Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ

କଟକ: ACF ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀ ଓ ତତ୍‌କାଳୀନ DFO ସଂଗ୍ରାମ ବେହେରାଙ୍କୁ ହାଇକୋର୍ଟରୁ ଝଟ୍‌କା । ଉଭୟଙ୍କ ପିଟିସନ୍‌ ଖାରଜ କରିବା ସହ ହତ୍ୟା ମାମଲା ଚାଲିବ ବୋଲି ଆଜି କହିଲେ ହାଇକୋର୍ଟ । ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମଧ୍ୟ ହତ୍ୟା ମାମଲା ଚାଲିବ ।

SDJMଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଟ୍ରାଏଲ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ, ୨୦୨୧ ଜୁଲାଇ ୧୨ ତାରିଖରେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ଜୁଲାଇ ୧୬ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା ।

ଏହାକୁ ଆକସ୍ମିକ ଘଟଣା ବୋଲି ତାଙ୍କ ପତ୍ନୀ ବିଦ୍ୟାଭାରତୀ କହୁଥିବା ବେଳେ ACF ସୌମ୍ୟଙ୍କ ବାପା ଅଭିରାମ ଏହାକୁ ସତ ମାନି ନଥିଲେ । ସେ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଆଉ ଏଥିପାଇଁ ସେ ତାଙ୍କ ବୋହୁ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଦାୟୀ ବୋଲି ଅଭିଯୋଗ କରିଥିଲେ । ଆଉ ଏଥିରେ ରୋଷେଇ କରୁଥିବା ଗାର୍ଡର ହାତ ରହିଥିବା ମଧ୍ୟ ସେ କହିଥିଲେ ।

Comments are closed.