Latest Odisha News

BREAKING NEWS

ଆଫଗାନ ସ୍ଥିତି ପାଇଁ ଅଶ୍ରଫ ଘନିଙ୍କୁ ଦାୟୀ କଲେ ବାଇଡେନ୍

ନୂଆଦିଲ୍ଲୀ: ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ହାହାକାର ପରିସ୍ଥିତି । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ଦାୟୀ କରାଯାଉଛି । ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନଙ୍କ ଦବଦବା ଆରମ୍ଭ ହୋଇଥିଲା । ସେପଟେ ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ପାଇଁ ପଳାତକ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ଦାୟୀ କରିଛନ୍ତି ଜୋ ବାଇଡେନ୍ । ଆମେରିକାବାସୀଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ।

ବାଇଡେନ୍ କହିଛନ୍ତି, କଠିନ ପରିସ୍ଥିତିରେ ଆଫଗାନିସ୍ତାନ ଛାଡ଼ି ଅଶ୍ରଫ ଘନି ପଲାଇଗଲେ । ତାଲିବାନଙ୍କୁ ମୁକାବିଲା ନକରି ବିନା ଲଢ଼େଇରେ କାହିଁକି ଆଫଗାନିସ୍ତାନ ଛାଡ଼ି ଚାଲିଗଲେ ବୋଲି ତାଙ୍କୁ ପ୍ରଶ୍ନ ପଚରାଯିବା କଥା ବୋଲି କହିଛନ୍ତି ବାଇଡେନ୍ ।

ଅଶ୍ରଫ ଘନି

ବାଇଡେନ୍ କହିଛନ୍ତି, ଲୋକ କହୁଛନ୍ତି ସେନା ପ୍ରତ୍ୟାହାର କରି ଆଫଗାନିସ୍ତାନକୁ ଅଭିଯାନ ଅଧାରେ ଏକାକୀ କରିଦେଲା ଆମେରିକା । କିନ୍ତୁ ସେମିତି କିଛି ସେ କରି ନାହାନ୍ତି । ସେନା ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ ଥିଲା । ଆମେରିକାର ବିଦେଶ ନୀତି ସବୁବେଳେ ମାନବାଧିକାର ଉପରେ କେନ୍ଦ୍ରୀତ ରହିଛି ବୋଲି ଜୋ ବାଇଡେନ୍ କହିଛନ୍ତି ।

ଆଫଗାନିସ୍ତାନ ନେତାଙ୍କ ଉପରେ ଦୋଷ ଲଦିଛନ୍ତି ବାଇଡେନ୍ । ସେ ଆହୁରି କହିଛନ୍ତି, ଆଫଗାନିସ୍ତାନର ନେତା ସେଠାକାର ଲୋକଙ୍କ ହିତରେ ଏକଜୁଟ୍ ହେବାରେ ବିଫଳ ହୋଇଛନ୍ତି । ନିଜ ଦେଶର ଭବିଷ୍ୟତ ପାଇଁ ବୁଝାମଣା କରିପାରିଲେ ନାହିଁ । ଚୀନ୍ ଓ ରୁଷିଆ ଭଳି ପ୍ରତିଦ୍ୱନ୍ଦୀ ଚାହୁଁଥିଲେ ଆମେରିକା ଆଫଗାନିସ୍ତାନ ପାଇଁ କୋଟି କୋଟି ଡଲାର ବରବାଦ କରି ଦେଉ ।

ତାଲିବାନଙ୍କୁ ବି ଚେତେଇ ଦେଇଛନ୍ତି ବାଇଡେନ୍ । କହିଛନ୍ତି, ଆଫଗାନିସ୍ତାନରୁ ଆମେରିକା ତାର ସେନାକୁ ଫେରାଇ ଆଣୁଛି । ଯଦି ସୈନିକଙ୍କୁ କୌଣସି କ୍ଷତି ପହଞ୍ଚାଇବେ ଏହାର କଡ଼ାଗଣ୍ଡା ଭରଣା କରିବେ । ଆମେରିକା ସୈନିକଙ୍କୁ ଆଫଗାନିସ୍ତାନରୁ ବାହାର କରିବାକୁ ସ୍ୱତନ୍ତ୍ର ଅପରେସନରେ ଯେଭଳି ବାଧା ସୃଷ୍ଟି ନହୁଏ ସେନେଇ ତାଲିବାନୀଙ୍କୁ ଚେତେଇ ଦେଇଛନ୍ତି ବାଇଡେନ୍ ।

Leave A Reply

Your email address will not be published.