ନୂଆପଡା : ଆଦିବାସୀ କଲ୍ୟାଣ ସଂଘ ତରଫରୁ ୧୪ ଦଫା ଦାବିପତ୍ର ନେଇ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଶହଶହ ଆଦିବାସୀ ମହିଳା ଓ ପୁରୁଷ ପାରମ୍ପରିକ ବେସବୁସା, ଅସ୍ତ୍ରଶସ୍ତ୍ର ଧରି ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ । ଏହି ଅବସରରେ ୧୪ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖଡ଼ିଆଳ ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି । ଏହି ଆନ୍ଦୋଳନ ବିଶେଷ କରି ପ୍ରଶାସନର ବୈମାତୃକ ମନୋଭାବ ବିରୁଦ୍ଧରେ ହୋଇଛି ।
ଗତ ଚାରି ତାରିଖ ଦିନ ଖଡ଼ିଆଳ ପୁଟୁପଡାର ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ଏଥିସହ ପିଡ଼ିତା ପରିବାରକୁ ସରକାରଙ୍କ ନିୟମାନୁସାରେ ସହାୟତା ପ୍ରଦାନ, କୋମନା ବ୍ଲକ ଭେଳାର ଖୀରଧର ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ, କୋମନା ବ୍ଲକ ସାହାଜେଟ ସେବାଶ୍ରମ ରେ ବ୍ୟାପକ ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ, ଖଡ଼ିଆଳ ପୁଟୁପଡା ଆଦିବାସୀ ଅଞ୍ଚଳରେ ରାସ୍ତା, ପାନୀୟ ଜଳ, ମାଗଣା ବିଜୁଳି ଯୋଗାଣ ଭଳି ୧୪ ଦଫା ଦାବି ଉପସ୍ଥାପନ କରିଥିଲେ ।
ଅନ୍ୟପଟେ ଆଦିବାସୀ ମାନଙ୍କ ଦାବି ପତ୍ର ଗ୍ରହଣ କରି ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ କରି ଦିଆଯିବ ଏବଂ ଆମ ଦ୍ୱାରା ଯାହା ସମ୍ଭବ ତାହା ସମାଧାନ କରାଯିବ ବୋଲି ଖଡ଼ିଆଳ ବିଡ଼ିଓ କହିଛନ୍ତି । ଏନେଇ ଯଥା ଶୀଘ୍ର ଏହି ଦାବି ଗୁଡ଼ିକ ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି ।
Comments are closed.