ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। କେବଳ ଏନଡିଏର ନେତା ନୁହନ୍ତି, ବିରୋଧୀ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦି ଟୁଇଟ୍ କରି ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଦାୟୀ ରାଷ୍ଟ୍ରପତି ରାମନଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ୱିଟ୍ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ଭାରତ ଇତିହାସ ରଚିଛି। ୧୩୦ କୋଟି ଭାରତୀୟ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି, ସେତେବେଳେ ଆଦିବାସୀ ସଂପ୍ରଦାୟରେ ଜନ୍ମିତ ଭାରତର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
‘ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ସଂଘର୍ଷ ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାଦାୟୀ। ଭାରତବାସୀଙ୍କ ପାଇଁ ସେ ଏକ ନୂଆ ଆଶାର କିରଣ। ବିଶେଷ କରି ଗରିବ ଓ ଦଳିତଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ସେ ଜଣେ ଭଲ ମନ୍ତ୍ରୀ ଓ ବିଧାୟକ ଥିଲେ। ଝାଡଖଣ୍ଡ ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ବହୁତ ଭଲ ଥିଲା। ଆଗାମୀ ଦିନରେ ସେ ନିଶ୍ଚିତ ଯେ ଜଣେ ଚମତ୍କାର ରାଷ୍ଟ୍ରପତି ହେବେ ଯିଏ ଦେଶର ବିକାଶ ଯାତ୍ରାକୁ ଆଗକୁ ନେବେ’। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିବା ସମସ୍ତ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ମୋଦୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା ଜଣାଇଛନ୍ତି। ଦ୍ରୌପଦୀ ମୁର୍ମୁ ବିଜୟ ହେବା ସାରା ଓଡିଶା ପାଇଁ ଗର୍ବର ବିଷୟ ବୋଲି ନବୀନ ଟ୍ୱିଟ୍ କରି କହିଛନ୍ତି।
ସେହିପରି ଯଶବନ୍ତ ସିହ୍ନା ଟୁଇଟ୍ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ। ଆଶା କରୁଛି, ସେ ବିନା କୌଣସି ଭୟ ଓ ପକ୍ଷପାତିତାରେ ସମ୍ବିଧାନର ସଂରକ୍ଷକ ଭାବେ କାର୍ଯ୍ୟ କରିବେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ଦେଶର ମୁଖ୍ୟ ଭାବେ ଆଶା ରହିଛି ଯେ ଆପଣ ସମ୍ବିଧାନର ଆଦର୍ଶକୁ ବଜାୟ ରଖିବେ ଏବଂ ଗଣତନ୍ତ୍ରର ରକ୍ଷକ ହେବେ । ବିଶେଷ କରି ଯେତେବେଳେ ଦେଶ ଅନେକ ବିବାଦରେ ଛନ୍ଦି ହୋଇପଡ଼ିଛି’।
ଏନସିପି ମୁଖ୍ୟ ଶରଦ ପାଓ୍ୱାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀଙ୍କ କାର୍ଯ୍ୟକାଳ ସଫଳ ହେଉ ବୋଲି ସେ କାମନା କରିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.