Latest Odisha News

BREAKING NEWS

ଆଜି ରଥାରୂଢ଼ ମହାପ୍ରଭୁଙ୍କୁ ଅଧରପଣା ଲାଗି

ପୁରୀ: ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ହେବ । ଚତୁର୍ଦ୍ଧା ମୂର୍ତିଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ ।

ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟାହ୍ନ ଧୂପ ପରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହେବ ।  ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଲାଗି କରାଯିବାର ପରମ୍ପରା ରହିଛି । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ପାଣି ଆଣନ୍ତି । ପିତ୍ତଳ ହଣ୍ଡାରେ ରଖିବା ପରେ ଅଧର ହାଣ୍ଡି ଉପରେ ଜାଲି କପଡା ଦିଆଯାଇ ପାଣିକୁ ଛଣାଯାଏ ।

ପାଣି ଭର୍ତ୍ତି ପରେ ସୁପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାଆନ୍ତି । ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଏ । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜାପାଠ ନୀତି ସଂପନ୍ନ କରିବା ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିଥାଆନ୍ତି ।

ତିନି ରଥ ଉପରେ ପଣା ହାଣ୍ଡିକୁ ବଡଦେଉଳ ପରମ୍ପରା ମୁତାବକ ଅଶରୀରୀମାନଙ୍କ ଉଦ୍ଧାର ସହ ରଥର ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯିବ । ଆସନ୍ତାକାଲି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦର ବାହୁଡ଼ିବେ ।

Leave A Reply

Your email address will not be published.