ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରିଛନ୍ତି । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଓ ତିନି ଜଣ ସ୍ଥାନୀୟବାସିନ୍ଦା ରହିଛନ୍ତି । ଏହି ଘଟଣା ପରେ ହାଇଆଲର୍ଟରେ ରହିଛି ଭାରତର ରାଜଧାନୀ ଏବଂ ମୁମ୍ବାଇ ସହର ।
ଉଭୟ ସହରର ପର୍ଯ୍ୟଟନସ୍ଥଳୀ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ସୁରକ୍ଷା ରହିଛି । ପୋଲିସ ଅଧିକାରୀମାନେ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଏବଂ ସୀମା ପାର ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି । ବିଶେଷକରି ଧାର୍ମିକ ସ୍ଥଳଗୁଡ଼ିକରେ ସଜାଗ ରହିବାକୁ ପୋଲିସ ଅଧିକାରୀଙ୍କୁ କୁହାଯାଇଛି ।
ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଦିଲ୍ଲୀ ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଦିଲ୍ଲୀ ପୋଲିସ ସୂତ୍ର ଏ ସମ୍ପର୍କରେ ସୂଚନା ଦେଇଛି ।
ଅନ୍ୟପକ୍ଷରେ, ମୁମ୍ବାଇରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଜୟପୁର ଏବଂ ଅମୃତସରରେ ମଧ୍ୟ ପୋଲିସ ସତର୍କ ରହିଛି । ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଶାନ୍ତ କୁମାର ରାଜ୍ୟର ସମସ୍ତ ପୋଲିସ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଅଯୋଧ୍ୟା, କାଶୀ ଏବଂ ମଥୁରା ଭଳି ଧାର୍ମିକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସମସ୍ତ ଜିଲ୍ଲାରେ ନଜର ରଖିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି କରିଛନ୍ତି । ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ ସମେତ ଅତି କମରେ ୨୬ ଜଣ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଅପରାହ୍ନ ପ୍ରାୟ ୨:୩୦ ସମୟରେ ଏହି ଆକ୍ରମଣ ଘଟିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡିଶା, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ହରିୟାଣାର ଲୋକ ଅଛନ୍ତି । ଏହି ଆକ୍ରମଣରେ, ଆତଙ୍କବାଦୀମାନେ କେବଳ ସେହି ଲୋକମାନଙ୍କୁ ଟାର୍ଗେଟ କରିଥିଲେ ଯେଉଁମାନେ ନିଜ ପରିବାର ସହିତ ବୁଲିବାକୁ ଯାଇଥିଲେ । ଏପରିକି ସେମାନେ ଲୋକଙ୍କ ନାମ ପଚାରିବା ପରେ ଗୁଳି ମଧ୍ୟ କରିଥିଲେ ।
Comments are closed.