Latest Odisha News

ବାବୁଙ୍କ ଉପରେ ବର୍ଷୁଛନ୍ତି ବିରୋଧୀ, ହେଲେ ମମତା କହିଲେ ସୁନାମୁଣ୍ଡା !

ଭୁବନେଶ୍ୱର: ରାଜ୍ୟରେ ଅଫିସରମାନେ ଏବେ ଶକ୍ତିଶାଳୀ ଓ ମାନମାନି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଅଫିସରମାନେ ଲୋକପ୍ରତିନିଧି ମାନଙ୍କୁ ଆବଶ୍ୟକ ସମ୍ମାନ ଦେଉ ନ ଥିବା ବେଳେ ବୁକ ସରକୁଲାର ମାନୁ ନ ଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ଏପରିକି ରାଜ୍ୟର ନେତା ମନ୍ତ୍ରୀମାନେ ମଧ୍ୟ ଅଫିସରଙ୍କ ପାଖରେ ନତମସ୍ତକ ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।

କିନ୍ତୁ ଏ ସବୁ ଅଭିଯୋଗକୁ ଫିକା ପକାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ଅଫିସରମାନଙ୍କ ବିରୋଧରେ ନେତାଙ୍କ ମାଳ ମାଳ ଅଭିଯୋଗ ହୋଇ ଆସୁଥିବା ବେଳେ ମମତା ନବୀନଙ୍କ ସରକାରରେ ଅଫିସରଙ୍କୁ ପ୍ରଶଂସା କରିଛନ୍ତି। ତିନି ଦିନିଆ ଓଡିଶା ଗସ୍ତରେ ଆସି ଫେରିଥିବା ମମତା ଓଡ଼ିଶାର ଅଫିସରମାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଯଦି ରାଜ୍ୟର ଅଫିସରମାନେ ଆତିଥ୍ୟ ସମ୍ମାନ ଦେବାରେ ଟିକେ ବି ଅବହେଳା କଲେନି ତାହେଲେ ରାଜ୍ୟର ନେତାଙ୍କୁ କାହିଁକି ଅଣଦେଖା କରୁଛନ୍ତି ବୋଲି ଆଲୋଚନା ହେଉଛି। ନା ମମତାଙ୍କୁ ସ୍ୱତନ୍ତ୍ର ଚର୍ଚ୍ଚା ପାଇଁ କିଛି ନିର୍ଦେଶ ଥିଲା ଯାହାକି ଓଡ଼ିଶାର ନେତାଙ୍କ ପାଇଁ ନାହିଁ କି ବୋଲି କୁହାଯାଉଛି।

ପୁଣି ଆଉ ଏକ କଥାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। ମମତା ତାହେଲେ କେଉଁ ଅଫିସରଙ୍କୁ ଭଲ ବୋଲି କହିଲେ ତାକୁ ନେଇ ଜୋରଦାର ଆଲୋଚନା। ସେପଟେ ବିରୋଧୀ ପ୍ରତିଦିନ ରାଜ୍ୟର ଅଫିସରଙ୍କୁ ନେଇ ଟାର୍ଗେଟ କରିଚାଲିଛନ୍ତି। କେତେବେଳେ ନବୀନଙ୍କ ସରକାରରେ ଅଫିସର ପ୍ରକୃତ ଶାସକ ବୋଲି କହୁଛନ୍ତି ତ କେତେବେଳେ ଲୋକ ପ୍ରତିନିଧିଙ୍କୁ ଅସମ୍ମାନର କଥା।

କେତେବେଳେ ଅଫିସରଙ୍କ ସମ୍ମୁଖରେ ମନ୍ତ୍ରୀଙ୍କ ନତମସ୍ତକର ଫଟୋ ଦେଖାଇ ବିରୋଧ କରୁଛନ୍ତି ତ କେତେବେଳେ ଫାଇଭ ଟି କୁ ଟାର୍ଗେଟ। ଏ ସବୁକୁ ନେଇ ବିରୋଧୀ ବାତାବରଣ ପ୍ରସ୍ତୁତ କରୁଥିବା ବେଳେ ଅଫିସରଙ୍କୁ ମମତାଙ୍କ ସାର୍ଟିଫିକେଟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆଗକୁ ନିର୍ବାଚନ ଥିବାରୁ ଅଫିସର ରାଜ ପ୍ରସଙ୍ଗ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ହେବ ବୋଲି କୁହାଯାଉଥିବା ବେଳେ ମମତାଙ୍କ ମନ୍ତବ୍ୟ ପରେ ଲୋକଙ୍କ ଦ୍ୱାରା ଏହା କେତେଦୂର ଗ୍ରହଣୀୟ ହେବ ତା ଉପରେ ନଜର।

Leave A Reply

Your email address will not be published.