ଶ୍ରୀନଗର; ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କଲେ । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି । ଏହି ସମୟରେ, ଜମ୍ମୁ ଏବଂ କଶ୍ମୀରର ଅନେକ ରାଜନୈତିକ ଦଳ ଆକ୍ରମଣକୁ ନିନ୍ଦା କରିବା ଏବଂ ପୀଡିତ ପରିବାର ସହିତ ଏକତା ପ୍ରଦର୍ଶନ କରିବା ପାଇଁ ବୁଧବାର ଦିନ କାଶ୍ମୀର ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।
ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନସି) ଲୋକମାନଙ୍କୁ ବନ୍ଦକୁ “ସମ୍ପୂର୍ଣ୍ଣ ସଫଳ” କରିବାକୁ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିବାରେ ଯୋଗ ଦେବାକୁ ନିବେଦନ କରିଛି ।
ଜମ୍ମୁ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ମେହବୁବା ମୁଫତି ପୀଡିତଙ୍କ ପରିବାର ସହିତ ଏକତା ପ୍ରକାଶ କରିଛନ୍ତି । ସେ ବନ୍ଦକୁ ସମର୍ଥନ କରି କହିଛନ୍ତି ଯେ, ଏହା “ଆମ ସମସ୍ତଙ୍କ ଉପରେ ଆକ୍ରମଣ”। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ଜମ୍ମୁ ଚାମ୍ବର ଏବଂ ବାର ଆସୋସିଏସନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ।
ସେ କହିଛନ୍ତି, ପହଲଗାମରେ ହୋଇଥିବା ନୃଶଂସ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସମ୍ମାନାର୍ଥେ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ମୁଁ ସମସ୍ତ କାଶ୍ମୀରବାସୀଙ୍କୁ ଏକାଠି ହେବାକୁ ନିବେଦନ କରୁଛି । ଏହା କେବଳ କିଛି ବଛା ବଛା ଲୋକଙ୍କ ଉପରେ ଆକ୍ରମଣ ନୁହେଁ – ଏହା ଆମ ସମସ୍ତଙ୍କ ଉପରେ ଆକ୍ରମଣ । ଆମେ ଦୁଃଖ ଏବଂ କ୍ରୋଧରେ ଏକାଠି ଛିଡ଼ା ହୋଇଛୁ ଏବଂ ନିରୀହ ଲୋକଙ୍କ ହତ୍ୟାକାଣ୍ଡର ନିନ୍ଦା କରିବା ପାଇଁ ଏହି ବନ୍ଦକୁ ଦୃଢ଼ ସମର୍ଥନ କରୁଛୁ ।
The Chamber & Bar Association Jammu has called for a complete shutdown tomorrow in protest against the horrific militant attack on tourists. I appeal all Kashmiris to unite in solidarity to support this bandh as a mark of respect for the innocent lives lost in the brutal assault…
— Mehbooba Mufti (@MehboobaMufti) April 22, 2025
ଜମ୍ମୁ ଏବଂ କାଶ୍ମୀର ଛାତ୍ର ସଂଘ (JKSA) ଏହି ଆକ୍ରମଣକୁ “ଜମ୍ମୁ ଏବଂ କଶ୍ମୀରର ଆତ୍ମା ଉପରେ ଆକ୍ରମଣ” ବୋଲି ଅଭିହିତ କରିଛି ଏବଂ ବନ୍ଦକୁ ସମର୍ଥନ କରିଛି । JKSA ଏକ୍ସ ରେ ପୋଷ୍ଟ କରିଛି, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟାରେ ଜମ୍ମୁ ଚାମ୍ବର ଏବଂ ବାର୍ ଆସୋସିଏସନ୍ ଦ୍ୱାରା ଡାକରାଯାଇଥିବା ବନ୍ଦକୁ JKSA ପୂର୍ଣ୍ଣ ସମର୍ଥନ କରୁଛି । ଏହି ଦୁଃଖଦ ଆକ୍ରମଣ କେବଳ କିଛି ବ୍ୟକ୍ତିଙ୍କ ଉପରେ ଆକ୍ରମଣ ନୁହେଁ; ଏହା ଜମ୍ମୁ ଏବଂ କଶ୍ମୀରର ଆତ୍ମା ଉପରେ ଆକ୍ରମଣ ।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ଓ ତିନି ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ଆକ୍ରମଣ ପାଇଁ ଲଶ୍କର-ଇ-ତୋଇବାର ଛାମୁଆ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ନିଜକୁ ଦାୟୀ କରିଛି । ତେବେ ୨୦୧୯ ଫେବୃଆରୀରେ ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୭ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇଥିଲେ । ଏହା ପର ଠାରୁ ମଙ୍ଗଳବାରର ଆକ୍ରମଣ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।
Comments are closed.