Latest Odisha News

BREAKING NEWS

ଶରଦଙ୍କ ଶରଣରେ ଆଦାନୀ !

ଭୁବନେଶ୍ୱର: ଲଗାତର ରାହୁଲଙ୍କ ଟାର୍ଗେଟର ଶିକାର ହେଉଥିବା ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ହିଣ୍ଡେନବର୍ଗ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଆଦାନି ହଠାତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କାହିଁକି ଭେଟିଲେ ତାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

BjdElectrycity

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ନିଜର ବହୁ ସମ୍ପତ୍ତି ହରାଇଛନ୍ତି। କମ୍ପାନୀ ବଦନାମ ବି ହୋଇଛି। ମୋଦିଙ୍କ ସହ ଆଦାନୀଙ୍କ ସମ୍ପର୍କକୁ ନେଇ ଝଡ଼ ବି ଉଠିଛି। ବିରୋଧୀ ଦଳ ଗୁଡିକ ଏକ ହୋଇ ଏ ପ୍ରସଙ୍ଗରେ ମୋଦି ଓ ଆଦାନୀଙ୍କୁ ଘେରିବାରେ ଲାଗିଛନ୍ତି। ଏଭଳି ସମୟରେ ଆଦାନୀ ଶରଦ ପାୱାରଙ୍କୁ ଭେଟିବା ସହ ବୈଠକ କରିଛନ୍ତି।

ଏପରିକି ମିଛ କହି ନିବେଶକଙ୍କୁ ଠକିଥିବା ଅଭିଯୋଗ ପରେ ବିରୋଧୀ ଦଳ ଗୁଡ଼ିକ ଏ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରୁଛନ୍ତି। ହେଲେ କିଛି ଦିନ ତଳେ ଶରଦ ପାୱାର ଏ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ଅନାବଶ୍ୟକ ବୋଲି କହିଥିଲେ। ବିରୋଧୀ ଦଳ ଗୁଡିକ ମଧ୍ୟରେ ଅନ୍ୟତମ ପ୍ରମୁଖ ବିରୋଧୀ ଏନସିପିର ମୁଖିଆ ଏଭଳି ମନ୍ତବ୍ୟ ଦେବା ପରେ ବିରୋଧୀ ଶିବିରରେ ଆଲୋଡନ ଦେଖାଦେଇଥିଲା।

ସୁପ୍ରିମକୋର୍ଟ କମିଟି ଏ ଘଟଣାର ତଦନ୍ତ କରୁଥିବାରୁ ଜେପିସି ତଦନ୍ତର ଆବଶ୍ୟକତା ନ ଥିବା ଶରଦ ପାୱାର କହିଥିଲେ। ଏହାକୁ ନେଇ ବିରୋଧୀ ଶିବିରରେ ଝଟକା ଲାଗିଥିଲା। ପୁଣି ଏବେ ଆଦାନୀ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ଲଗାତର ଟାର୍ଗେଟ କରୁଥିବା ବେଳେ ଆଦାନୀ ସେଲ କମ୍ପାନୀର ବେନାମୀ ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରୁଛନ୍ତି।

ଏଭଳି ସ୍ଥିତିରେ ଶରଦ ଆଦାନୀ ଭେଟ ଚର୍ଚ୍ଚାକୁ ବଢ଼ାଇ ଦେଇଛି। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗକୁ ନେଇ ଆମ ଆଦମୀ ପାର୍ଟି ଅଭିଯାନ ଆରମ୍ଭ କରିଥିବା ବେଳେ ଏହା ବିରୋଧରେ ମତ ରଖିଥିଲେ ଶରଦ। ଏପରିକି ଏବେ ଏନସିପି ନେତା ଅଜିତ ପାୱାର ୪୦ ବିଧାୟକଙ୍କୁ ନେଇ ବିଜେପିରେ ମିଶିବା କଥା ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ର ରାଜନୀତିରେ ଆଗାମୀ ଦିନର ସମୀକରଣକୁ ଆଖି ଆଗରେ ରଖି ଏ ସବୁ ଚର୍ଚ୍ଚା ଆହୁରି ବ୍ୟାପକ ହେଉଛି। ଏଭଳି ସ୍ଥିତିରେ ଆଦାନୀ ଶରଦ ଭେଟଘାଟକୁ ନେଇ ସାରା ଦେଶରେ ଆଲୋଚନା ହେଉଛି।

ସେପଟେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସ ସମେତ ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର ମୋଦି ଆଦାନୀ ସମ୍ପର୍କ ହେବ ବୋଲି ସ୍ପଷ୍ଟ ହେଉଛି। ତେଣୁ ଏସବୁକୁ ଦେଖିଲେ ଏ ଭେଟଘାଟ ନିହାତି ଗୁରୁତ୍ୱପୂର୍ଣ୍ଣ ଵୋଲି ରାଜନୈତିକ ସ୍ତରରେ ଆଲୋଚନା ହେଉଛି।

Leave A Reply

Your email address will not be published.