ଲାଗି ମଧ୍ୟ ଦୂତାବାସ ଆଡଭାଇଜରୀରେ ଦିଶା ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଯାତ୍ରା ପ୍ରତିବନ୍ଧକ କୋହଳ ହେବା ପରେ ହିଁ ଯାତ୍ରା କରିବାକୁ କୁହାଯାଇଛି ।

ସାଉଦୀ ଆରବ ଓ କ୍ୱେତ ଯାଉଥିବା ଅନେକ ଯାତ୍ରୀ ୟୁଏଇରେ ଅଟକି ରହିଥିବାର ସୂଚନା ମିଳିବା ପରେ ଭାରତୀୟ ଦୂତାବାସ ଏହି ଆଡଭାଇଜରି ଜାରି କରିଛନ୍ତି । ଦୂତାବାସଙ୍କ ସୂଚନା ଅନୁସାରେ ୨୦୨୦ ମସିହାଠାରୁ ଏପର୍ଯ୍ୟନ୍ତ ୟୁଏଇରେ ଅନୁନ୍ୟ ୬୦୦ ଭାରତୀୟ ଅଟକି ରହିଛନ୍ତି । ସେମାନେ ସାଉଦୀଆରବ ଅଥବା କ୍ୱେତ୍‌ ଯିବା ଲାଗି ଭାରତରୁ ଆସି ଫଶି ରହିଛନ୍ତି ।

ଅନ୍ତର୍ଜାତୀୟ ଯାତ୍ରା ପ୍ରୋଟକଲରେ ଦ୍ରୁତ ପରିବର୍ତ୍ତନ ହେଉଥିବାରୁ ଦୂତାବାସ ୟୁଏଇ ରାସ୍ତାରେ କ୍ୱେତ୍‌ ଅଥବା ସାଉଦୀ ଆରବ ନ ଯିବା ଲାଗି କହିଛନ୍ତି । ୟୁଏଇରେ ଫଶି ରହିଥିବା ଭାରତୀୟଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇବାକୁ ପ୍ରଥମେ କେରଳ ମୁସ୍ଲିମ କଲଚରାଲ ସେଣ୍ଟର(କେଏମସିସି) ଓ ଅନ୍ୟ ସ୍ୱେଚ୍ଛାସେବୀ ସଂସ୍ଥାମାନେ ସହଯୋଗର ହାତ ବଢାଇଥିଲେ । ହେଲେ ଏବେ ସେପରି ସୁବିଧା ମଧ୍ୟ ଉପଲବ୍ଧ ହେଉ ନଥବା ଦୂତାବାସ କହିଛନ୍ତି । 

Leave A Reply

Your email address will not be published.