Latest Odisha News

BREAKING NEWS

ତେଲେଙ୍ଗାନା ହାତରୁ ଖସିବାକୁ ବସିଲାଣି, ଓଡିଶାକୁ କିଏ ପଚାରେ!

ଭୁବନେଶ୍ୱର: ଓଡ଼ିଶାରେ ଆଉ ବିଆରଏସର ଚର୍ଚ୍ଚା ନାହିଁ। ଆସନ୍ନ ନିର୍ବାଚନକୁ ନେଇ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ବିଆରଏସ ଆଉ ଓଡିଶାରେ ଆଗକୁ ବଢ଼ୁଥିବା ଦେଖାଯାଉ ନାହିଁ।

ରାଜ୍ୟରେ ବିରୋଧୀଙ୍କ ସ୍ଥିତିକୁ ଦେଖିଲେ କେସିଆରଙ୍କ ବିଆରଏସ ଓଡ଼ିଶାରେ ଏକ ବଡ଼ ବିକଳ୍ପ ହେବ ବୋଲି କୁହାଯାଉଥିଲା। ଏପରିକି ଦକ୍ଷିଣ ଓଡ଼ିଶାର ପ୍ରଭାବୀ ନେତାଙ୍କ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ଅଞ୍ଚଳର କିଛି ଟାଣୁଆ ନେତା ଦଳରେ ସାମିଲ ହୋଇଥିଲେ।

କିଛି ଦିନ ବେଶ ଆକ୍ଟିଭ ହୋଇ କାମ ବି କଲେ। ଏପରିକି ଓଡ଼ିଶାର ବହୁ ତୁଙ୍ଗ ନେତା ବିଆରଏସରେ ସାମିଲ ହେବା ସହ କେସିଆର ଶହ ଶହ କୋଟି ନିର୍ବାଚନରେ ଖର୍ଚ୍ଚ କରି ଦଳକୁ ବହୁ ଆସନରେ ଜିତାଇ ବିଜେଡିର ବିଜୟ ଧାରାକୁ ଅଟକାଇବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।

ଏପରିକି ରାଜ୍ୟର ବହୁ ପ୍ରମୁଖ ପ୍ରସଙ୍ଗରେ ବିଆରଏସର ରାଜ୍ୟ ନେତାମାନେ ଲଗାତର ଭାବେ ନିଜର ପ୍ରତିକ୍ରିୟା ରଖି ରାଜନୈତିକ ପ୍ରତିଦ୍ବନ୍ଦୀତାରେ ନିଜକୁ ସାମିଲ କଲେ। କିନ୍ତୁ ଏବେ ସେସବୁର ନାଁ ଗନ୍ଧ ନାହିଁ। ଯାହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଜାତୀୟ ରାଜନୀତିରେ ନିଜକୁ ଦୃଢ଼ କରିବାକୁ ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତିକୁ ପରିବର୍ତିତ ହୋଇଥିବା କେସିଆରଙ୍କ ଦଳ କିନ୍ତୁ ଏବେ କେବଳ ତେଲେଙ୍ଗାନା ଉପରେ ହିଁ ଫୋକସ କରୁଥିବା ଦେଖିବାକୁ ମିଳିଛି।

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ କେସିଆର କେବଳ ତେଲେଙ୍ଗାନା ଉପରେ ହିଁ ଅଧିକ ଫୋକସ କରୁଥିବା କୁହାଯାଉଛି। ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବା ବେଳେ ଅନ୍ୟତମ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସର ଦୃଢ଼ ବେସ ରହିଛି।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ତେଲେଙ୍ଗାନାରେ ବଡ଼ ପ୍ରଭାବ ଦେଖିବାକୁ ମିଳିଥିଲା। ଏପରିକି କର୍ଣ୍ଣାଟକ ନିର୍ବାଚନରେ ହାଇଦ୍ରାବାଦ କର୍ଣ୍ଣାଟକ ଅଞ୍ଚଳରେ ୪୧ ଟି ବିଧାନସଭା ସିଟ ମଧ୍ୟରୁ କଂଗ୍ରେସ ୨୬ ଟି ସିଟ ଜିତିଛି। ଯାହାକି ତେଲେଙ୍ଗାନାରେ କଂଗ୍ରେସ ପାଇଁ ଶୁଭ ସଂକେତ ବୋଲି ଚର୍ଚ୍ଚା ହେଉଛି।

ଏପରିକି ଆସନ୍ତା ନିର୍ବାଚନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାର କୌଣସି ଏକ ସଂସଦୀୟ କ୍ଷେତ୍ରରୁ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି। ଯାହାକି ତେଲେଙ୍ଗାନାରେ କଂଗ୍ରେସ ନେତା କର୍ମୀ କାର୍ଯ୍ୟକର୍ତ୍ତାଙ୍କ ଜୋଶ ବଢ଼ାଇ ଦେଇଛି।

ସେପଟେ ତେଲେଙ୍ଗାନାର କିଛି ତୃଣମୂଳ ସ୍ତରର ସର୍ଭେରେ ମଧ୍ୟ ରାଜ୍ୟରେ କଂଗ୍ରେସର ଉତ୍ଥାନ ସମ୍ପର୍କରେ ତଥ୍ୟ ଆସିଛି। ଏପରିକି କର୍ଣ୍ଣାଟକ ନିର୍ବାଚନ ବିଜୟର କର୍ଣ୍ଣଧାର କୁହାଯାଉଥିବା ଡି କେ ଶିବକୁମାରଙ୍କୁ ତେଲେଙ୍ଗାନାରେ କଂଗ୍ରେସର ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି।

ତେଣୁ ସେଥିପାଇଁ ନିଜ ଦଳର ନାଁ ପରିବର୍ତ୍ତନ କରି ଜାତୀୟ ସ୍ତରରେ ନିଜକୁ ଶକ୍ତିଶାଳୀ କରିବାକୁ ଯୋଜନା କରୁଥିବା କେସିଆର ଏବେ ତେଲେଙ୍ଗାନା ଛଡା ଆଉ କିଛି ଭାବୁ ନାହାଁନ୍ତି ବୋଲି କୁହାଯାଉଛି।

ଏପରିକି ବିରୋଧୀଙ୍କୁ ଏକାଠି କରିବାକୁ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା କେସିଆର ଏବେ ସେଥିରୁ ମଧ୍ୟ ନିଜକୁ ଦୂରେଇ ରଖୁଛନ୍ତି। ତେଣୁ ଏଭଳି ସ୍ଥିତିରେ ଓଡ଼ିଶାରେ ରାଜନୈତିକ ବିକଳ୍ପର ଆଶା ରଖି ରାଜ୍ୟର ବହୁ ପ୍ରମୁଖ ନେତା ବିଆରଏସରେ ମିଶିଥିବା ବେଳେ ସେମାନଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନବୀନ ନନ୍ଦ ତଥା ଅନେକ ଟାଣୁଆ ନେତା ବିଆରଏସକୁ ବିକଳ୍ପ ଭାବି ଦଳରେ ସାମିଲ ହୋଇଥିଲେ।

କିନ୍ତୁ ଦେଶର ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ହେବାରୁ କେସିଆରଙ୍କର ଓଡିଶା ଉପରେ ଆଉ ନଜର ନାହିଁ ବୋଲି କୁହାଯାଉଛି। ତେଣୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏ ସବୁ ନେତାଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବାରୁ ଯଦି ବିଆରଏସ ସେଠାରେ ଶାସନକୁ ଫେରି ନ ପାରିଲା ତେବେ ବିଆରଏସ ଭବିଷ୍ୟତ କଣ ହେବ ତାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.