Latest Odisha News

BREAKING NEWS

ଟିକେଟ୍ କଟିବା ପରେ ସରଗରମ ନିମାପଡ଼ା ରାଜନୀତି, ବିଜେଡି ଛାଡ଼ିବେ କି ସମୀର?

ନିମାପଡ଼ା: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ବଦଳରେ ଦଳରେ ନୂଆ କରି ମିଶିଥିବା ଦିଲୀପ ନାୟକଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାକୁ ନେଇ ଏବେ ନିମାପଡା ରାଜନୀତି ସରଗରମ ହେବାରେ ଲାଗିଛି ।

ଟିକେଟ୍ କଟିବା ପରେ ନିଜ କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ତୁହାକୁ ତୁହା ଆଲୋଚନା ଜାରି ରଖିଛନ୍ତି । ପ୍ରାର୍ଥୀ ପରିବର୍ତ୍ତନ ସହ ଟିକେଟ୍ ର ପୁନଃ ବିଜାର ପାଇଁ ଲାଗିଛନ୍ତି ସମୀର ।

ଖାଲି ସେତିକି ନୁହେଁ, ସମୀର ଦାଶ ଏବେ ଦଳ ବିରୋଧରେ ବିଦ୍ରୋହ କରିବା ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ସେଠାକାର ରାଜନୈତିକ ପାଣିପାଗ ଯାହା କହୁଛି ନିମାପଡ଼ାରେ ବିଜେଡି ଏବେ ଦୁଇ ଫାଳ ହୋଇଛି । ଏସବୁ ମଧ୍ୟରେ ସମୀରଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସେ ଦଳ ଛାଡ଼ିବାକୁ ସଙ୍କେତ ଦେଉଥିବା ଦେଖାଯାଇଛି ।

ଭିଡିଓରେ ସମୀର କହୁଛନ୍ତି, ମୁଁ ଆପଣ ମାନଙ୍କର ମତ ଶୁଣିଲି । ଧନ୍ୟବାଦ ଦେବା ସହ କୃତଜ୍ଞତା ଆଉ ଥରେ ଜଣାଇବି, ଯେଉଁ ବିଶ୍ୱାସ ଆଉ ଭରସା ଆପଣମାନେ ରଖିଛନ୍ତି । ଆପଣଙ୍କ ପ୍ରସ୍ତାବ ଆସିଛି ଯଦି ଦଳ ପ୍ରାର୍ଥୀ ବଦଳାଉନାହିଁ, ସମୀର ଦାଶ ନହେଲେ ସୁନୀତା ଦାଶଙ୍କୁ ଆମେ ଗ୍ରହଣ କରିବୁ। ହେଲେ ମନେରଖନ୍ତୁ ଟେଲିଫୋନ ଆସିବ ନାହିଁ । ଶଙ୍ଖ ଦଳରୁ ଯିଏ ପ୍ରାର୍ଥୀ ହୋଇଛନ୍ତି, ଆମ ସଂଗଠନ ଛାଡ଼ି ତାଙ୍କର ସହଯୋଗୀ ହୋଇଥିବା କିଛି ନେତା, ଆମ ଭିତରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ । ଆମକୁ ସତର୍କ ରହିବା ସହ ଏକାଠି ଲଢ଼ିବାକୁ ହେବ’ ।

ସେହିଭଳି, ଭିଡିଓରେ ଅନ୍ୟଜଣେ ନେତା ୨୦ ବର୍ଷ ଧରି ନିମାପଡ଼ାରେ ସମୀରଙ୍କ ନେତୃତ୍ୱରେ ସଂଗଠନ ଚାଲିଆସୁଛି ବୋଲି କହିଥିଲେ । ଏହାଛଡ଼ା ସମୀର ଛାତ୍ର ଜୀବନରୁ ନିର୍ବାଚନ ଜିତି ଆସୁଛନ୍ତି । ଏବେ ଯଦି ଦଳ ତାଙ୍କ ପ୍ରତି ଅବିଚାର କରିଛି ତେବେ ସଂଗଠନ ତାଙ୍କ ସହ ଛିଡ଼ା ହେବା ଉଚିତ୍ । ଆବଶ୍ୟକ ପଡ଼ିଲେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କର୍ମୀଜଣଙ୍କ କହୁଥିବା ଦେଖାଯାଇଛି ।

ଅନ୍ୟପଟେ, ବିଜେଡି ଟିକେଟ୍ ରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ମିଶ୍ରଣ ପର୍ବ କରି ବଳ ଗୋଟାଉଛନ୍ତି । ଜୋନ୍ ୧୮ରେ ବିଜେଡିର ବଡ଼ ସଭା ଆୟୋଜନ ହୋଇଥିଲେ ବି ଏଥିରେ ସମୀର ଦାସଙ୍କ ଫଟୋ ଦେଖିବାକୁ ମିଳି ନଥିଲା କି ସମୀର ଉପସ୍ଥିତ ମଧ୍ୟ ନଥିଲେ । ଯାହା ସ୍ପଷ୍ଟ କରୁଛି ଯେ, ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଏବେ ଭାଗ ଭାଗ ହୋଇଯାଇଛି ।

Leave A Reply

Your email address will not be published.