Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପୂର୍ବରୁ ଆଇପିଏଲ ଭାରତୀୟ ଟିମର ମୁଣ୍ଡ ବ୍ୟଥାର କାରଣ ସାଜିପାରେ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଇଂଲଣ୍ଡକୁ ୪-୧ରେ ଟେଷ୍ଟ ସିରିଜ ହରାଇବା ପରେ ଏବେ ସମସ୍ତଙ୍କ ନଜର ଆଇପିଏଲ ଉପରେ ରହିଛି । ଏହାର ମୂଖ୍ୟ କାରଣ ହେଲା ଟି୨୦ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କ ଭାଗ୍ୟ ଏହି ଆଇପିଏଲ ଉପରେ ନିର୍ଭର କରୁଛି । ଆଇପିଏଲ ବିଶ୍ୱକପ ଚୟନର ମାପଦଣ୍ଡ ହେବ କେହି କେବେ ଚିନ୍ତା କରି ନ ଥିଲେ । ତେବେ ସମୀକ୍ଷକଙ୍କ ମତରେ ବିଶ୍ୱକପ ପୂର୍ବରୁ ଆଇପିଏଲ ଭାରତୀୟ ଟିମ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିପାରେ । କେତେକ ଖେଳାଳି ଆଘାତ ସମସ୍ୟା ପରେ ଏବେ ଫିଟ ହୋଇଛନ୍ତି । ତେବେ ଏହାର ପ୍ରମାଣ ସେମାନଙ୍କୁ ପରୋକ୍ଷରେ ଆଇପିଏଲରେ ଦେବାକୁ ପଡିବ । ମାତ୍ରାଧିକ ମ୍ୟାଚ ତାଙ୍କୁ ଫିଟ କରିବ ନାଁ ଆଘାତ ସମସ୍ୟାକୁ ଡାକି ଆଣିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟାଶ ଆୟାର, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ମୁକୁଳିଛନ୍ତି । କାର ଦୁର୍ଘଟଣା ପରେ ପନ୍ତ କ୍ରିକେଟଠାରୁ ଦୂରରେ ଅଛନ୍ତି । ଫର୍ମ, ଫିଟନେସ ଓ ମାନସିକ ଦୃଢ଼ତା ସବୁ କିଛି ତାଙ୍କୁ ଏହି ଆଇପିଏଲରୁ ହାସଲ କରିବାକୁ ପଡିବ । ଅନ୍ୟଥା ଟାଟା ବାଏ ବାଏ ଫର୍ମୂଲା ଲାଗିପାରେ । ବିସିସିଆଇ ଫିଟ ରିପୋର୍ଟ ପ୍ରଦାନ କରି ଦାୟିତ୍ୱମୁକ୍ତ ହୋଇଯାଇଛି । ପନ୍ତଙ୍କୁ ଏବେ ସବୁ କିଛି ପ୍ରମାଣ କରିବାକୁ ପଡିବ ।

ଅଧିନାୟକ ରୋହିତ  ୫ମ ଟେଷ୍ଟ ଅବସରରେ ମାଂଶପେଶୀଜନିତ ସମସ୍ୟାରେ ପଡିଛନ୍ତି । ଆଇପିଏଲ ତାଙ୍କ ଆଘାତ ସମସ୍ୟା ବଢ଼ାଇବା ଆଶଙ୍କା ସୃଷ୍ଟି କରୁଛି । ହାର୍ଦ୍ଦିକ ୫ ମାସ ପରେ ପଡିଆକୁ ଓହ୍ଲାଇବେ । ମୁମ୍ବାଇ ଇଣ୍ଡିଆନ୍ସର ଏହି ନୂଆ ଅଧିନାୟକଙ୍କ ଉପରେ ସମସ୍ତଙ୍କ ନଜର ରହିବ । ହାର୍ଦ୍ଦିକ ବାରମ୍ବାର ଆଘାତ ସମସ୍ୟାରେ ପଡୁଥିବାରୁ ଟିମ ମ୍ୟାନେଜମେଂଟ ଚିନ୍ତାରେ ରହିଛି । ଏହା ମଧ୍ୟରେ ଆଇପିଏଲର ଲମ୍ବା କାର୍ଯ୍ୟସୂଚୀ ବିଶ୍ୱକପ ପୂର୍ବରୁ ତାଙ୍କୁ କେତେ ଫିଟ ରଖୁଛି ତାହା ଦେଖିବା କଥା ।

ନିକଟରେ ଲଣ୍ଡନରେ ଜଙ୍ଘର ମାଂଶପେଶୀ ଅପରେଶନ କରି କେଏଲ ରାହୁଲ ଫେରିଛନ୍ତି । ରାହୁଲ ଏବେ ଠିକ ଥିଲେ ମଧ୍ୟ ଆଇପିଏଲରେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି । ସେହିପରି ଶ୍ରେୟାଶ ଆୟାରଙ୍କୁ ଉଭୟ ଫର୍ମ ଓ ଫିଟନେସ ଆଇପିଏଲରେ ହିଁ ପ୍ରମାଣ କରିବାକୁ ପଡିବ ।

ଘରୋଇ କ୍ରିକେଟରେ ସେ ୪ଟି ଟେଷ୍ଟରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ବିସିସିଆଇ ତାଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାହାର କରି ଦେଇଛି । ଆଇପିଏଲରେ ଭଲ ପ୍ରଦର୍ଶନ ତାଙ୍କ ପାଇଁ ଶେଷ ଜୀବନ ଦାନ କହିଲେ ଭୁଲ ହେବନି । ଭାରତୀୟ ପିଚ, ପରିବେଶ ଓ ଆଇପିଏଲର ମନୋରଞ୍ଜନଧର୍ମୀ ମୁକାବିଲା ଟି୨୦ ବିଶ୍ୱକପ ପାଇଁ ଠିକ ଟିମ ଚୟନରେ ସହାୟ ହେବ ତ ?

Leave A Reply

Your email address will not be published.