ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶ ପାଇଲା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଏକାଡେମିକ୍ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରରେ କାର୍ଯ୍ୟଦିବସଠୁ ଆରମ୍ଭକରି ଛୁଟି, ପରୀକ୍ଷା ସମୟ ଆଦି ନିର୍ଦ୍ଧାରଣ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏହା ପ୍ରକାଶ ପାଇଛି ।
ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍ ୧୭ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ । ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି ।
ଚଳିତ ବର୍ଷ ୨୩୦ଟି କାର୍ଯ୍ୟଦିବସ ରହିଛି ଅର୍ଥାତ୍ ଶିକ୍ଷକମାନେ ୨୩୦ ଦିନ ସ୍କୁଲ ଆସିବେ । ଏପ୍ରିଲରେ ୨୩, ମେ’ରେ ୩, ଜୁନ୍ରେ ୧୦, ଜୁଲାଇରେ ୨୫, ଅଗଷ୍ଟରେ ୨୩, ସେପ୍ଟେମ୍ବରରେ ୨୨, ଅକ୍ଟୋବରରେ ୧୭, ନଭେମ୍ବରରେ ୨୪, ଡିସେମ୍ବରରେ ୧୮, ଜାନୁଆରୀରେ ୨୨, ଫେବୃଆରୀରେ ୨୩ ଓ ମାର୍ଚ୍ଚରେ ୨୨ଟି କାର୍ଯ୍ୟ ଦିବସ ରହିଛି ।
ସେହିପରି ୨୦୨୭ ଫେବୃଆରୀ ୨ୟ ସପ୍ତାହରେ ଦଶମ ବୋର୍ଡ ପରୀକ୍ଷା ହେବ ବୋଲି ଉକ୍ତ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି ।