Latest Odisha News

BREAKING NEWS

ଦୀର୍ଘ ୧୨ ଦିନ ପରେ ବଡ଼ଦାଣ୍ଡ ହେଲା ଆଲୋକିତ…

ପୁରୀ: ପ୍ରଳୟଙ୍କରୀ ବାତ୍ୟା ଫନି ପୁରୀ ସହର ସମେତ ଓଡ଼ିଶା ଅର୍ଦ୍ଧାଧିକ ଜିଲ୍ଲାରେ ତାଣ୍ଡବ ଲୀଳା ରଚାଇ କ୍ଷତିଗ୍ରସ୍ତ କରିଦେଇଥିଲା । ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ମହାପଭୁ ଶ୍ରୀଜଗନ୍ନାଥ ମଧ୍ୟ ଅନ୍ଧାର ମଧ୍ୟରେ କାଳାତିପାତ କରୁଥିଲେ, ମାତ୍ର ଆଜି ଶ୍ରୀମନ୍ଦିରକୁ ବିଦ୍ୟୁତ ସଂଯୋଗ ହେବା ସହିତ ବଡ଼ଦାଣ୍ଡ ପୁଣି ଥରେ ବିଜୁଳି ଆଲୋକରେ ଝଲସି ଉଠିଛି ।

ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଥିଲା । ପୁରୀ ସହର ବିଶେଷକରି ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଥିବା ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରରେ ବିଜୁଳି ସଂଯୋଗ ଲାଗି ଶତାଧିକ ବିଦ୍ୟୁତ କର୍ମଚାରୀ ରାତିଦିନ ଏକ କରି ମରାମତି କାର୍ଯ୍ୟ କରିଚାଲିଛନ୍ତି । ତେବେ ଯାହାବି ହେଉ ବଡ଼ଦାଣ୍ଡରେ ବାତ୍ୟା ପରେ ପ୍ରଥମଥର ଲାଗି ପୁନର୍ବାର ବିଜୁଳି ସଂଯୋଗ ହେବାପରେ ସ୍ଥାନୀୟ ବାସିନ୍ଦା, ଶ୍ରୀମନ୍ଦିର ସେବାୟତ ତଥା ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି ।

ବଡ଼ଦାଣ୍ଡରେ ବିଦ୍ୟୁତ ସଂଯୋଗ ହୋଇଯିବା ପରେ ଏବେ ପ୍ରଶାସନ ସମଗ୍ର ସହରରେ କିପରି ସମ୍ପୂର୍ଣ୍ଣ ବିଦ୍ୟୁତ ସଂଯୋଗ ହୋଇପାରିବ ସେଥିଲାଗି ଦୃଷ୍ଟି ଦେଉଛନ୍ତି । ତେବେ ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ବିଜୁଳି ସଂଯୋଗ ହେବାରେ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଭାବେ ସହଯୋଗ କରିଥିବା ସୂଚନା ମିଳିଛି ।

ଶ୍ରୀମନ୍ଦିର ମଧ୍ୟରେ ବିଜୁଳି ସଂଯୋଗ ନଥିବା ଯୋଗୁଁ ସେବାୟତ, ଭକ୍ତଙ୍କ ସମେତ ପୋଲିସ କର୍ମଚାରୀମାନେ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଗାମୀ ୫ ଦିନ ମଧ୍ୟରେ ପୁରୀ ସହରରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ସରବରାହ ଆସିପାରିବ ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.